Odiapua.com

ଏସପିଙ୍କ ସାମ୍ବାଦିକଙ୍କୁ ମାଡ ଓ ଧମକ ଘଟଣା:ସାରାଜିଲ୍ଲାରେ ତୀବ୍ର ପ୍ରତିକ୍ରୀୟା

କେନ୍ଦ୍ରାପଡା ୧୯/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ବାରିମୂଳ ପଂଚାୟତ ପଡିଆରେ ଏସପି ନୀତି ଶେଖରଙ୍କ ଦ୍ୱାରା ଏକ ବୈଦୁତିକ ଗଣମାଧ୍ୟମର ପ୍ରତିନିଧି ଅଜେଶ କୁମାର ମଲ୍ଲିକଙ୍କୁ ଗାଳିଗୁଲଜ କରିବା ମାଡ ମାରିବା ଓ ଧମକ ଦେବା ଘଟଣାକୁ ନେଇ କେବଳ କେନ୍ଦ୍ରାପଡା ଜିଲ୍ଲାରେ ନୁହେଁ ସାରା ରାଜ୍ୟରେ ମଧ୍ୟ ପ୍ରତିବାଦର ସ୍ୱର ଦେଖିବାକୁ ମିଳିଛି। ଏସପି ଶ୍ରୀ ଶେଖରଙ୍କ ସଂପୃକ୍ତ ସାମ୍ବାଦିକଙ୍କ ପ୍ରତି ଏଭଳି ଅମାନୁସିକ ବ୍ୟବହାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ବିଭିନ୍ନ ମହଲରେ ଏଥି ନେଇ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି। ଗଣମାଧ୍ୟମର କଣ୍ଠରୋଧ କରିବା ଉଦେଶ୍ୟରେ ଏସପିଙ୍କ ଏଭଳି ବ୍ୟବହାରକୁ ସବୁ ମହଲରେ ନିନ୍ଦା କରାଯାଇଛି। କେନ୍ଦ୍ରାପଡା ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ କଳା ବ୍ୟାଚ ପିନ୍ଧି ସାମ୍ବାଦିକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହିତ ଜିଲ୍ଲା ପ୍ରଶାସନକୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ରରେ ଦର୍ଶାଯାଇଛି ଯେ କେନ୍ଦ୍ରାପଡା ପ୍ରବାଦ ପୁରୁଷ ବିଜୁବାବୁଙ୍କ କର୍ମଭୂମି। ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ କେନ୍ଦ୍ରାପଡାର ବିକାଶ ଦାୟିତ୍ୱ ନେଇଥିବା ଘୋଷଣା କରିଥିଲେ। ହେଲେ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିଭିନ୍ନ ସମୟରେ ସଙ୍ଗୀନ ହୋଇ ରହିଥିବା ବେଳେ ପୋଲିସ ପ୍ରଶାସନ ତା’ର ଉତ୍ତରଦାୟିତ୍ୱ ସମ୍ପାଦନ କରିବାରେ ବିଫଳ ହୋଇଛି। ପୋଲିସ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗରୀବ ଲୋକଙ୍କୁ ଶୋଷଣ ଓ ଅତ୍ୟାଚାର କରିବାର ଅନେକ ନଜିର ରହିଛି। କେନ୍ଦ୍ରାପଡା ପୋଲିସର ବିଭିନ୍ନ ଅଧିକାରୀଙ୍କ କାର୍ଯ୍ୟଶୈଳି ଓ ଦକ୍ଷତାକୁ ନେଇ ଅନେକ ସମୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ନିଜ ଦାୟିତ୍ୱକୁ ସଠିକ ଭାବରେ ସମ୍ପାଦନ ନକରି ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଦୃର୍ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଜିଲ୍ଲାରେ ଆଇନଶୃଙ୍ଖଲା ପରିସ୍ଥିତି ଗୁରୁତ୍ତର ହେଉଥିବାରୁ ଏକ ଉଚ୍ଚ କ୍ଷମତା ସଂପନ୍ନ ଟିମ ଜରିଆରେ ତଦନ୍ତ କରାଯିବା ସହିତ ଜିଲ୍ଲାରେ ଥିବା ଅପାରଗ ପୋଲିସ ଅଧିକାରୀଙ୍କ ଜିଲ୍ଲାରୁ ବଦଳି କରାଯିବା ଆବଶ୍ୟକ। ଏଥିସହିତ ସାମ୍ବାଦିକଙ୍କୁ ଦୃର୍ବ୍ୟବହାର କରିଥିବା ଏସପିଙ୍କୁ ମଧ୍ୟ କେନ୍ଦ୍ରାପଡାରୁ ବଦଳି କରାଯିବା ସହିତ ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ନଚେତ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ପ୍ରତିବାଦ ସହ ପ୍ରଶାସନକୁ ଅସହଯୋଗ କରାଯିବ ବୋଲି ସଙ୍ଘ ଚେତାଇଦେଇଛି। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ଶର୍ମିଷ୍ଠା ମାହାଳିଙ୍କୁ ସାମ୍ବାଦିକ ସଙ୍ଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା।