Odiapua.com

ଏଲଆଇସି ଏଜେଣ୍ଟ ପ୍ରଶିକ୍ଷଣ ଶିବିର

ବାଲେଶ୍ୱର, ୯ା୩(ଓଡ଼ିଆ ପୁଅ/ଅଭୟ ଦାସ): ଜୀବନ ବୀମା ନିଗମ ବାଲେଶ୍ୱର ଶାଖା ପକ୍ଷରୁ ୟୁନିଟସ୍ତରୀୟ ଅଭିକର୍ତ୍ତା ପ୍ରଶିକ୍ଷଣ ଶିବିର ସ୍ଥାନୀୟ କଳିଙ୍ଗ ହୋଟେଲ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଟ ଉନ୍ନୟନ ଅଧିକାରୀ ରାଜକୃଷ୍ଣ ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ବାଲେଶ୍ୱର ଶାଖା ମୁଖ୍ୟ ପ୍ରବନ୍ଧକ ମୃଣ୍ମୟ କୁମାର ଚକ୍ରବର୍ତ୍ତୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କର୍ତ୍ତବ୍ୟନିଷ୍ଠ ଭାବେ କାର୍ଯ୍ୟ କରିବା ସହ ଜନସାଧାରଣଙ୍କ ବିଶ୍ୱାସଭାଜନ ହେବାକୁ ସେ ଉପସ୍ଥିତ ଏଜେଣ୍ଟମାନଙ୍କୁ ପରାମର୍ଶ ଦେଇଥିଲେ। ଶାଖା ପରିଚାଳକ ପ୍ରଶାନ୍ତ କୁମାର ଦଳେଇ, ସହକାରୀ ଶାଖା ପରିଚାଳକ ରଶ୍ମିକାନ୍ତ ମହାନ୍ତି ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏଲଆଇସିର ବିଭିନ୍ନ ଜନହୀତକର ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଉଲେଖନୀୟ କାର୍ଯ୍ୟଧାରା ଓ ସଫଳତା ପାଇଁ ଏହି ଶିବିରରେ ୧୦ଜଣ ଶ୍ରେଷ୍ଠ ଅଭିକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଦାନନ୍ଦ ପାଣିଗ୍ରାହୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।