ମାଲକାନଗିରି, ୧୩ା୪ (ଓଡିଆ ପୁଅ ) କାଲିମେଳା ବ୍ଲକସ୍ଥ ଏମପିଭି ୬୫ଗ୍ରାମର ୨୫୪ ନମ୍ବର ବୁଥ ଜବର ଦଖଲ, ଇଭିଏମ ଭଙ୍ଗାରୁଜା ଓ ପୁଲିଂ ପାର୍ଟିଙ୍କୁ ମାଡମାରିବା ସଂପର୍କରେ ପୁଲିସ ଓ ଜିଲ୍ଲା ପ୍ରଶାସନିକ ସ୍ତରରେ ତଦନ୍ତ ଚାଲିଛି। ଅନ୍ୟପକ୍ଷରେ ଏହି ବୁଥରେ ସାନି ନିର୍ବାଚନ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନରଙ୍କ ଠାରୁ ଅନୁମତି ଲୋଡିଛନ୍ତି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମନୀଷ ଅଗ୍ରୱାଲ। ଗତ ୧୧ ତାରିଖ ଦିନ ନିର୍ବାଚନ ସରିବାପରେ ଏହି ବୁଥରେ ଇଭିଏମ ମେସିନ ଟାମ୍ପରିଂ କରିବା ଅଭିଯୋଗ କରି ଗ୍ରାମବାସୀ ମାନେ ପୁଲିଂ ପାର୍ଟିଙ୍କୁ ମାଡଦେଇ ଇଭିଏମ ମେସିନ ଭଙ୍ଗାରୁଜା କରି ପୁଲିଂ ପାର୍ଟିଙ୍କୁ ବୁଥରେ ଅଟକ ରଖିଥିଲେ।ଏ ସଂପର୍କରେ ଜାଣିବାପରେ ଏମଭି ୭୯ ଥାନା ଆଇଆଇସି ମମତା ପାଣିଗ୍ରାହୀ ପୁଲିସ ସଦଳ ବଳେ ପହଁଚି ଅଟକ ଥିବା ପୁଲିଂ ପାର୍ଟିଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା, ଦକ୍ଷିଣାଞ୍ଚଳ ଡିଆଇଜି ହିମାଂଶୁ ଲାଲ, ଏସପି ଜଗମୋହନ ମୀନା, ଅତିରିକ୍ତ ଏସପି ଉଦ୍ଧବ ଚରଣ ନାୟକ ପ୍ରମୁଖ ଅଧିକାରୀ ଘଟଣା ସ୍ଥଳରେ ପହଁଚି ଗ୍ରାମବାସୀଙ୍କ ସହିତ ଆଲୋଚନା ସହ ଘଟଣାର ତଦନ୍ତ କରିଥିଲେ। ଅପର ପକ୍ଷରେ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ସ୍ପଷ୍ଟ କରିଛନ୍ତି ଯେ ଏହି ବୁଥରେ ଭୋଟ ଟାମ୍ପରିଂ କରାଯାଇନାହିଁ କି ପୁଲିଂ ପାର୍ଟିଙ୍କର କିଛି ଦୋଷନାହିଁ, କୌଣିସ ଏକ ଅଭିଯୋଗ ପାଇବାପରେ ଗ୍ରାମବାସୀ ମାନେ ଉତ୍ୟକ୍ତ ହୋଇ ବୁଥ ଭିତରକୁ ପ୍ରବେଶ କରି ପୁଲିଂ ପାର୍ଟିଙ୍କୁ ମାଡ ମାରି ଇଭିଏମ ମେସିନ ଭଙ୍ଗାରୁଜା କରିଥିଲେ। ଇଭିଏମ, ଭିଭିପାଟ ମେସିନ ଭାଙ୍ଗିଯାଇ ଥିବାରୁ ନିର୍ବାଚନ ଅବଜର୍ଭରଙ୍କ ନିର୍ଦ୍ଦେଶକ୍ରମେ ଏହି ବୁଥରେ ସାନି ନିର୍ବାଚନ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନରଙ୍କ ନିକଟରୁ ଅନୁମତି ମଗା ଯାଇଛି, ନିର୍ବାଚନ କମିଶନରଙ୍କ ନିକଟରୁ ଅନୁମତି ମିଳିବାପରେ ପରବର୍ତି ପଦକ୍ଷେପ ନିଆଯାଇ ନିର୍ବାଚନ ତାରିଖ ନିର୍ଦ୍ଧାରଣ କରାଯିବ। ଅନ୍ୟ ପକ୍ଷରେ ବୁଥ ଜବରଦଖଲ, ଇଭିଏମ ମେସିନ ଭଙ୍ଗାରୁଜା, ପୁଲିଂପାର୍ଟିଙ୍କୁ ମାଡମାରିବା ଘଟଣାରେ ସଂପୃକ୍ତ ଥିବା ସେହିଗ୍ରାମର ୫୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ନାମରେ ଥାନାରେ କେସ ରୁଜୁ କରାଯାଇ ତଦନ୍ତ ଚାଲିଛି ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ବାଲ କହିଛନ୍ତି।