ଭଦ୍ରକ, ୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧିନ ଐତିହାସିକ କାଳୀମେଘା ମେଳଣ ଦୋଳପୂର୍ଣ୍ଣମୀ ରାତିରୁ ଆରମ୍ଭ ହେବ । ଏହି ମେଳଣ ଚଳିତ ବର୍ଷ ୩୨୪ ବର୍ଷରେ ପଦାର୍ପଣ କରିଥିବା ଜଣାଯାଇଛି । ଏହି ଐତିହାସିକ ମେଳଣର ବିଶେଷତ୍ୱ ହେଉଛି କାଳୀମେଘା ଗ୍ରାମର ଶ୍ରୀ ଦଧିବାମନ ଜୀଉ ମେଳଣ ପଡିଆ ଛୁଇଁଲେ ରାଧାକୃଷ୍ଣଙ୍କ ବିମାନ ନିଜ ନିଜ ଘରକୁ ବାହୁଡ଼ିଥାନ୍ତି। ପୁଣି ସକାଳେ ମେଳଣ ଅବିରରେ ଆରମ୍ଭ ହୋଇ କାଦୁଅ ଖେଳରେ ଶେଷ ହେବା ପରମ୍ପରା ନିଆରା ଅଟେ। ପ୍ରାଚୀନ ଐତିହ୍ୟ ଓ ସଂସ୍କୃତିକୁ ବହନ କରୁଥିବା ଏହି ମେଳଣ ଶ୍ରୀ ଚୈତନ୍ୟଙ୍କ ଆଗମନ ସମୟରୁ ଆରମ୍ଭ ହୋଇଥିବା କୁହାଯାଏ । ମେଳଣ ଅବିରରୁ ଆରମ୍ଭ ହୋଇ କାଦୁଅ ଖେଳରେ ଶେଷ ହେବାର ପରମ୍ପରା ରହିଛ । ଦୋଳପୂର୍ଣ୍ଣମୀ ରାତିରେ ବତିମରା ପଦାରେ ଥାନପତି ଆସନରେ ବସିଥିବା ତାଳପଦା ଗ୍ରାମର ଶ୍ରୀ ଗୋପୀନାଥ ଜୀଉ ଶ୍ରୀ ଜୀଉମାନଙ୍କୁ ସ୍ୱାଗତ କରିଥାନ୍ତି । ତୋପ ଶବ୍ଦରେ ପ୍ରଥମେ ଗୁଡ଼ୁପାଳ ଗ୍ରାମର ଶ୍ରୀ ରାଧାବଲ୍ଲଭ ଜୀଉ ଶୋଭାଯାତ୍ରାରେ ମେଳଣ ପଡ଼ିଆ ଆଡ଼କୁ ଅଗ୍ରସର ହୋଇଥାନ୍ତି । ପରେପରେ ଅନ୍ୟ ଜୀଉମାନେ ନିଜନିଜର ନମ୍ବର ଅନୁଯାୟୀ ମେଳଣ ପଡ଼ିଆକୁ ଶୋଭାଯାତ୍ରାରେ ଯାଇଥାନ୍ତି । ତେବେ ଶ୍ରୀଜୀଉମାନେ ଗ୍ରାମରେ ଥିବା ଶ୍ରୀ ଦଧିବାମନ ଜୀଉଙ୍କୁ ଦର୍ଶନ କରିବା ସହ ତାଙ୍କ ମନ୍ଦିରକୁ ପ୍ରଦକ୍ଷିଣ କରିଥାନ୍ତ । ପରେ ଶ୍ରୀଜୀଉମାନେ ମେଳଣ ପଡ଼ିଆକୁ ପ୍ରବେଶ କରି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ବସିଥାନ୍ତି । ଏହି ମେଳଣରେ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ । ଲୋକମାନେ ପରସ୍ପରକୁ ଅବିର ବୋଲି ସମ୍ପର୍କ ସ୍ଥାପନ କରିବା ସହ ଭାବର ଆଦାନ ପ୍ରଦାନ କରିଥାନ୍ତି । ଏହାଛଡ଼ା ଜିଲାର ବିଭିନ୍ନ ସ୍ଥାନରୁ ବ୍ୟବସାୟୀ ମାନେ ଆସି ନିଜନିଜର ଦୋକାନ ଖୋଲିଥାନ୍ତି । ଏପରିକି ଲୋକମାନେ ବିଭିନ୍ନ ଘରକରଣା ସାମଗ୍ରୀ କିଣିବା ପାଇଁ ଏହି ମେଳଣକୁ ଅପେକ୍ଷା କରିଥିବା କୁହାଯାଏ । ଅପରାହ୍ନରେ ଶ୍ରୀ ଦଧିବାମନ ଜୀଉ ଶୋଭାଯାତ୍ରାରେ ବାହାରି କାଦୁଅ ଖେଳିଖେଳି ମେଳଣ ପଡ଼ିଆ ଭିତରେ ପ୍ରବେଶ କରିଥାନ୍ତି । ସମସ୍ତ ଜୀଉଙ୍କୁ ଦର୍ଶନ ଦେବା ପରେ ମେଳଣ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥାନ୍ତି । ତେବେ ମେଳଣସ୍ଥଳକୁ ସରସ ସୁନ୍ଦର କରାଯିବାକୁ ମେଳଣ କମିଟି ପକ୍ଷରୁ ଉଦ୍ୟମ କରାଯାଇଛି । ପଡ଼ିଆର ପ୍ରବେଶ ପଥରେ ଆକର୍ଷଣୀୟ ତୋରଣ ନିର୍ମାଣ କରାଯାଉଛି । ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଚଳିତ ବର୍ଷ ଡିଜେ ବାଜିବା ଉପରେ ଅଙ୍କୁଶ ଲାଗିଥିବାରୁ ମେଳଣ ସ୍ଥଳକୁ ଯାତାୟାତରେ କୌଣସି ସମସ୍ୟା ଉପୁଜିବ ନାହିଁ ବୋଲି ଜଣାଯାଇଛି।ମେଳଣ କମିଟି କାର୍ଯ୍ୟକାରୀ ସଭାପତି ଉମାକଲ୍ୟାଣ ମହାପାତ୍ର, ସମ୍ପାଦକ ଗଣେଶ ପ୍ରସାଦ ନାୟକ, ସୁରେଶ ମହାପାତ୍ର, କୀର୍ତ୍ତନ ରାଉତ, ଅଜୟ କୁମାର ରାଉତ, ରତିକାନ୍ତ ଦାସ, ଅପୂ୍ୱର୍ ଦାସଙ୍କ ସମେତ କର୍ମକର୍ତ୍ତାମାନେ ମେଳଣ ପରିଚାଳନାରେ ସହଯୋଗ କରୁଥିବା ଜଣାଯାଇଛି।ି