Odiapua.com

ଏନ୍‌ଏମ୍‌ଏ ବିଜ୍ଞପ୍ତିକୁ ବିରୋଧ: ସେବାୟତଙ୍କ ବିକ୍ଷୋଭ, ପତ୍ର ଲେଖିଲେ ମୁଖ୍ୟ ପ୍ରଶାସକ

ପୁରୀ, ୭ା୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) :ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ୧୦୦ ମିଟର ପରିଧି ମଧ୍ୟରେ କୌଣସି ନିର୍ମାଣକୁ ଏନ୍‌ଏମ୍‌ଏ ନିଷିଦ୍ଧାଞ୍ଚଳ ଘୋଷଣା କରିଥିବା ପ୍ରତିବାଦରେ ଶ୍ରୀମନ୍ଦିର ସେବାୟତମାନେ ଶ୍ରୀମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅନ୍ୟପକ୍ଷରେ ବିଜ୍ଞପ୍ତି ପ୍ରତ୍ୟାହାର ଲାଗି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ଃ କ୍ରିଷନ୍ କମୁାର କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ଅଧିନରେ ଥିବା ନ୍ୟାସିନାଲ୍ ମନୁମେଣ୍ଟ ଅଥୋରିଟି (ଏନ୍‌ଏମ୍‌ଏ)କୁ ପତ୍ର ଲେଖିଛନ୍ତି। ମୁଖ୍ୟ ପ୍ରଶାସକ ଲେଖିଥିବା ପତ୍ରରେ ଦାରୁବ୍ରହ୍ମଙ୍କ ମୂଳପୀଠ ଶ୍ରୀମନ୍ଦିର ଲାଗି ତରୁନ୍ତ ଏହି ଡ୍ରାପ୍ଟ ନୋଟିଫିକେସ୍‌ନ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି। ଶ୍ରୀମନ୍ଦିର ପରଚାଳନା ଲାଗି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ରହିଛି। ଶ୍ରୀଜଗନ୍ନାଥ ଟେମ୍ପୁଲ ଆକ୍ଟ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଛି। ଏଏସ୍‌ଆଇ ସହିତ ହୋଇଥିବା ଚୁକ୍ତି ଅନୁଯାୟୀ ଶ୍ରୀମନ୍ଦିର ରକ୍ଷଣା ବେକ୍ଷଣ ଓ ମରାମତି କାର୍ଯ୍ୟ କରାଯାଉଛି। ଏଭଳି ଡ୍ରାପ୍ଟ ନୋଟିଫିକେସନ୍ ସେବାୟତମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବ। ଫଳରେ ମହାପ୍ରଭୁଙ୍କ ନୀତି କାନ୍ତି ପ୍ରବାବିତ ହେବାର ସମ୍ଭାବନା ରହିଛି। ମହାପ୍ରଭୁଙ୍କ ନୀତି କାନ୍ତୀ ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ଶ୍ରୀମନ୍ଦିର ସେବାୟତମାନଙ୍କ ସହଯୋଗ ଅପରିହାର୍ଯ୍ୟ। ତେଣୁ ତୁରନ୍ତ ଏଭଳି ଚିଠା ବିଜ୍ଞପ୍ତି ପ୍ରତ୍ୟାହାର ଲାଗି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟଯେ, ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ୧୦୦ ମିଟର ପରିଧି ମଧ୍ୟରେ କୌଣସି ନିର୍ମାଣକୁ ଜାତୀୟ ଐତିହ୍ୟ ପ୍ରାଧିକରଣ(ଏନ୍‌ଏମ୍‌ଏ )ନିଷିଦ୍ଧାଞ୍ଚଳ ଘୋଷଣା କରିଛି। ଏତଦ୍‌ ବ୍ୟତୀତ ଶହେ ମିଟର ଚୌହଦି ଠାରୁ ୨୦୦ମିଟର ପରିଧି ମଧ୍ୟରେ ନୂତନ ନିୟମ ନିୟନ୍ତ୍ରଣ କରିବାକୁ ରେଗୁଲେଟେଡ୍ ଏରିଆ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ଅଧିନରେ ଥିବା ଏନ୍‌ଏମ୍‌ଏର ଏଭଳି ବିଜ୍ଞପ୍ତି ସେବାୟତ, ଗବେଷକ ଓ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଏହି କଟକଣା ଫଳରେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପରିକଳ୍ପନା ବାଧାପ୍ରାପ୍ତ ହେବାର ସମ୍ଭାବନା ଦେଖାଦେଇଛି।