Odiapua.com

ଏବିଭିପି ଭଦ୍ରକ ଜିଲ୍ଲା ସମିତି ଗଠିତ, ସ୍ୱାଧୀନ ଦାସ ଜିଲ୍ଲା ପ୍ରମୁଖ, ଜ୍ୟୋତି ସାହୁ ହେଲେ ଜିଲ୍ଲା ସଂଯୋଜକ

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶା ପ୍ରଦେଶର ପ୍ରାନ୍ତ ଅଭ୍ୟାସ ବର୍ଗ- ୨ରେ ଶିକ୍ଷାବର୍ଷ ୨୦୨୩- ୨୪ ପାଇଁ ଏବିଭିପି ଭଦ୍ରକ ଜିଲ୍ଲା ସମିତି ଘୋଷଣା କରାଯାଇଛି । ବାଲେଶ୍ୱରଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଅଧ୍ୟାପିକା ଗାର୍ଗୀ ବାନାର୍ଜୀଙ୍କ ଅନୁମୋଦନ କ୍ରମେ ଉପସଭାପତି ସଞ୍ଜୟ ମହାନ୍ତି ବିଭିନ୍ନ ସାଙ୍ଗଠନିକ ବିଭାଗ ଏବଂ ଜିଲ୍ଲା ସମିତି ଘୋଷଣା କରିଛନ୍ତି । ଏହି କ୍ରମରେ ଭଦ୍ରକ ଜିଲ୍ଲା ପ୍ରମୁଖ ଭାବେ ସୁସଂଗଠକ ସ୍ୱାଧୀନ ସୁନ୍ଦର ଦାସ, ସହପ୍ରମୁଖ ଶିକ୍ଷାବିତ୍ ପୁରୁଷୋତ୍ତମ ବେହେରା, ଜିଲ୍ଲା ସଂଯୋଜକ ଛାତ୍ରନେତା ଜ୍ୟୋତି ପ୍ରକାଶ ସାହୁ, ସହସଂଯୋଜକ ଛାତ୍ରନେତା ଅରବିନ୍ଦ ଷଡ଼ଙ୍ଗୀ, ଅନ୍ୟତମ ଜିଲ୍ଲା ସହସଂଯୋଜିକା ଛାତ୍ରୀନେତ୍ରୀ ମମତା ମହାକୁଡ଼, ଭଦ୍ରକ ନଗର ସଂଗଠନ ସମ୍ପାଦକ ଭାବେ କଳାହାଣ୍ଡିର ଛାତ୍ର ନେତା ପୁରୁଷୋତ୍ତମ ବିଶିଙ୍କୁ ମନୋନୀତ କରାଯାଇଛି ।

ଠିକ୍ ସେମିତି ବାଲେଶ୍ୱର ବିଭାଗ ସମିତି ପାଇଁ ଭଦ୍ରକ ଜିଲ୍ଲାରୁ ବିଭାଗ ପ୍ରମୁଖ ଭାବେ ଅଧ୍ୟାପକ ରମେଶ ଚନ୍ଦ୍ର ବେହେରା, ସହ ସଂଯୋଜକ ବିଶ୍ୱନାଥ ସୋନୁ ଲାହା, ରାଷ୍ଟ୍ରୀୟ କଳାମଞ୍ଚ ପ୍ରମୁଖ ସୁଶ୍ରୀ ପ୍ରିୟଙ୍କା ଦାଶ, ସହଛାତ୍ରୀ ପ୍ରମୁଖ ଭଦ୍ରକ ମହିଳା ମହାବିଦ୍ୟାଳୟର ଛାତ୍ରୀ ପାର୍ବତୀ ମିଶ୍ର ସାଙ୍ଗଠନିକ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ନୂତନ ସମିତି ଘୋଷଣା ପରେ ବିଦ୍ୟାର୍ଥୀ ପରିଷଦ ଭଦ୍ରକ ଜିଲ୍ଲାରେ କାର୍ଯ୍ୟକର୍ତ୍ତାଙ୍କ ମହଲରେ ଆନନ୍ଦ ଓ ଉତ୍ସାହ ବୃଦ୍ଧି ପାଇଛି । ନୂତନ ମନୋନୀତ ଜିଲ୍ଲା ପ୍ରମୁଖ ଶ୍ରୀ ଦାସ ଏବଂ ଜିଲ୍ଲା ସଂଯୋଜକ ଶ୍ରୀ ସାହୁ ରାଜ୍ୟ ସଭାପତି ଶ୍ରୀମତୀ ବାନାର୍ଜୀ, ରାଜ୍ୟ ସଂଗଠନ ସମ୍ପାଦକ ବୈଲୋଚନ ସାହୁ ଏବଂ ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ପରବର୍ତ୍ତୀ ସମୟରେ ଜିଲ୍ଲା ଅଭ୍ୟାସ ବର୍ଗରେ ଜିଲ୍ଲା କ୍ଷେତ୍ରରେ ପାରଦର୍ଶି ଛାତ୍ରନେତାଙ୍କୁ ଜିଲ୍ଲା ସମିତିରେ ନିଆଯିବ ବୋଲି ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ ପ୍ରକାଶ କରିବା ସହ ଆଗାମୀ ଦିନରେ ବିଦ୍ୟାର୍ଥୀ ପରିଷଦକୁ ଜିଲ୍ଲାରେ ଆହୁରି ଶକ୍ତିଶାଳୀ କରାଯିବ ଏବଂ ଛାତ୍ରଛାତ୍ରୀଙ୍କ ଅଧିକାର ପାଇଁ ଲଢ଼େଇ କରାଯିବ ବୋଲି ପ୍ରକାଶ କରିଛନ୍ତି । ଚଳିତ ବର୍ଷ ଜିଲ୍ଲାରେ ୧୦ ହଜାର ଛାତ୍ରଛାତ୍ରୀଙ୍କୁ ସଦସ୍ୟତା କରାଯିବା ସହ ଜିଲ୍ଲାର ଶିକ୍ଷା ଓ ସାମାଜିକ କ୍ଷେତ୍ରର ବିଭିନ୍ନ ସମସ୍ୟା ବିରୁଦ୍ଧରେ ଏକ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ସଂଯୋଜକ ଜ୍ୟୋତି ସାହୁ ପ୍ରକାଶ କରିଛନ୍ତି ।