Odiapua.com

ଏସ୍‌ଏଚ୍‌ଜି ଗୋଷ୍ଠୀର ମହିଳାଙ୍କୁ ବ୍ୟାଙ୍କ ପକ୍ଷରୁ ବନ୍ଧୁକ ଦେଖାଇ ମାଡ ମାରିବା ଘଟଣା, ପୁଲିସ୍ କହିଲା ଆପୋଷ ସମାଧାନ, ବିରୋଧୀ ଦଳ ଉପନେତା କହିଲେ ବିଧାନସଭାରେ ଉଠିବ ଏହି ପ୍ରସଙ୍ଗ

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ବ୍ୟାଙ୍କରେ ବକେୟା ଟଙ୍କା ପରିଶୋଧ କରିବାକୁ ଆସି କର୍ତ୍ତୃପକ୍ଷଙ୍କ ଦ୍ୱାରା ମାଡ ଖାଇବା ସହ ସିକ୍ୟୁରିଟି ଗାର୍ଡର ବନ୍ଧୁକ ଦେଖାଇବା ଭଳି ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏହି ଘଟଣାରେ ସଂପୃକ୍ତ ମହିଳାମାନେ ସହରାଞ୍ଚଳ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୁଲିସ୍ ପକ୍ଷରୁ ଘଟଣାର ଆପୋଷ ସମାଧାନ ନକଲେ ଅସୁବିଧା ହେବ ବୋଲି କହିବା ପରେ ନିରାଶ ହୋଇ ବିରୋଧୀ ଦଳ ଉପନେତା ତଥା ବିଧାୟକ ବିଷ୍ଣୁ ସେଠୀଙ୍କ ଶରଣାପନ୍ନ ହୋଇଥିଲେ । ଏବଂ ଶ୍ରୀ ସେଠୀ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏଭଳି ଘଟଣା ମା’ କୁ ସମ୍ମାନ ବଦଳରେ ଅସମ୍ମାନ ହୋଇଥିବାରୁ ଏହି ବିଷୟ ବିଧାନସଭାରେ ଉଠିବ ବୋଲି ଗଣମାଧ୍ୟମକୁ କହିଛନ୍ତି । ସଂପୂର୍ଣ୍ଣ ଘଟଣାଟି ଏହିଭଳି । ଏହି ଜିଲାର ତିହିଡି ଥାନା ନନ୍ଦପୁର ଗାଁର ମା’ ସରସ୍ୱତୀ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଏକ ଘରୋଇ ବ୍ୟାଙ୍କରୁ ଟଙ୍କା ନେଇଥିଲେ । କରୋନା ସମୟରେ ଟଙ୍କା ପୈଠ କରିବାରେ ଅସୁବିଧା ହେଲା । ତେବେ ଆଜି ସଦସ୍ୟାମାନେ ମାଳତୀ ନାଥଙ୍କ ନେତୃତ୍ୱରେ ବ୍ୟାଙ୍କକୁ ଟଙ୍କା ସୁଝିବା ପାଇଁ ଆସି ତାଙ୍କର ଫାଇନ୍ ହୋଇଥିବାର ଜାଣିଥିଲେ । ଏଣୁ ସେମାନେ ଏବେ ଟଙ୍କା ସୁଝିପାରିବେ ନାହିଁ ବୋଲି କହିବା ପରେ ବ୍ୟାଙ୍କ ମ୍ୟାନେଜରଙ୍କ ସହ କଥା କଟାକଟି ହୋଇଥିଲା । ଏହି ସମୟରେ ବ୍ୟାଙ୍କ ମ୍ୟାନେଜର ସିକ୍ୟୁରିଟି ଗାର୍ଡଙ୍କୁ ଡାକି ସେମାନେ ସେହି ସ୍ଥାନ ଛାଡି ନଗଲେ ସେମାନଙ୍କୁ ବନ୍ଧୁକ ଦେଖାଇ ଗୁଳି କରିଦେବାକୁ ଧମକ ଦେବା ସହ ମାଡ ମାରିଥିବା ବିଷୟ ମାଳତୀ ନାଥ ସହରାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି । କିନ୍ତୁ ଏହି ସଦସ୍ୟାମାନଙ୍କୁ ଥାନାର ଜଣେ ମହିଳା କର୍ମଚାରୀ ସେମାନଙ୍କ ନାମରେ ମଧ୍ୟ ଅଭିଯୋଗ ହୋଇଥିବାର ସୂଚାଇ ଘଟଣାର ଆପୋଷ ସମାଧାନ ନକଲେ ଅସୁବିଧା ହେବ ବୋଲି କହିବା ଘଟଣା ସଦସ୍ୟାମାନଙ୍କୁ ବିଚଳିତ କରିଥିଲା । ଫଳରେ ନ୍ୟାୟ ନପାଇ ସେମାନେ କୁଆଁସରେ ଥିବା ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ନିକଟରେ ସମସ୍ତ ବିଷୟ ଜଣାଇଥିଲେ । ପରବର୍ତ୍ତୀ ସମୟରେ ଶ୍ରୀ ସେଠୀ ସଂପୃକ୍ତ ମହିଳାମାନଙ୍କୁ ନେଇ ନିଜ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏଭଳି ଘଟଣା ନିନ୍ଦନୀୟ ବୋଲି କହି ପୁଲିସ୍‌ର ଏଭଳି ବ୍ୟବହାର କଥା ବିଧାନସଭାରେ ଉଠିବ ବୋଲି ଗଣମାଧ୍ୟମକୁ କହିଥିଲେ । ଏଥିସହ ବ୍ୟାଙ୍କ କର୍ମଚାରୀଙ୍କୁ ସୁରକ୍ଷା ଦେଉଥିବା ପୁଲିସ୍ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛନ୍ତି ।