Odiapua.com

ଏମିତିବି ମରଣ ଆସେ: ଗୋଟିଏ ଜୁଇରେ ସାତ ଜନମର ସାଥୀ

ନୟାଗଡ଼, ୮ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ମୃତ୍ୟୁ କେତେବେଳେ କେମିତି ଆସେ କେହି କେବେବି ଜାଣି ପାରିନଥିଲାବେଳେ ବେଳେବେଳେ ଏମିତିବି ମରଣ ଆସିବାକୁ ଏହା ସାତ ଜନମର ପବିତ୍ର ବନ୍ଧନର ସାଥୀ ବୋଲି ସବୁରି ମୁହଁରେ ଆଲୋଚନା ହେଉଛି। ସ୍ୱାମୀର ମୃତ୍ୟୁ ଦେଖି ସ୍ତ୍ରୀର ମୃତ୍ୟୁ ଘଟିବାକୁ ନେଇ ଶୋକାକୂଳ ପରିସ୍ଥିତି ସୃଷ୍ଟିକରିଛି। ଘଟଣା ଘଟିଛି ଇଟାମାଟି ଥାନା ଅନ୍ତର୍ଗତ ବାଉଁଶିଆପଡ଼ା ଗାଁରେ। ବାଉଁଶିଆପଡ଼ା ଗାଁର ଅଇଁଠା ନାୟକଙ୍କ ସ୍ତ୍ରୀ ଶୁକୁରି ଅସୁସ୍ଥତା ନେଇ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ଡାକ୍ତରଖାନାରେ ନିଜ ଦେହ ଡାକ୍ତରଙ୍କୁ ଦେଖାଉ ଦେଖାଉ ଖବର ପାଇଲେ ସ୍ୱାମୀଙ୍କର ମୃତ୍ୟୁ ହେଇଛି। ନିଜ ଦେହ ଆଉ ଦେଖାଇବେ କ’ଣ କାନ୍ଦି କାନ୍ଦି ଘରକୁ ଫେରି ପହଂଚିଥିଲେ ସ୍ୱାମୀଙ୍କ ମୃତ ଦେହ ପାଖରେ। କ’ଣ କଲ ତୁମେ କହି ଲୋଟି ପଡ଼ିଥିଲେ ଶୁକୁରୀ ସ୍ୱାମୀଙ୍କ ମୃତଦେହ ଉପରେ। ସେତେବେଳକୁ ଅତ୍ମୀୟ ପରିଜନମାନେ କାନ୍ଦ ବୋବାଳୀ କରୁଥିଲାବେଳେ ଶୁକୁରୀଙ୍କୁ ଉଠାଇଲାବେଳକୁ ଶୁକୁରୀ ଆଉ ନଥିଲେ। ସ୍ୱାମୀଙ୍କ ମୃତଦେହ ଉପରେ ସ୍ତ୍ରୀ ଶୁକୁରୀଙ୍କ ଦେହ ନୀରବ ପାଲଟି ଯାଇଥିଲା। ସ୍ତବ୍ଧ ହୋଇଯାଇଥିଲା ପରିବେଶ। ନିମିଷକେ ମଧ୍ୟରେ ବାଉଁଶିଆପଡ଼ା ଗାଁ ରେ ଶୋକକୂଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗାଁ ମଶାଣିରେ ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ ଗୋଟିଏ ଜୁଇରେ ଦାହ କରାଯାଇଥିଲା। ବାଉଁଶିଆପଡ଼ା ଗାଁ ଯେମିତି ସତେ ଏମିତି ଜୀବନସାଥୀକୁ ହରାଇ ଖାଁ ଖାଁ ହୋଇପଡ଼ିଥିଲା। କେବଳ ସବୁରୀ ମୁହଁରେ ଯାହା ଶୁଣାଯାଇଥିଲା ଏମିତି ସାତ ଜନମର ଜୀବନସାଥୀ କୋଉଠି ମିଳିବେନି !