Odiapua.com

ଏବେ ସିଧାସଳଖ ପିଏମ କିଷାନ ନୀଧି ଯୋଜନା ସହ ଯୋଡ଼ି ହେବେ ଚାଷୀ

ଭୁବନେଶ୍ଵର,୨୮/୦୯,(ଓଡ଼ିଆ ପୁଅ ପି ନାଏକ): ରାଜ୍ୟ ସରକାର କିମ୍ବା କୌଣସି ଏଜେନ୍ସିଙ୍କ ବିନା ସହାୟତାରେ ଚାଷୀମାନେ ସିଧାସଳଖ କେନ୍ଦ୍ର ସରକାରଙ୍କ ପିଏମ-କିଷାନ ନିଧି ଯୋଜନାରେ ନିଜକୁ ସାମିଲ କରି ପାରିବେ। ପିଏମ କିଷାନ ନିଧି ଓ୍ବେବସାଇଟ http:/www.pmkishan.gov.in ଜରିଆରେ ଚାଷୀମାନେ ନିଜକୁ ପଞ୍ଜୀକୃତ କରିପାରିବେ। ପିଏମ-କିଷାନ ଯୋଜନାକୁ ପଶ୍ଚିମବଙ୍ଗ ସରକାର କାର୍ଯ୍ୟକାରୀ କରି ନ ଥିବାବେଳେ ଓଡ଼ିଶା ସରକାର ଚାଷୀଙ୍କ ତାଲିକା ଦେବାରେ ବିଳମ୍ବ କରୁଥିବାରୁ କେନ୍ଦ୍ର ସରକାର ଚାଷୀମାନଙ୍କୁ ଏଭଳି ସୁବିଧା ଦେଇଛନ୍ତି। ଯୋଜନାକୁ ନେଇ କେନ୍ଦ୍ର ଓ କେତେକ ରାଜ୍ୟ ସରକାରଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଛି। ଯୋଜନାର ଫାଇଦା ସବୁ ଚାଷୀଙ୍କ ନିକଟରେ ପହଞ୍ଚାଇବାକୁ କେନ୍ଦ୍ର ସରକାର ଏଭଳି ବ୍ୟବସ୍ଥା କରିଥିବା କୁହାଯାଉଛି। କେନ୍ଦ୍ର ସରକାର କିଷାନ ନିଧି ଯୋଜନାର ପୋର୍ଟାଲ ଜରିଆରେ ଚାଷୀ ନିଜକୁ ଅନଲାଇନ ପଞ୍ଜୀକୃତ କରିପାରିବେ। ତେବେ ପଞ୍ଜୀକରଣ ବେଳେ ଚାଷୀମାନେ ଆଧାର, ବ୍ୟାଙ୍କ ଆକାଉଣ୍ଟ ଏବଂ ଚାଷ ଜମିର ପଟ୍ଟା ଆଦିକୁ ଦେଇ ନାମ ପଞ୍ଜୀକରଣ କରିପାରିବେ। ନାମ ପଞ୍ଜୀକୃତ ହେବା ପରେ କେନ୍ଦ୍ର ସରକାର ସେଗୁଡିକୁ ଯାଞ୍ଚ କରିବେ। ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ତୁରନ୍ତ ବୈଧ ପଞ୍ଜୀକୃତ ଚାଷୀଙ୍କ ଆକାଉଣ୍ଟକୁ ସମସ୍ତ ଅର୍ଥ ତୁରନ୍ତ ପଠାଇ ଦିଆଯିବ। ନାମ ପଞ୍ଜୀକୃତ ହେବା ପରେ ରାଜ୍ୟ ସରକାର ସେହି ତାଲିକାକୁ ଯାଞ୍ଚ କରିବେ। ଏହା ପରେ କୃଷକଙ୍କ ଆକାଉଣ୍ଟକୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି କୃଷି ବିଭାଗ ସଚିବ ସୌରଭ ଗର୍ଗ କହିଛନ୍ତି। ଚାଷୀମାନେ ନିଜର ଆକାଉଣ୍ଟକୁ ସହାୟତା ରାଶି ଆସିଛି କି ନାହିଁ ତାହା ମଧ୍ୟ ଉକ୍ତ ୱେବସାଇଟରୁ ଜାଣିପାରିବେ।