Odiapua.com

ଏଲଆଣ୍ଡଟି କମ୍ପାନୀର ମନମ୍ମୁଖି କାର୍ଯ୍ୟ, ଜନସାଧାରଣରେ ଅସନ୍ତୋଷ ବୃଦ୍ଧି

ହରିଚନ୍ଦନପୁର,ତା ୨୯ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲାର ୫ଟି ବ୍ଲକରେ ମେଘା ଜଳ ଯୋଗାଣର କୋଟି କୋଟି ଟଙ୍କାର କାର୍ଯ୍ୟ ଭାର ନେଇଥିବା ଏଲଆଣ୍ଡଟି କମ୍ପାନୀର ମନମ୍ମୁଖି କାର୍ଯ୍ୟକୁ ନେଇ ଜନସାଧାରଣରେ ଅସନ୍ତୋଷର ଦାନା ବାନ୍ଧୁଛି । ଖବର ଅନୁଯାୟୀ ଏଲଆଣ୍ଡଟି କମ୍ପାନୀ ରେଙ୍ଗାଳୀ ଡ୍ୟାମରୁ ପାଇପ୍ ଯୋଗେ ତେଲକୋଇ, ବାଂଶପାଳ, ହରିଚନ୍ଦନପୁର, ଘଟଗାଁ, ପାଟଣା ବ୍ଲକର ସମସ୍ତ ଘର ଘରକୁ ପାନୀୟ ଜଳ ଯୋଗାଣର ଭାର ନେଇଛି ।‌ ଏଥିନିମନ୍ତେ ପ୍ରାୟତଃ ୧୧୦୦କୋଟିରୁ ଉର୍ଦ୍ଧ୍ବ ଟଙ୍କାର କାର୍ଯ୍ୟ ଭାର ଏହି କମ୍ପାନୀ ହାତକୁ ନେଇ ଦୀର୍ଘ ୧ବର୍ଷରୁ ଉର୍ଦ୍ଧ୍ବ ହେବ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଚାଲୁ ରଖିଛି । ସରକାରୀ ନିୟମ ଅନୁଯାୟୀ କମ୍ପାନୀ ପକ୍ଷରୁ ପ୍ରତ୍ୟେକ ଗାଁ ଗାଁରେ ପଲ୍ଲୀସଭା, ଜଙ୍ଗଲ ଓ ବିଭିନ୍ନ ରାସ୍ତା ବିଭାଗରୁ ଅନୁମତି ନେଇ କାର୍ଯ୍ୟ ଆରମ୍ଭ କରିବା କଥା । ହେଲେ କମ୍ପାନୀର କର୍ତ୍ତୃପକ୍ଷ ଅଧିକ ଲାଭବାନ ହେବା ଆଶାରେ ପଲ୍ଲୀସଭା, ଜଙ୍ଗଲ ଓ ରାସ୍ତା ବିଭିଗ ପକ୍ଷରୁ ଅନୁମତି ନନେଇ ମନମୁଖି ଭାବେ ରାତିଅଧିଆ ବେନୀୟମ ଭାବେ କାର୍ଯ୍ୟ ଚଳାଇଛି । ଯାହାକୁ ନେଇ ମୂଲ୍ୟବାନ ଜଙ୍ଗଲ, ବିଭିନ୍ନ ବିଭାଗର ରାସ୍ତା, ମାଟି ତଳେ ଯାଇଥିବା ଜଳ ଯୋଗାଣ ପାଇପ୍ ଓ କେବୁଲ୍ ଲାଇନ୍ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହେଉଥିବା ଅଭିଯୋଗ ହୋଇଛି । ଗତ କିଛି ଦିନ ପୂର୍ବରୁ ହରିଚନ୍ଦନପୁର ବ୍ଲକ ସୁନାପେଣ୍ଠ ଗ୍ରାମରେ ପଲ୍ଲୀସଭା, ଜଙ୍ଗଲ ଓ ପୃର୍ତ୍ତ ବିଭାଗ ରାସ୍ତାର ବିନା ଅନୁମତିରେ ମନମୁଖି ଭାବେ ଜଙ୍ଗଲ ଓ ରାସ୍ତା ନଷ୍ଟ କରି ରାତି ଅଧିଆ କାର୍ଯ୍ୟ କରିଥିଲା । ଯାହାକୁ ନେଇ ପୃର୍ତ୍ତ ବିଭାଗ ପକ୍ଷରୁ କମ୍ପାନୀ ବିରୁଦ୍ଧରେ ହରିଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏଥିସହ ବିଭିନ୍ନ ସ୍ଥାନରେ ଜଙ୍ଗଲ ବିଭାଗରୁ ଅନୁମତି ନନେଇ ଅନେକ ମୂଲ୍ୟବାନ ଜଙ୍ଗଲ ନଷ୍ଟ କରି ରାତି ଅଧିଆ କାର୍ଯ୍ୟ ସାରି ପଳେଇଯିବାକୁ ବସିଛି ଏହି କମ୍ପାନୀ । ଏହିଭଳି ଭାବେ ନୁଦୁରୁପଡା ଠାରୁ ପିଠାଗୋଳା ପୃର୍ତ୍ତବିଭାଗର ରାସ୍ତା ନଷ୍ଟ କରି ରାସ୍ତା ପାର୍ଶ୍ବର‌ ମାଟି ଖୋଳି ନିଜର ଜଳ ଯୋଗାଣ ପାଇପ୍ ଭର୍ତ୍ତି କରିବାକୁ ଯୋଜନା ଜାରି ରଖିଥିଲା । ବିଭାଗୀୟ ଅଧିକାରୀଙ୍କ ପାଖରେ ଘଟଣା ସମ୍ପର୍କରେ ଅଭିଯୋଗ ହେବା ପରେ ବିଭାଗ ପକ୍ଷରୁ କାର୍ଯ୍ୟ ବନ୍ଦ କରାଯିବା ସହ ଖୋଳାଯାଇଥିବା ସ୍ଥାନ ଗୁଡିକରେ ମାଟିକୁ ଠିକ୍ ଭାବେ ସମତଳ କରି ରୋଲର ଚଳାଇବା କୁ କଡ଼ା ନିର୍ଦ୍ଦେଶ ରହିଥିବା ବିଭାଗ ପକ୍ଷରୁ ସୂଚନା ରହିଛି । ହେଲେ କମ୍ପାନୀ କର୍ତ୍ତୃପକ୍ଷ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶକୁ ବେଖାତିର କରି ପୁଣି ଥରେ ରାତିଅଧିଆ କାର୍ଯ୍ୟ ଜାରି ରଖିଥିବାକୁ ନେଇ ଜନସାଧାରଣରେ ଅସନ୍ତୋଷର ଦାନା ବାନ୍ଧୁଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଓ ଜନସାଧାରଣରେ ଦାବି ହୋଇଛି ।