Odiapua.com

ଏନଟିପିସି କଣିହାଁ ପକ୍ଷରୁ ରାଷ୍ଟ୍ରୀୟ ଅଭିଷେକ ଅଭିଯାନ ଅନ୍ତର୍ଗତ ଦକ୍ଷତା ବିକାଶ କର୍ମଶାଳା

ତାଳଚେର, ୨୪/୭ (ଓଡ଼ିଆ ପୁଅ/ଅଜିତ ବେହେରା) : ୟୁନିଟି ଅଫ୍ ସାଇନ୍ସ ଏଣ୍ଡ ଏଜୁକେସନାଲ ଡେଭଲପମେଣ୍ଟ(ୟୁନିସେଡ୍‌)ର ମିଳି ସହଯୋଗରେ ଏନଟିପିସି କଣିହାଁ ଦ୍ୱାରା ଅନୁଗୋଳ ଜିଲ୍ଲାର ୨୦ଟି ସରକାରୀ ବିଦ୍ୟାଳୟରେ ରାଷ୍ଟ୍ରୀୟ ଅଭିଷେକ ଅଭିଯାନ(ଆରଏଏ) କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏନଟିପିସି ତାଳଚେର ନିକଟରେ ୧୦ଟି ସରକାରୀ ସ୍କୁଲ ଓ ଏନଟିପିସି କଣିହାଁ ନିକଟରେ ୧୦ଟି ସରକାରୀ ସ୍କୁଲକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଚଳିତ ଜୁଲାଇ ମାସ ୨୨ ଓ ୨୩ ତାରିଖରେ ଦୁଇ ଦିନ ଧରି ତାଳଚେର ଓ କଣିହାଁର ସରକାରୀ ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କ ପାଇଁ ଏହି ଦକ୍ଷତା ବିକାଶ କର୍ମଶାଳାର ଆୟୋଜିତ ହୋଇଥିଲା। ଆଇଆଇଟି, ଏନଆଇଟି ଏବଂ ଇସ୍ରୋ ପରି ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ସରକାରୀ ବିଦ୍ୟାଳୟଗୁଡ଼ିକର ନିକଟତର କରି ବିଦ୍ୟାଳୟ ଭିତିକ ଜ୍ଞାନକୁ ବାହାରେ ଜୀବନରେ ଏକାଠି କରିବା ତଥା ବିଜ୍ଞାନ ଏବଂ ଗଣିତ ଶିକ୍ଷାକୁ ଏକ ଆନନ୍ଦଦାୟକ ଏବଂ ଅର୍ଥପୂର୍ଣ୍ଣ କାର୍ଯ୍ୟକଳାପରେ କରିବା ଏହି ରାଷ୍ଟ୍ରୀୟ ଅଭିଷେକ ଅଭିଯାନର ଲକ୍ଷ୍ୟ ରହିଛି। ଜାତୀୟ କାର୍ଯ୍ୟକ୍ରମ ପରାମର୍ଶଦାତା ତଥା ରାଷ୍ଟ୍ରୀୟ ଅଭିଷେକ ଅଭିଯାନ ଏବଂ ଭାରତ ସରକାରଙ୍କର ନୀତି ପରାମର୍ଶଦାତା ଅବନୀଶ ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଏହି ଅଭିନବ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏନଟିପିସି କଣିହାଁର ଏଜିଏମ୍‌(ସିଏସଆର)ରଫିକୁଲ ଇସଲାମ୍‌, ନ୍ୟାସନାଲ ରିସୋର୍ସ ପର୍ସନ-ଆରଏଏ ଏବଂ ନିର୍ଦ୍ଦେଶକ-ପେଡାଗୋଗି, ରିସର୍ଚ୍ଚ ଏଣ୍ଡ ଇନୋଭେସନ, ୟୁନିସେଡ଼ ଡ. ଆର.ଏନ୍‌.ଲେଙ୍କା ଏବଂ ସିନିଅର ପ୍ରୋଜେକ୍ଟ ଇଞ୍ଜିନିୟର, ସିଏସଇ ବିଭାଗ, ଆଇଆଇଟି କାନପୁର, ଅନୁରାଗ ପାଣ୍ଡେ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅଭିନବ ହ୍ୟାଣ୍ଡ ଅନ୍ କାର୍ଯ୍ୟକଳାପର ଅଂଶବିଶେଷ ଭାବେ ଶ୍ରୀ ପାଣ୍ଡେ ଧ୍ୱନୀ ତରଙ୍ଗ, ବାୟୁ ଚାପ, ଜଳ ଚାପ, ଜ୍ୟାମିତି, ବୀଜ ଗଣିତ ଏବଂ ଅଙ୍ଗାରକାମ୍ଲର ସିନ୍ଥେସିସ୍ ସହିତ ଜଡ଼ିତ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। ଶିକ୍ଷାଦାନ, ଅନୁସନ୍ଧାନ ଏବଂ ନବସୃଜନ ଉପରେ ଜାତୀୟ ବିଶେଷଜ୍ଞ ଭାବରେ ଡ. ଆର.ଏନ୍‌.ଲେଙ୍କା ଆର.ଏ.ଏ.ର ଶିକ୍ଷାଭିତିକ ଦୃଷ୍ଟିକୋଣ, ଶ୍ରେଣୀଗୃହ ପରିସ୍ଥିତ ଏବଂ ବାହ୍ୟ ପ୍ରଯୁଜ୍ୟତା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରାଥମିକ ବିଦ୍ୟାଳୟ ବିଭାଗ, ଏନସିଇଆରଟିର ଗଣିତ କାର୍ଯ୍ୟକ୍ରମର ପ୍ରାକ୍ତନ ପରାମର୍ଶଦାତ୍ରୀ ଉଜମା ମଲ୍ଲିକ ବିଭିନ୍ନ ଗଣିତ ଧାରଣା ଉପରେ ଆଲୋକପାତ କରିଥିଲେ ଏବଂ ବୈଦିକ ଗଣିତ ବିଶେଷଜ୍ଞ ସୁଜିତ କୁମାର ସିଂହ ଭିଡ଼ିଓ ସମ୍ମିଳନୀ ମାଧ୍ୟମରେ ବୈଦିକ ଗଣିତ ଅଭ୍ୟାସ ଉପରେ ଧ୍ୟାନ ଦେଇଥିଲେ।