Odiapua.com

ଏନ.ୟୁ.ଜେ.(ଆଇ) ଜଗତସିଂହପୁର ଜିଲ୍ଲା ଶାଖା ଗଠିତ

ଜଗତସିଂହପୁର ୨୦/୭ (ଓଡିଆ ପୁଅ / ନୃସିଂହ ଚରଣ ବାରିକ)- ନ୍ୟାସନାଲ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ (ଇଣ୍ଡିଆ)ର ଜଗତିସିଂହପୁର ଜିଲ୍ଲା ଶାଖା ଆଜି ଗଢା ଯାଇଛି। ଏନେଇ ଏକ ବୈଠକ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପୁର୍ତ୍ତବିଭାଗ ଡାକ ବଙ୍ଗଳାରେ ପୁର୍ବାହ୍ନ ୧୧ଘ.୫୫ମି.ରେ ବସିଥିଲା। କାର୍ଯ୍ୟରତ ସାମ୍ବାଦିକଙ୍କର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରଣୟନ କରି କାର୍ଯ୍ୟକାରି କରିବାକୁ ମତ ପ୍ରକାଶ ପାଇଥିଲା। ମିଡିଆ ସଂସ୍ଥାର ତାରତମ୍ୟକୁ ନଦେଖି ପରସ୍ପରରେ ସମନ୍ୱୟ ରଖି କାର୍ଯ୍ୟ କଲେ ଜନସାମଜର ମଙ୍ଗଳ ହେବ ବୋଲି ସାମ୍ବାଦିକ ଅଜୟ ଜେନା ପ୍ରକାଶ କରିଥିଲେ। ଅନ୍ୟ ରାଜ୍ୟରେ ସମ୍ବାଦିକମାନଙ୍କ ପାଇଁ ପେନ୍ ସନ ବ୍ୟବସ୍ଥା କରାଯାଇଥିବା ବେଳେ ଓଡିଶା ସରକାର କାର୍ଯ୍ୟକାରି ନକରିବା ବିଡମ୍ବନାର ବିଷୟ ବୋଲି ବରିଷ୍ଠ ସାମ୍ବାଦିକ କାହ୍ନୁ ଚରଣ ନନ୍ଦ କ୍ଷୋଭର ସହ କହିଥିଲେ। ଏହା କିପରି କାର୍ଯ୍ୟକାରି ହେବ ସେ ଦିଗରେ ଏନ.ୟୁ.ଜେ.(ଆଇ) ରାଜ୍ୟ ସଂଗଠନ ଉଚିତ୍ ପଦକ୍ଷେପ ଗ୍ରହଣ କରିବ ବୋଲି ଶ୍ରୀ ନନ୍ଦ ଆଶା ପ୍ରକଟ କରିଥିଲେ। କଟକ ଜିଲ୍ଲା ଏନ.ୟୁ.ଜେ.ର ଆବାହକ ଶ୍ରୀ ପ୍ରସନ୍ନ କୁମାର ଦାସ ଅନ୍ୟତମ ଅତିଥି ଭାବେ ଯୋଗଦେଇ ସମସ୍ତ ସାମ୍ବାଦିକ ସଂଗଠନ ଅପେକ୍ଷା ଏନ.ୟୁ.ଜେ. କାର୍ଯ୍ୟରତ ସାମ୍ବାଦିକଙ୍କର ସ୍ୱାର୍ଥ ଓ ସୁରକ୍ଷା ପାଇଁ ଭଲ କାର୍ଯ୍ୟ କରିବ ବୋଲି କହିଥିଲେ। କେନ୍ଦ୍ରାପଡା ଏସପି କାର୍ଯ୍ୟରତ ସାମ୍ବାଦିକ ଶ୍ରୀ ଅଜେଶ ମଲ୍ଲିକଙ୍କ ପ୍ରତି କରିଥିବା ଦୁଃର୍ବ୍ୟବହାର ପ୍ରତିବାଦରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ଏନ.ୟୁ.ଜେ. ଜିଲ୍ଲା ସଂଗଠନ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ ନିମନ୍ତେ ପ୍ରସ୍ତାବ ରଖିଥିଲେ। ଏହି ଅବସରରେ ଏନ.ୟୁ.ଜେ. ଜଗତସିଂହପୁର ଜିଲ୍ଲା ଶାଖାର ସଭାପତି: ମହେଶ୍ୱର ତ୍ରିପାଠୀ, ସାଧାରଣ ସମ୍ପାଦକ: ନୃସିଂହ ଚରଣ ବାରିକ, କାର୍ଯ୍ୟକାରି ସଭାପତି: ବୀରବର ଦଳାଇ, ସହ ସମ୍ପାଦକ: ଶରତ କିଶୋର କାନୁନ୍ ଗୋ, ସଂଗଠନ ସମ୍ପାଦକ: ଲିଲନ ପ୍ରଭା ପାଢୀ ସର୍ବସମ୍ମତ ମନୋନୀତ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସର୍ବଶ୍ରୀ ବେଣୁଧର ନାୟକ, ସୁଶାନ୍ତ ମହାନ୍ତି, ବିଜୟ ସାହୁ, ଅନଘ କୁମାର ପଣ୍ଡା (କଟକ) ପ୍ରମୁଖ ଯୋଗଦେଇ ସାଂଗଠନିକ ଆଲୋଚନାରେ ଭାଗ ନେଇଥିଲେ। ଶେଷରେ ଲିଲନ ପ୍ରଭା ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ।