Odiapua.com

ଏବେବି ଚାଲିଛି ବଜ୍ରକୋଟରେ କଙ୍ଗାରୁ କୋର୍ଟ

ନୟାଗଡ/୦୬/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ରାଜ୍ୟ ସରକାର କଙ୍ଗାରୁ କୋର୍ଟ ଉଛେଦ ପାଇଁ ଯେତେ ନିୟମ, କାନୁନ୍ ଓ ଆଇନ୍ ପ୍ରଣୟନ କଲେ ମଧ୍ୟ କଙ୍ଗାରୁ କୋର୍ଟ ହଟାଇବାରେ ରାଜ୍ୟ ସରକାର ବିଫଳ। ସେହିଭଳି ଏକ କଙ୍ଗାରୁ କୋର୍ଟ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ଥାନା ବଜ୍ରକୋଟ ଗ୍ରାମପଂଚାୟତ କ୍ଷେତ୍ରିବରପୁର ଗ୍ରାମରେ। କଙ୍ଗାରୁ କୋର୍ଟର ଶିକାର ହୋଇଛନ୍ତି ବଜ୍ରକୋଟ ଗ୍ରାମପଂଚାୟତ କ୍ଷେତ୍ରିବରପୁର ଗ୍ରାମର ଭଗବାନ ଦଳେଇଙ୍କ ପରିବାର। ଗ୍ରାମରେ ସରକାରୀ ଯାଗା ଜବର ଦଖଲକୁ ନେଇ ଉତ୍ତେଜନା ଲାଗି ରହିଛି। ଗ୍ରାମବାସୀଙ୍କର କଙ୍ଗାରୁ କୋର୍ଟ ନିଷ୍ପତି ଅନୁଯାୟୀ ଭଗବାନ ଦଳେଇଙ୍କ ଘର ଭାଙ୍ଗିଦେବା ପରେ ଶୀତଦିନେ ଗଛ ତଳେ ଖଣ୍ଡିଆ ପାଲଟାଣି ଆଶ୍ରୟ ନେଇଥିବା ଜଣା ପଡିଛି ଏବଂ ଭଗବାନଙ୍କ ଘରୁ ୭ ହଜାର ଟଙ୍କା ଓ ଚାଉଳ ଗହମ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଗ୍ରାମରେ ଏକ ରାସ୍ତା କାର୍ଯ୍ୟ ପାଇଁ ମାପଚୁପ ଆରମ୍ଭ ହୋଇ ଏହିଭଳି କଙ୍ଗାରୁ କୋର୍ଟ ବସିଥିବା ଜଣା ପଡିଛି ଏବଂ ଭଗବାନ ଦଳେଇଙ୍କୁ ଗ୍ରାମରୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କେ ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ସେହି ଗ୍ରାମରେ ଅନେକ ଦିନ ହେଲା ସରକାରୀ ଯାଗା ଜବର ଦଖଲକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଛି। ସେଥିପାଇଁ ୧୦୭ ମାମଲା ଋଜୁ ହେବା ସହ ଉଭୟ ଗୋଷ୍ଠୀରୁ ୨ଟି ମାମଲା ଋଜୁ ହୋଇଅଛି। ଏଥିସହ ୧୪୪ଧାରା ଜାରି କରିବା ପାଇଁ ଜଣେ ଏ.ଏସ.ଆଇ ଓ ସମ୍ପୃକ୍ତ ଅଂଚଳର ଆର.ଆଇଙ୍କୁ ଅନୁଧ୍ୟାନ ପାଇଁ ପଠାଯାଇଅଛି। ଅପରପକ୍ଷେଙ୍କ ଅଭିଯୋଗ ଅନୁଯାୟୀ ଭଗବାନ ଦଳେଇ ଗ୍ରାମରେ ମଦ ବେପାର କରୁଥିବା ଯୋଗୁଁ ଗ୍ରାମବାସୀ ମାନେ ମଦ ଦୋକାନ ବନ୍ଦ କରିବା ପାଇଁ ଘର ଭାଙ୍ଗିଥିବା କହିଛନ୍ତି। ବଜ୍ରକୋଟ ଗ୍ରାମପଂଚାୟତ ଅଂଚଳରେ ଏହି ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି। ଗାଁ ଗାଁରୁ କଙ୍ଗାରୁ କୋର୍ଟ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ବୁଦ୍ଧିଜିବୀ ମାନେ ଅନୁରୋଧ କରିଛନ୍ତି।