Odiapua.com

ଏମ୍‌ଏସ୍‌ପି ଗ୍ୟାରେଣ୍ଟିଯୁକ୍ତ ଆଇନ୍ ପ୍ରଣୟନ ଦାବି, ଓଡ଼ିଶା କୃଷକ ସଭା ଓ ଓଡ଼ିଶା କ୍ଷେତ ମଜଦୁର ୟୁନିୟନର ମିଳିତ ବୈଠକ

ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାଷୀ ବିରୋଧୀ ୩ଟି କଳା କୃଷି ଆଇନ୍‌କୁ କେନ୍ଦ୍ର ସରକାର ବାତିଲ କରିଥିବାବେଳେ ସମସ୍ତ କୃଷି ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଯୁକ୍ତ ଆଇନ୍ ପ୍ରଣୟନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ହେଁ ଏପର୍ଯ୍ୟନ୍ତ କୌଣସି ପ୍ରକ୍ରିୟା ଆରମ୍ଭ କରିନାହାଁନ୍ତି। ଏହା ଆମ ଦେଶର ଚାଷୀକୂଳ ପାଇଁ ଏକ ପତାରଣା ପୂର୍ଣ୍ଣ ବିଷୟ ଅଟେ। ଭାଗଚାଷୀ ଓ କ୍ଷେତ ମଜଦୁର ମାନଙ୍କ ସାମାଜିକ ନିରାପତ୍ତା ପାଇଁ ସଂସଦରେ କୌଣସି ଆଇନ୍ ଏପର୍ଯ୍ୟନ୍ତ ଆସିଲା ନାହିଁ। ଚାଷୀଙ୍କ ଉତ୍ପାଦିତ ଫସଲର ଉଚିତ୍ ମୂଲ୍ୟ ପ୍ରଦାନ ପାଇଁ ତୁରନ୍ତ ଏମ୍‌ଏସ୍‌ପି ଯୁକ୍ତ ଆଇନ୍ ପ୍ରଣୟନ କରିବା, ଭାଗଚାଷୀ ଓ କ୍ଷେତ ମଜଦୁର ମାନଙ୍କ ସାମାଜିକ ନିରାପତ୍ତା ପାଇଁ ସଂସଦରେ ଆଇନ୍ ଆଣିବା, ଏମ୍‌ଜି ଏନ୍‌ଆରଜିଏସ୍‌ରେ ବର୍ଷକୁ ୨୦୦ ଦିନର କାମ ଓ ଦୈନିକ ୬୦୦ ଟଙ୍କା ମଜୁରୀ ପ୍ରଦାନ, ଅତ୍ୟାବଶ୍ୟକ ସାମଗ୍ରୀର ଦର ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦିଷ୍ଟ ଯୋଜନା ଗ୍ରହଣ କରିବା, ସମସ୍ତ ପେଟ୍ରୋଲିୟମ୍ ଜାତ ଦ୍ରବ୍ୟର କେନ୍ଦ୍ରୀୟ ଟିକସ ତୁରନ୍ତ କମାଇବା ଆଦି ଦାବି ନେଇ ଓଡ଼ିଶା କୃଷକ ସଭା ଓ ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ମିଳିତ ବୈଂକ ଭଦ୍ରକ ବାଲଗୋପାଳ ମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ରାଜ୍ୟ ଉପସଭାପତି ନିର୍ମଳ ନାୟକ, ଜିଲା ସଭାପତି ପ୍ରଫୁଲ୍ଲ ପାଢୀ, ଓଡ଼ିଶା କୃଷକ ସଭା ଜିଲା ସଭାପତି ଚନ୍ଦ୍ରଶେଖର ନାୟକ, ସଂପାଦକ ପ୍ରଭାସ ମହାପାତ୍ର, ଯୁଗ୍ମ ସଂପାଦକ ବିକାଶ ନାଥ, ଚାଷୀ ନେତା ନାରାୟଣ ଦାଶ, ବିଷ୍ଣୁ ଦାଶ, ବାଦଲ ଦାସ, ଫକୀର ସ୍ୱାଇଁ, ଅଭିରାମ ବଳ, ଗଂଗାଧର ମହାଳିକ, ଅଶୋକ ବେହେରା, ପିତାମ୍ବର ମଳିକ, କୀର୍ତ୍ତନ ବିଶ୍ୱାଳ, ଘନଶ୍ୟାମ ଦାସ, ଛାତ୍ରନେତା ଷ୍ଟାଲିନ ଟିଟନ ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ। ଏମ୍‌ଏସ୍‌ପି ଗ୍ୟାରେଣ୍ଟିଯୁକ୍ତ ଆଇନ୍ ପ୍ରଣୟନ ନହେଲେ ବିଗତ ଦିନରେ ପ୍ରତ୍ୟାହାର ହୋଇଥିବା ଐତିହାସିକ ଚାଷୀ ଆନ୍ଦୋଳନ ଆଗାମୀ ଦିନରେ ପୁନଃ ଆରମ୍ଭ ହେବାକୁ ଥିବାବେଳେ ସେହି ଆନ୍ଦୋଳନକୁ ଭଦ୍ରକ ଜିଲାରେ କିପରି ଆରମ୍ଭ କରାଯିବ, ବୈଠକରେ ସେ ସଂପର୍କରେ ନିର୍ଦ୍ଦିଷ୍ଟ ରଣକୌଶଳ ଗ୍ରହଣ କରାଯାଇଛି। ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ୍ ରଦ୍ଦ କରିବା ଦାବି କରି ଆସନ୍ତା ମଇ ୧ ତାରିଖ ଆନ୍ତର୍ଜାତୀୟ ଶ୍ରମିକ ଦିବସରେ ଶ୍ରମିକମାନଙ୍କ ସହ ମିଶି ଜିଲା ତମାମ୍ ଲାଲ ପତାକା ଉତ୍ତୋଳନ, ସଭା ସମିତିରେ ସାମିଲ ହେବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି।