ଭଦ୍ରକ, ୧୪ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଶାଖା ପକ୍ଷରୁ ଏକ ଭବ୍ୟ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅଖଣ୍ଡ ଭାରତ ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ପ୍ରାୟ ୫୦୦ ଜଣ ଛାତ୍ରଛାତ୍ରୀ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ୧୦୮ ଦୀପ ଜାଳି ଅଖଣ୍ଡ ଭାରତ ଗଠନ ପାଇଁ ସମସ୍ତେ ଦୃଢ଼ ସଂକଳ୍ପ ନେଇଥିଲେ। ଏହାପରେ ହାତରେ ଜାତୀୟ ପତାକା ଧରି ଛାତ୍ରଛାତ୍ରୀମାନେ ତ୍ରିରଙ୍ଗା ଯାତ୍ରା କରି ଦେଶପ୍ରେମର ବାର୍ତା ଦେଇଥିଲେ। ଏହି ଅବସରରେ ଏବିଭିପିର ଜିଲ୍ଲା ସଂଯୋଜକ ଓମକାର ମହାନ୍ତି ଛାତ୍ରଛାତ୍ରୀମାନଙ୍କୁ ଉଦ୍ୱୋଧନ ଦେଇ କହିଥିଲେ ଯେ, ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପ୍ରତ୍ୟେକ ଯୁବକଙ୍କର ମୁଖ୍ୟ ଦାୟିତ୍ୱ। ରାଷ୍ଟ୍ର ପ୍ରତି ସମର୍ପଣ ଭାବ ରଖି ଆଗକୁ ବଢ଼ିବା ପାଇଁ ସେ ଆହ୍ୱାନ ଜଣାଇଥିଲେ। ଛାତ୍ରଛାତ୍ରୀଙ୍କ ମନରେ ଦେଶପ୍ରେମ ଏବଂ ରାଷ୍ଟ୍ରୀୟ ଚେତନା ଜାଗ୍ରତ କରିବା ପାଇଁ ଏବିଭିପି ପକ୍ଷରୁ ଆଗକୁ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି କୁହାଯାଇଛି। କାର୍ଯ୍ୟକ୍ରମରେ ପ୍ରାନ୍ତ ଏସଏଫଡି ସହ ସଂଯୋଜକ ଗୌରାଙ୍ଗ ବଳ, ନଗର ସମ୍ପାଦକ କାହ୍ନା ଜେନା, ନଗର ସହ-ସମ୍ପାଦକ ଶୁଭମ ପାଢ଼ୀ, ଅଭିଷେକ ଦାସ, କ୍ୟାମ୍ପସ ୟୁନିଟ୍ ସମ୍ପାଦକ ଦିବ୍ୟରଞ୍ଜନ ଦାସଙ୍କ ସମେତ ବିଭୂତି ମଲ୍ଲିକ, ବିଶ୍ୱପ୍ରତାପ ମହାରଣା, ପ୍ରିୟବ୍ରତ ସାହୁ, ଶୁଭଙ୍କର ସ୍ୱାଇଁ, ରୁବି ପଣ୍ଡା, ପ୍ରାଚୀ ଦାସ, ସୁସ୍ମିତା ମଲ୍ଲିକ ଓ ସୁଭାସ୍ମିତା ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।