Odiapua.com

ଏନ୍ ଏମ୍ ଏ ସୁପାରିଶକୁ ଶ୍ରୀମନ୍ଦିର ପ୍ରଶାସନର ବିରୋଧ

ପୁରୀ ୨୩-୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣ ଉପରେ ଏନ୍ ଏମ୍ ଏ ଦେଇଥିବା ସୁପାରିଶକୁ ବିରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସଂସ୍କୃତି ବିଭାଗକୁ ଏକ ଚିଠି ଲେଖି ଅବଗତ କରାଇଛି। ପୂର୍ବରୁ ୨୦୧୪ ମସିହାରେ ଏନ୍ ଏମ୍ ଏ ନୂଆ ପ୍ରଶାସନିକ କୋଠା ପାଇଁ ୧୨.୧୯ ମିଟର ତଥା ଜି+୨ କୋଠା ନିର୍ମାଣ କରିବା ପାଇଁ ଅନୁମତି ଦେଇଥିଲା ଏନ୍ ଏମ୍ ଏ। ତେବେ ଏହାକୁ ପରିବର୍ତ୍ତନ କରି ଏନ୍ ଏମ୍ ଏ କିଭଳି ୭.୫୦ ମିଟର ତଥା ଜି+୧ କୋଠା ନିର୍ମାଣ ପାଇଁ ସୁପାରିଶ କରିଛି ସେନେଇ ଶ୍ରୀମନ୍ଦିର ପ୍ରଶାସନ ପ୍ରଶ୍ନ ଉଠାଇଛି। ଶ୍ରୀମନ୍ଦିର ପ୍ରଶାସନର‌ କହିବା ଅନୁସାରେ ଏବେକାର ଥିବା ପ୍ରଶାସନିକ କୋଠା ଗ୍ରାଉଣ୍ଡ ଫ୍ଲୋରକୁ ମିଶାଇ ତିନି ମହଲା ବିଶିଷ୍ଟ ହୋଇଥିବା ବେଳେ ଯଦି ଏବେ ନିର୍ମାଣ ହେଉଥିବା ଦୁଇ ମହଲା ବିଶିଷ୍ଟ କୋଠା କରାଯିବ ଏହାକୁ ଏବେକାର କୋଠା ସହ ମିଶାଯାଇ ପାରିବ ନାହିଁ। ଏଣୁ ପୂର୍ବରୁ ଏନ୍ ଏମ୍ ଏ ଦେଇଥିବା ଅନୁମତି ଅନୁଯାୟୀ ଜି+୩ ବିଲ୍ଡିଙ୍ଗ ନିର୍ମାଣ ପାଇଁ ଅନୁମତି ଦିଆଯାଉ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ।‌ ରାଜ୍ୟ ସଂସ୍କୃତି ବିଭାଗ ଏନ୍ ଏମ୍ ଏ କୁ ଏନେଇ ଅବଗତ କରାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି ଲେଖାଯାଇଛି।