ଭଦ୍ରକ, ୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ମୁକୁନ୍ଦପୁର ପଂଚାୟତ ଅଧିନ ଐତିହାସିକ କାଳିମେଘା ମେଳଣ ମଙ୍ଗଳବାର ରାତିରୁ ଆରମ୍ଭ ହୋଇ ବୁଧବାର ଶେଷ ହୋଇଛି। ଅବିର ଖେଳରୁ ଆରମ୍ଭ ହୋଇ ପୁଣି କାଦୁଅ ଖେଳରେ ଶେଷ ହେବା ମେଳଣର ବିଶେଷତ୍ୱରହିଛି । ମଙ୍ଗଳବାର ରାତିରେ ବତୀମରା ପଦାରୁ ବିମାନ ବାହାରିଥିଲେ।ପ୍ରଥମେ ତୋପ ସଲାମି ଦିଆଯିବା ପରେ ବିମାନ ବାହାରିଥିଲେ। ବିମାନଗୁଡିକ ନମ୍ବର ଅନୁସାରେ ମେଳଣ ପଡିଆକୁ ପ୍ରବେଶ କରିଥିଲେ। ପ୍ରତି ବିମାନକୁ ସୁସଜ୍ଜିତ କରାଯାଇ ଶୋଭାଯାତ୍ରାରେ ପଡିଆକୁ ନିଆଯାଇଥିଲା।ମେଳଣକୁ ୧୪ ଟି ବିମାନ ନମ୍ବରରେ ଆସିଥିବା ବେଳେ ଆହୁରି ବହୁ ବିମାନ ମେଳଣକୁ ଆସି ଭୋଗ ପାଇଥିଲେ।ବିମାନ ଶୋଭାଯାତ୍ରାରେ ଆସିବାବେଳେ ଠାକୁର ସେବକମାନେ ପରସ୍ପର ମଧ୍ୟରେ ଅବିର ଖେଳି ଖେଳି ବିଭୁପ୍ରେମରେ ନିଜକୁ ହଜାଇଦେଇଥିଲେ।ପଡ଼ିଆରେ ଥିବା ମଣ୍ଡପରେ ବିମାନସବୁ ନିଜ ନିଜ ସ୍ଥାନରେ ବସିବା ପରେ ଶ୍ରଦ୍ଧାଳୁମାନେ ବିମାନରେ ଥିବା ଶ୍ରୀ ରାଧାକୃଷ୍ଣଙ୍କୁ ଅବିରଦେଇ ଦର୍ଶନକରିଥିଲେ।ପଡ଼ିଆରେ ହଜାର ହଜାର ଶ୍ରଦ୍ଧାଳୁ ନିଜ ନିଜ ମଧ୍ୟରେ ଅବିର ଖେଳା ଖେଳି ହୋଇ ଆତ୍ମବିଭୋର ହୋଇଯାଇଥିଲେ। ପରେ ପରମ୍ପରା ଅନୁସାରେ ଠାକୁରଙ୍କୁ ଭୋଗ ଲାଗି ହୋଇଥିଲା। କାଳିମେଘା ଗ୍ରାମର ଶ୍ରୀ ଦଧି ବାବନ ଜୀଉଙ୍କୁ ଶ୍ରଦ୍ଧାଳୁ କାଦୁଅ ଖେଳି ଖେଳି ଶୋଭାଯାତ୍ରାରେ ଆଣି ପଡିଆରେ ପ୍ରବେଶ କରିବାପରେ ମେଳଣ ଭାଙ୍ଗିଥିଲା।ବିମାନ ମାନେ ଯେଝା ଯେଝା ଘରକୁ ବାହୁଡ଼ି ଥିଲେ।ମେଳଣରେ ବାପା ମାକୁ ଛାଡିଦେଲେ ଆଉସବୁ କିଣିବାକୁ ମିଳେ ବୋଲି କୁହାଯାଇଛି।ଏହାର ଅର୍ଥହେଉଛି ଏହି ମେଳଣରେ ସବୁ ପ୍ରକାର ଦୋକାନ ଦିଆଯାଇଥିଲା। ପ୍ରତି ବର୍ଷପରି ଚଳିତ ବର୍ଷମଧ୍ୟ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।ଏଥିପାଇଁ ଲୋକ କଥାରେ ଅଛି, କାଳି ମେଘା ମେଳଣ,ଆଳି ରାଜା ଝୁଲଣ,ବହଲି ପଣ୍ଡା ପୂଜା ଏକୁଯିଏ ଦେଖିଥିବ ଆଉ କଉଠିକି ନ ଯାଆ ।ମେଳଣ କମିଟିର କାର୍ଯ୍ୟକାରୀ ସଭାପତି ଉମାକଲ୍ୟାଣ ମହାପାତ୍ର,ସମ୍ପାଦକ ଗଣେଷ ପ୍ରସାଦ ନାୟକ,ସୁରେଶ ମହାପାତ୍ର,ସୁରେନ୍ଦ୍ର ସାହୁ,କୀର୍ତନ ରାଉତ,ଧର୍ମପଦ ଗ୍ରହାଚାର୍ଯ୍ୟ,ସୁଧାଂଶୁ ମହାଳିକ,ଅଜୟ ରାଉତ,ଅପୂର୍ବ ଦାସ, ରତିକାନ୍ତ ଦାସ, ଚିନ୍ମୟ ବେହେରା,ସର୍ବେଶ୍ୱର ପରିଡା,ହିମାଦ୍ରୀ ରାଉତରାୟ,ସୁଧାଂଶୁ ଶେଖର ନାୟକ ପ୍ରମୁଖଙ୍କ ସମେତ ଠାକୁର ସେବକ,ଗ୍ରାମବାସୀ ମେଳଣ ପରିଚାଳନା କରିଥିଲେ। ଶାନ୍ତି ଶୃଙ୍ଗଳା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।