ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ଧାମନଗର ଅଂଚଳରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସଆଇଆର) କାର୍ଯ୍ୟର ଡିଜିଟାଲାଇଜେସନରେ ଅବହେଳା ଓ ମନ୍ଥରଗତିକୁ ନେଇ ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। କାର୍ଯ୍ୟରେ ଅବହେଳା ଅଭିଯୋଗ ଯୋଗୁଁ ୮ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ)ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଧାମନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଅତିରିକ୍ତ ନିର୍ବାଚକ ପଂଚାୟତ ପଞ୍ଜୀକରଣ ଅଧିକାରୀଙ୍କ ପକ୍ଷରୁ ୫ ଜଣ ମହିଳା କର୍ମଚାରୀଙ୍କୁ ନୋଟିସ୍ ଜାରି କରାଯାଇଥିବା ବେଳେ ଧାମନଗର ତହସିଲଦାର ତଥା ଅତିରିକ୍ତ ନିର୍ବାଚକ ପଂଚାୟତ ପଞ୍ଜୀକରଣ ଅଧିକାରୀଙ୍କ ପକ୍ଷରୁ ଆଉ ୩ ଜଣ ବିଏଲଓଙ୍କୁ ନୋଟିସ୍ ଜାରି କରିଛନ୍ତି। ଧାମନଗର ବ୍ଲକ ପ୍ରଶାସନ ପକ୍ଷରୁ ବୁଥ୍ ସଂଖ୍ୟା ୧୩୪ର ପ୍ରତିଭା ଦାସ (୯୮୭ କାର୍ଯ୍ୟ ବାକି), ବୁଥ୍ ସଂଖ୍ୟା ୧୨୭ର ରେଣୁପ୍ରଭା ପଣ୍ଡା (୩୦୦ କାର୍ଯ୍ୟ ବାକି), ବୁଥ୍ ସଂଖ୍ୟା ୦୧ର ବାସନ୍ତୀ ସ୍ୱାଇଁ (୬୦୧ କାର୍ଯ୍ୟ ବାକି), ବୁଥ୍ ସଂଖ୍ୟା ୧୫ର ଶଶୀକଳା ଜେନା (୫୭୮ କାର୍ଯ୍ୟ ବାକି) ଓ ବୁଥ୍ ସଂଖ୍ୟା ୧୨୪ର ସୁଜାତା ବେହେରା (୪୭୦ କାର୍ଯ୍ୟ ବାକି)ଙ୍କୁ ନୋଟିସ୍ ଜାରି ହୋଇଛି। ସେହିପରି ତହସିଲ ପ୍ରଶାସନ ପକ୍ଷରୁ ବୁଥ୍ ସଂଖ୍ୟା ୨୧୯ର ଆରତୀ ସାହୁଙ୍କ ବିରୋଧରେ ୭୧୨ଟି ଫର୍ମ ବାକି ଥିବା ଏବଂ ମାତ୍ର ୪୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଥିବା, ବୁଥ୍ ସଂଖ୍ୟା ୨୦୯ର ମଞ୍ଜୁଲତା ପଣ୍ଡାଙ୍କ କ୍ଷେତ୍ରରେ ୫୦୩ଟି ଫର୍ମ ପେଣ୍ଡିଂ ରହି ୩୪.୭୬ ପ୍ରତିଶତ କାର୍ଯ୍ୟ ହୋଇଥିବା ଏବଂ ବୁଥ୍ ସଂଖ୍ୟା ୨୩୩ର ପ୍ରମିଳା ଦାସଙ୍କ କ୍ଷେତ୍ରରେ ୩୬୯ଟି ଫର୍ମ ବାକି ଥାଇ ୫୦.୬୭ ପ୍ରତିଶତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ହେତୁ କୈଫିୟତ ନୋଟିସ୍ ଜାରି କରାଯାଇଛି।ନୋଟିସ୍ ପାଇଥିବା ସମସ୍ତ ବିଏଲଓଙ୍କୁ ୩ ଦିନ ମଧ୍ୟରେ ବାକି କାର୍ଯ୍ୟ ସମ୍ପୂର୍ଣ୍ଣ କରି ସନ୍ତୋଷଜନକ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନଚେତ୍ ସେମାନଙ୍କ ବିରୋଧରେ ଦୃଢ଼ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ଲକ ଓ ତହସିଲ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି।