Odiapua.com

ଏଲଖା ମିରସାହିରେ ବ୍ରାଉନସୁଗାର ଜବତ ପ୍ରସଙ୍ଗ, ପୁଲିସ୍‌ର ସାମ୍ବାଦିକ ସମ୍ମିଳନୀ, ମହିଳାଙ୍କୁ କୋର୍ଟ ଚାଲାଣ

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶେଷରେ ଭଦ୍ରକ ସହରାଂଚଳ ଥାନା ଅଧୀନସ୍ଥ ଏଲଖା ମିରସାହିର ଏକ ଭଡାଘରୁ ଜବତ ହୋଇଥିବା ବ୍ରାଉନସୁଗାର ଓ ନଗଦ ଅର୍ଥ କାରବାରରେ ସଂପୃକ୍ତ ପୁରୁଣାବଜାର ଥାନା ଅଧୀନସ୍ଥ ମିର୍ଜାପୁର ନିବାସୀ ଅଲ୍ଲୀ ହୁସେନ ଖାଁଙ୍କ ପତ୍ନୀ କନିଜ ଫାତେମା (୪୦) କୁ ପୁଲିସ୍ ଗରିଫ କରି ଆଜି କୋର୍ଟ ଚାଲାଣ କରିଛି। ଏ ସଂପର୍କରେ ସହରାଂଚଳ ଥାନାରେ ଜିଲା ପୁଲିସ୍ ପ୍ରଶାସନ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦେଇଥିବା ସୂଚନା ଅନୁସାରେ ଜିଲା ଆରକ୍ଷୀ ଅଧୀକ୍ଷକ ମାଡକର ସନ୍ଦୀପ ସମ୍ପତ ଗୁଇନ୍ଦା ସୂତ୍ରରୁ ଖବର ପାଇ ଏଲଖା ଅଂଚଳର ମିରସାହିର ଭଡାଘର ଉପରେ ଚଢାଉ କରିଥିଲେ। ଏହି ଚଢାଉରେ ଭଦ୍ରକ ଗୁଇନ୍ଦା ବିଭାଗର ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀଙ୍କ ନେତୃତ୍ୱରେ ସହରାଂଚଳ ଥାନାଧିକାରୀ ଅଜୟ ସୁଦର୍ଶନ ବାଗେ, ଗ୍ରାମାଂଚଳ ଥାନାଧିକାରୀ ଅମିତାଭ ଦାସ ଓ ପୁରୁଣାବଜାର ଥାନାଧିକାରୀ ନିରୋଜ ସାମଲ ମାଜିଷ୍ଟ୍ରେଟ୍ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଂଟିଆ ପ୍ରମୁଖ ଉପସ୍ଥିତ ଥିଲେ। ଏବଂ ଉକ୍ତ ଘରୁ ୧୭.୨୫୦ ଗ୍ରାମ ବ୍ରାଉନସୁଗାର ସହ ନଗଦ ୩୦ ଲକ୍ଷ ୪୪ ହଜାର ୮୫୫ ଟଙ୍କା ଜବତ କରିଥିଲେ। ଏବଂ ସଂପୃକ୍ତ ମହିଳାଙ୍କ ମିର୍ଜାପୁର ନିଜସ୍ୱ ଘର ମଧ୍ୟ ରେଡ୍ ହୋଇ ଲକ୍ଷାଧିକ ଟଙ୍କା ଜବତ ହୋଇଥିଲା। ଏହି ଚଢାଉରେ ବ୍ରାଉନସୁଗାର ଗୁଡିକ ପ୍ଲାଷ୍ଟିକ୍ ପାଉଚରେ ରଖାଯାଇଥିଲା। ଏତଦ୍‌ବ୍ୟତୀତ ସେ ବ୍ୟବହାର କରୁଥିବା ୫ଟି ସ୍ମାର୍ଟ ଫୋନ୍ ଓ ୨ଟି ମଲ୍‌ଟି ମିଡିଆ ଫୋନ୍ ସହ ବିଭିନ୍ନ ବ୍ୟାଙ୍କର ବ୍ଲାଙ୍କ୍ ଚେକ୍ ଓ ଦସ୍ତଖତ ସହ ନନ୍ ଜୁଡିସିଆଲ ଷ୍ଟାମ୍ପ ପେପର, ରେଭିନ୍ୟୁ ପେପର ଜବତ ହୋଇଛି। ତେବେ ସହରାଂଚଳ ଥାନାର କେଶ୍ ନଂ ୭୮୨, ତା ୧୦.୧୨.୨୪ ରିଖ, ଦଫା ୨୧(ବି) ଏନ୍‌ଡିପିଏସ୍ ଆକ୍ଟ ମୂଳେ ସଂପୃକ୍ତ ମହିଳାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇ କୋର୍ଟ ଚାଲାଣ କରାଯାଇଥିଲେ ମଧ୍ୟ ଏହି ଘଟଣାରେ କେଉଁମାନେ ସଂପୃକ୍ତ ତାହାର ତଦନ୍ତ ଜାରି ରହିଛି।