Odiapua.com

ଏବିଭିପିର ରଣହୁଙ୍କାର, ୨୩ ଜାନୁଆରୀରେ ଜିଲ୍ଲାର ବିଶାଳ ଛାତ୍ର ସମାବେଶ

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏବିଭିପି ଓଡିଶାର ୪୭ ତମ ରାଜ୍ୟ ଅଧିବେଶନ ଚଳିତ ମାସ ୨୩, ୨୪, ୨୫ ଅନୁଗୁଳ ଶିଶୁ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ମୋଟ ୭୩୪ ଛାତ୍ରନେତା ମାନଙ୍କ ସହ ୨୧ ଜଣ ଅଧ୍ୟାପକ ଉପସ୍ଥିତ ଥିଲେ ଓ ତନ୍ମଧ୍ୟରୁ ଭଦ୍ରକ ଜିଲ୍ଲାରୁ ୨୩ ଜଣ ପ୍ରତିନିଧି ସାମିଲ ହୋଇଥିଲେ। ବିଦ୍ୟାର୍ଥୀ ପରିଷଦର ୭୫ ବର୍ଷର ଯାତ୍ରା, ସ୍ୱାବଲମ୍ବୀ ଭାରତ୍ ବିଷୟରେ ଉପସ୍ଥିତ ଅତିଥି ମାନେ ଅଭିଭାଷଣ ରଖିଥିଲେ। ଅଧିବେଶନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥାର ଦୟନୀୟ ସ୍ଥିତି ଉପରେ ଆଲୋଚନା ହେବା ସହ ରାଜ୍ୟରେ ରାଷ୍ଟ୍ରୀୟ ଶିକ୍ଷାନୀତିକୁ ପ୍ରଣୟନ କରିବା ନିମିତ୍ତ ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ କରନ୍ତୁ ଏଥି ପାଇଁ ଏକ ପ୍ରସ୍ତାବ ରାଜ୍ୟର ସାମାଜିକ ସ୍ଥିତି ଉପରେ ଆଲୋଚନା ହୋଇ ରାଜ୍ୟର ଆର୍ଥିକ ସମୃଦ୍ଧି ପାଇଁ ଖଣିଜ ସମ୍ପଦର ସୁବିନିଯୋଗ କରିବା ପାଇଁ ଏକ ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା। ଆଗାମୀ ଦିନରେ ଏହି ସବୁ ବିଷୟକୁ ନେଇ ବିଦ୍ୟାର୍ଥୀ ପରିଷଦ ସରକାରଙ୍କ ଆଗରେ ଦାବି ଉପସ୍ଥାପନ କରିବା ସହ ଏହାର ସମାଧାନ ନ ହେଲେ ଆନ୍ଦୋଳନ କରିବାର ନିଷ୍ପତ୍ତି ନେଇଛି।

ଭଦ୍ରକ ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ସମସ୍ୟା ଯଥା ସ୍ଥାୟୀ ଅଧ୍ୟାପକ ନିଯୁକ୍ତି, ସମସ୍ତ କଲେଜରେ ଲାଇବ୍ରେରୀ ସ୍ଥାପନ, କ୍ରୀଡ଼ା ଭତ୍ତିଭୂମିର ଉନ୍ନତି କରଣ, କଲେଜର ଜମିକୁ ନିଜ ନାମରେ ନାମିତ କରେଇବା, ପାଚେରୀ ନିର୍ମାଣ, ରାଗିଙ୍ଗ ଫ୍ରି କ୍ୟାମ୍ପସ, କଲେଜ କ୍ୟାମ୍ପସ ମାନଙ୍କରେ ଧାର୍ମିକ ଚକ୍ରାନ୍ତକୁ ରୋକ ଲଗେଇବା, ଆଲୋକି କରଣ, ଡିସପେନସେରୀ ପ୍ରତିଷ୍ଠା, ଅଣଛାତ୍ରଙ୍କ ଉପରେ ରୋକ ଲଗାଇବା, ଶୁଦ୍ଧ ପାଣିର ବ୍ୟବସ୍ଥା, ଶୌଚାଳୟ ନିର୍ମାଣ ସହିତ ଜିଲ୍ଲାର ସାମାଜିକ ସ୍ଥିତି ଯଥା ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବାହାର କରିବା, ନକଲି ସାର୍ଟିଫିକେଟ ଜାଲିଆତି ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଧାମରା ପୋର୍ଟରେ ସ୍ଥାୟୀ ନିଯୁକ୍ତି, ବିଭନ୍ନ ନଦୀର ବନ୍ଧ ନିର୍ମାଣକୁ ଗୁରୁତ୍ୱ, ତତ୍ ସହିତ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଏବଂ ଭଦ୍ରକ ଜିଲ୍ଲାରେ ଏକ ସରକାରୀ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଆଗାମୀ ଜାନୁୟାରୀ ୨୩ରେ ଭଦ୍ରକ ଜିଲ୍ଲାରେ ୨ ହଜାର ସଂଖ୍ୟାରେ ସମସ୍ତ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବିଶାଳ ଛାତ୍ର ସମାବେଶ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ସଂଯୋଜକ ବଦ୍ରୀ ମୋହନ ରାଉତ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ରାଜ୍ୟ ଅଧିବେଶନରେ ଆଗାମୀ ଶିକ୍ଷା ବର୍ଷ ୨୦୨୨-୨୩ ନିମନ୍ତେ ରାଜ୍ୟ ସଭାପତି ଅଧ୍ୟାପିକା ଗାର୍ଗୀ ବାନାର୍ଜୀ ଓ ସମ୍ପାଦକ ରୂପେ ଅରିଜିତ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି। ବିଭିନ୍ନ ଆୟାମ ଏବଂ ଗତିବିଧିର ଦାଇତ୍ୱ ସହ ରାଜ୍ୟ କାର୍ଯ୍ୟ କାରିଣୀ ଘୋଷଣା ହୋଇଥିଲା। ଏଥିରେ ଭଦ୍ରକ ଜିଲ୍ଲାରୁ ମମତା ମହାକୁଡ଼, ବିଭୁ କିଶୋର ରାଉତ ଏବଂ ଗୋବର୍ଦ୍ଧନ ମହାନ୍ତିଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ଦାଇତ୍ୱ ପ୍ରଦାନ କରାଯାଇଥିଲା। ଏହି ପ୍ରେସ ବାର୍ତ୍ତାରେ ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ, ସହ ସଂଯୋଜକ ଜ୍ୟୋତି ପ୍ରକାଶ ସାହୁ, ଭଦ୍ରକ ନଗର ସମ୍ପାଦକ ବିଶ୍ୱନାଥ ସୋନୁ ଲାହା, ନଗର ଛାତ୍ରୀ ପ୍ରମୁଖ ମୋନାଲିସା ସାହୁ, ନଗର ଉପସଭାପତି ଇନ୍ଦ୍ରଜିତ ଦାସ, ସୌରଭ ପଣ୍ଡା ଉପସ୍ତିତ ଥିଲେ।