Odiapua.com

ଏ ନୁହେଁ କାହାଣୀ! … ମାୟାନଗରୀ ମୁମ୍ବାଇ ବୁଲିଲେ ୩ ନାବାଳକ ଛାତ୍ର

ରାଉରକେଲା ୨୨-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ପ୍ରତି ପରିବାରରେ ଥିବା ପିଲାମାନଙ୍କ ପାଇଁ ବାପା, ମା’ ସବର୍ଦା ଯତ୍ନବାନ ହେବା ସହ ସେମାନଙ୍କ ପାଇଁ ଚିନ୍ତିତ ଥିବା ଦେଖିବାକୁ ମିଳେ। ମାତ୍ର ସମୟ ସମୟରେ ପିଲାମାନଙ୍କ ବାଚଳାମି ପିତାମାତାଙ୍କ ପାଇଁ ଚିନ୍ତାର କାରଣ ସାଜିଥାଏ। ସନ୍ତାନସନ୍ତତି ମାନଙ୍କ ବାଚଳାମି ବାପା ମା’ଙ୍କ ନିଦ ମଧ୍ୟ ଉଡ଼ାଇ ଦେଇଥାଏ। ଏପରି ଏକ ଘଟଣା ଏବେ ସାରନଗରୀ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ସାରନଗରୀ ସି- ୧୧୩ରେ ଦିଲୀପ ମହାକୁଡ଼ ସପରିବାର ବାସ କରନ୍ତି। ତାଙ୍କ ପୁତ୍ର ଅବିନାଶ ମହାକୁଡ଼ ବାରିପଦା ଶିଶିରବଣିର ସ୍ୱାମୀ ବିବେକାନନ୍ଦ ଶିକ୍ଷାଶ୍ରମ ନାମକ ଏକ ଆବାସିକ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢନ୍ତି। ଘଟଣାକ୍ରମେ ଗତ ଅଗଷ୍ଟ ୧୫ ତାରିଖ ବିଳମ୍ବିତ ରାତ୍ରିରେ ଛାତ୍ର ଅବିନାଶ ତାଙ୍କର ୨ ଜଣ ସାଙ୍ଗ ବାଲେଶ୍ୱର ନିବାସୀ ସୁଶାନ୍ତ ମିଶ୍ରଙ୍କ ପୁତ୍ର ଶୁଭଙ୍କର ମିଶ୍ର ଓ ଟାଟା ଅଂଚଳର ହେମନ୍ତ ସାହୁଙ୍କ ସହ ଶିକ୍ଷାଶ୍ରମ ଛାଡ଼ି ରହସ୍ୟଜନକ ଭାବେ ସେଠାରୁ ଉଭାନ ହୋଇଯିବା ପରେ କୌଣସି ଟ୍ରେନରେ ମାୟାନଗରୀ ମୁମ୍ବାଇକୁ ଯାତ୍ରା କରିଥିଲେ। ସେଠାରେ ବୁଲାବୁଲି କରିବା ପରେ ପୁଣି ରାଉରକେଲା ଅଭିମୁଖେ କୁଆଡେ ଟ୍ରେନରେ ବାହାରିଥିଲେ। ମାତ୍ର ତିନି ସାଙ୍ଗଙ୍କ ମଧ୍ୟରୁ ହେମନ୍ତ ସାହୁ ଟାଟାନଗର ଠାରେ ଓହ୍ଲାଇ ପଡ଼ି ସେ ରହୁଥିବା ଗମରାଡିହକୁ ଚାଲିଯାଇଥିଲେ। ଦୁଇ ସାଙ୍ଗ ଅବିନାଶ ଓ ଶୁଭଙ୍କର ରାଉରକେଲା ଷ୍ଟେସନରେ ଓହ୍ଲାଇବା ପରେ ସାରନଗରୀ ପହଂଚିଥିଲେ। ମାତ୍ର ରାତ୍ରୀରେ ଟାଙ୍ଗରପାଲୀ ଥାନା ପାଟ୍ରୋଲିଂ ଗାଡ଼ି ହାତରେ ଉଭୟେ ଧରାପଡ଼ିବା ପରେ ପୁଲିସ ସେମାନଙ୍କୁ ଥାନା ନେଇ ପଚରା ଉଚରା କରିବା ପରେ ସମସ୍ତ ଗଟଣା ବିଷୟରେ ଜାଣିବାକୁ ପାଇଥିଲା। ଟାଙ୍ଗରପାଲୀ ଥାନା ପୁଲିସ ଫୋନ ଯୋଗେ ବାରିପଦା ପୁଲିସକୁ ଖବର ଦେବା ପରେ ବାରିପଦା ଥାନା ପୁଲିସ ଓ ସ୍କୁଲ କର୍ତ୍ତୃପକ୍ଷ ଟାଙ୍ଗରପାଲୀ ଥାନା ପହଂଚି ଦୁଇ ନାବାଳକ ଅବିନାଶ ଓ ଶୁଭଙ୍କରଙ୍କୁ ବାରିପଦା ନେଇଯିବା ପରେ ଘଟଣାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏହାପୂର୍ବରୁ ବାରିପଦାରେ ସ୍କୁଲ କର୍ତ୍ତୃପକ୍ଷ ଏହି ଘଟଣା ସମ୍ପର୍କରେ ଜାଣିବାକୁ ପାଇବା ପରେ ସ୍ଥାନୀୟ ଥାନାରେ ୩ ଛାତ୍ର ନିଖୋଜ ଏତଲା ଦେବା ସହ ଉକ୍ତ ୩ ଛାତ୍ରଙ୍କ ପରିବାରବର୍ଗଙ୍କୁ ଖବର ଦେଇଥିଲେ। ଅପରପକ୍ଷରେ ଅବିନାଶଙ୍କ ବାପା, ମା, ବ୍ୟସ୍ତ ବିବ୍ରତ ହୋଇ ଚାରିଆଡେ ଅବିନାଶଙ୍କୁ ଖୋଜିବା ପରେ କୌଣସି ସନ୍ଧାନ ନପାଇ ବାରିପଦା ସ୍ଥିତ ଆବାସିକ ବିଦ୍ୟାଳୟକୁ ବ୍ୟସ୍ତ ବିବ୍ରତ ଭାବେ ଯାତ୍ରା କରିଥିଲେ।