Odiapua.com

ଏନଫୋର୍ସମେଣ୍ଟକୁ କଠୋର କଲା ପ୍ରଶାସନ : ଉଲ୍ଲଘଂନକାରୀଙ୍କୁ ଫାଇନ

ଯାଜପୁର୧୨ା୭ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲାରେ କରୋନାର ପ୍ରଭାବ ବୃଦ୍ଧି ପାଉଥିବା ଯୋଗୁ ପୁଣିଥରେ ଜିଲ୍ଲାପ୍ରଶାସନ ଏନଫୋର୍ସମେଣ୍ଟଙ୍କୁ ଜୋରଦାର କରିବା ଉପରେ ଗୁରୁତ୍ୱ ଦେଇଛି। ରବିବାରଠାରୁ ଜିଲ୍ଲାସାରା ଏହି ଏନଫୋର୍ସମେଣ୍ଟକୁ ବ୍ୟାପକ କରାଯାଇଛି। ଯେଉଁଠାରେ ନିୟମ ଉଲ୍ଲଘଂନ ଦୃଷ୍ଟିକୁ ଆସୁଛି ସେଠାରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରାଥମିକ ଅବସ୍ଥାରେ ଯେଉଁଭଳି ଆଭିମୁଖ୍ୟ ରହିଥିଲା ଓ ସେହି ଏନଫୋର୍ସମେଣ୍ଟ ଯୋଗୁଁ ଲୋକମାନେ କରୋନା ପ୍ରତି ସତର୍କ ଓ ସଜାଗ ରହୁଥିଲେ ଅନୁରୂପ ଭାବେ ସେହିଭଳି ବ୍ୟବସ୍ଥା ପ୍ରଶାସନ ଗ୍ରହଣ କରୁ ବୋଲି ବିଭିନ୍ନ ସମୟରେ ବୃଦ୍ଧିଜିବୀ ଓ ସାଧାରଣ ଲୋକମାନେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମଧ୍ୟ ପ୍ରତିକ୍ରିୟା ରଖୁଥିଲେ। ତେବେ କିଛି ଅମାନିଆ ବା ଆଇନ ଉଲ୍ଲଘଂନକାରୀଙ୍କ ପାଇଁ ବୃହତର ଜନତାଙ୍କ ସ୍ୱାସ୍ଥ୍ୟ ଓ ସ୍ୱାର୍ଥକୁ ଅସୁରକ୍ଷିତ ରଖାଯାଇପାରିବ ନାହିଁ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ମତଦେବା ସହ ରବିବାର ଦଶରଥପୁର ବ୍ଲକର ବିଭିନ୍ନ ଅଂଚଳକୁ ମଧ୍ୟ ଅନୁଧ୍ୟାନ କରିଥିଲେ। ସଟ୍‌ଡାଉନ ସତ୍ୱେ ବିଭିନ୍ନ ବାହାନା ନେଇ ବୁଲୁଥିବା, ମାସ୍କ ଓ ହେଲମେଟ ପରିଧାନ ନକରୁଥିବା ବ୍ୟକ୍ତି ବିଶେଷଙ୍କୁ ଅର୍ଥଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଇଥିଲା। ଅର୍ଥଦଣ୍ଡ ଲୋକମାନଙ୍କୁ ସଚେତନ କରାଇବାର ଏକ ମାଧ୍ୟମ। କିନ୍ତୁ ଲୋକେ ଯଦି ନିଜେ ସଚେତନ ନ ହେବେ ତେବେ ନିଜସହ ନିଜ ପରିବାର ଓ ସାମାଜକୁ ମଧ୍ୟ ଅସୁସ୍ଥ କରିଦେବେ ବୋଲି ଜିଲ୍ଲାପାଳ କହିଥିଲେ। ଏହି ଧରପଗଡ଼ ଏଣିକି ନିରନ୍ତର ଭାବେ ଜାରି ରହିବ। କେବଳ ସରକାର ବା ପ୍ରଶାସନ ନୁହେଁ ଲୋକପ୍ରତିନିଧି, ସ୍ୱେଚ୍ଛାସେବୀ, ସାଧାରଣ ଜନତା ଏଥିପ୍ରତି ସଜାଗ ହୋଇ ଅମାନିଆଙ୍କୁ ନିୟନ୍ତ୍ରଣ କରିବାକୁ ଆଗେଇ ଆସିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଜିଲ୍ଲାପାଳଙ୍କ ସହ ଆଇ-ଏ-ଏସ- ପ୍ରୋବେସନର ସଚିନ ପାୱାର- ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ମଧ୍ୟ ଧରପଗଡରେ ସାମିଲ ଥିଲେ। ସେହିପରି ରସୁଲପୁର, ଧର୍ମଶାଳା ଓ ବଡ଼ଚଣା ବ୍ଲକର ବିଭିନ୍ନ ଅଂଚଳକୁ ପ୍ରକଳ୍ପ ନିର୍ଦ୍ଧେଶକ ଇନ୍ଦ୍ରମଣି ନାୟକ, ଉପଜିଲ୍ଲାପାଳ ନାରାୟଣଚନ୍ଦ୍ର ଧଳ ଗସ୍ତକରି ଧରପଗଡ କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଅକ୍ଷୟ କୁମାର ମଲ୍ଲିକ ଓ ଜିଲ୍ଲା ପଂଚାୟତ ଅଧିକାରୀ ଅଶୋକ କୁମାର ସେଠୀ କୋରେଇ ଦାନଗଦୀ ବ୍ଲକର ବିଭିନ୍ନ ଅଂଚଳରେ ଏନଫୋର୍ସମେଣ୍ଟ କରି ଅମାନିଆଙ୍କଠାରୁ ଫାଇନ ଆଦାୟ କରିଥିଲେ। ସେହିପରି ଅପରାହ୍ନରେ ଯାଜପୁର ଟାଉନର ବିଭିନ୍ନ ଅଂଚଳରେ ଧରପଗଡ କରାଯାଇ ଫାଇନ ଆଦାୟ କରାଯାଇଥିଲା। ମୋଟ ୫୭, ୦୦୦ଟଙ୍କା ଆଇନ ଉଲ୍ଲଘଂନକାରୀଙ୍କ ଠାରୁ ଆଦାୟ କରାଯାଇଥିଲା। ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ବା ଦୋକାନମାନଙ୍କରେ ମଧ୍ୟ ସଟ୍‌ଡାଉନ ଉଠିବା ପରେ ଭିଡ଼ ପରିଲିକ୍ଷିତ ହେଉଥିବାର ଅଭିଯୋଗ ମିଳୁଛି। ଏକ୍ଷେତ୍ରରେ ଯେଉଁ ବ୍ୟବସାୟୀମାନେ ସେମାନଙ୍କ ବ୍ୟବସାୟରେ ଗ୍ରାହକମାନଙ୍କୁ ସାମାଜିକ ଦୂରତା, ବିନା ମାସ୍କରେ ସାମଗ୍ରୀମାନ ବିକ୍ରୟ କରାଉଛନ୍ତି ସେହି ବ୍ୟବସାୟୀଙ୍କଠାରୁ ଅଧିକ ଫାଇନ ଆଦାୟ ସହ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ହେବବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଦେଇଛନ୍ତି। ଅଦୃଶ୍ୟ ଶତ୍ରୁ କରୋନା ବିରୁଦ୍ଧରେ ସମଗ୍ର ବିଶ୍ୱ ଲଡୁଥିବାବେଳେ ପ୍ରତ୍ୟେକବ୍ୟକ୍ତି ବିଶେଷ ଯଦି ନିଜର ଦାୟିତ୍ୱକୁ ସଠିକ ଭାବେ ନିର୍ବାହ କରି କେବଳ ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ବାହାରକୁ ଆସିବା, ବୟସ୍କ ଓ ଶିଶୁମାନଙ୍କୁ ବାହାରକୁ ନଛାଡିବା, ସର୍ବଦା ମାସ୍କ ବ୍ୟବହାର କରିବା, ବାରମ୍ବାର ସାବୁନରେ ହାତ ଧୋଇବା, ସବୁକ୍ଷେତ୍ରରେ ସାମାଜିକ ଦୂରତା ବଜାୟ ରଖିବା, ବିଶେଷ ସାମାଜିକ କାର୍ଯ୍ୟ ଯଥା ବିବାହ, ବ୍ରତ, ସଂସ୍କାର କାର୍ଯ୍ୟ ମାନଙ୍କରେ ଆଇନାନୁମୋଦିତ ଭାବେ ସ୍ୱଳ୍ପ ସଂଖ୍ୟକ ଲୋକଙ୍କୁ ସାମିଲ କରିବା ତେବେ କରୋନାକୁ ଆମେ ଜିତିପାରିବା ବୋଲି ଜିଲ୍ଲାପାଳ କହିଛନ୍ତି। ସମସ୍ତେ ଏଥିରେ ସହଯୋଗ କରିବାକୁ ସେ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି।