Odiapua.com

ଏନଆରଇଜିଏ ମଜୁରୀ ପ୍ରଦାନରେ ବିଳମ୍ବକୁ ମାନିଲେ ରାଜ୍ୟ ସରକାର ଅଧିକ ରୋଜଗାର ପାଇଁ ଅନ୍ୟ ରାଜ୍ୟକୁ ଯାଉଛନ୍ତି ଲୋକେ

ଭୁବନେଶ୍ୱର ୨୨-୫ (ଓଡ଼ିଆ ପୁଅ) ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ(ଏମ୍ଏନଆରଇଜିଏ) ଅଧନରେ ଶ୍ରମିକମାନଙ୍କୁ ବିଳମ୍ବରେ ଅର୍ଥ ପ୍ରଦାନ ହେଉଥିବା ସମ୍ପର୍କିତ ମାମଲାରେ ରାଜ୍ୟ ସରକାର ଜାତୀୟ ମାନବାଧିକାର କମିଶନ(ଏନଏଚଆରସି)ଙ୍କ ନିକଟରେ ପୁଣି ଏକ ରିପୋର୍ଟ ଦାଖଲ କରିଛନ୍ତି। ଏଥିରେ ମଜୁରୀ ଦେବାରେ ବିଳମ୍ବ ହେଉଥିବା କଥାକୁ ରାଜ୍ୟ ସରକାର ସ୍ୱୀକାର କରିବା ସହ କେନ୍ଦ୍ର ସରକାର ଠିକ୍ ଭାବେ ଅର୍ଥ ପ୍ରଦାନ ନ କରିବା ଓ ବୈଷୟିକ ମାନବ ସମ୍ବଳର ଅଭାବ ଆଦି ୪ଟି କାରଣ ଦର୍ଶାଯାଇଛି। ୨୦୧୪ ମସିହାରେ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ। ଏହି ମାମଲାରେ ମୁଖ୍ୟ ଶାସନ ସଚିବଙ୍କୁ ଜବାବ ଦାଖଲ ପାଇଁ କୁହାଯାଇଥିଲା। ଏ ପର୍ଯ୍ୟନ୍ତ ରାଜ୍ୟ ସରକାର କମିଶନଙ୍କୁ ସନ୍ତୋଷଜନକ ଜବାବ ଦେଇପାରିନାହାନ୍ତି। ନିକଟରେ କମିଶନଙ୍କ ନିକଟରେ ପ ଂଚାୟତ ବିଭାଗ ସଚିବ ଦେଇଥିବା ରିପୋର୍ଟରେ ବିଳମ୍ବ ମଜୁରୀ ପ୍ରଦାନକୁ ସ୍ୱୀକାର କରାଯାଇଛି। ଏଥିରେ କୁହାଯାଇଛି, ଦେୟ ବିଳମ୍ବର ପ୍ରଥମ କାରଣ ହେଉଛି ଭାରତ ସରକାରଙ୍କ ଗ୍ରାମ୍ୟ ବିକାଶ ମନ୍ତ୍ରାଳୟ ରାଜ୍ୟକୁ ଠିକ୍ ସମୟରେ ଅର୍ଥ ପ୍ରଦାନ କରୁନାହିଁ। ଫାଇଲିନ୍ ବାତ୍ୟା ଓ ବନ୍ୟା ଆଦି ବିଳମ୍ବ ଦେୟ ପ୍ରଦାନର ଦ୍ୱିତୀୟ କାରଣ। କାମ ହୋଇଥିବା ଯାଗାରେ କେତେ କାମ ହୋଇଛି ତାହାକୁ ଠିକ୍ ଭାବେ ମାପିବା ଓ ତଦାରଖ କରିବା ପାଇଁ ବୈଷୟିକ ଜ୍ଞାନକୌଶଳ ଥିବା ମାନବ ସମ୍ବଳର ଅଭାବ ରହିଛି। ଶେଷ କାରଣ ଭାବେ କୁହାଯାଇଛି ଯେ ଏନଆରଜିଏ ସ୦ଫ୍ଟୱେର ବିଭିନ୍ନ ସମୟରେ ଠିକ୍ ଭାବେ କାମ କରୁନାହିଁ। ମଜୁରୀ ଠିକ୍ ସମୟରେ ପ୍ରଦାନ କରିବା ସୁନିଶ୍ଚିତ କରିବା ଲାଗି ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଉପରୋକ୍ତ କାରଣ ଯୋଗୁଁ ତାହା ବିଳମ୍ବ ହେଉଛି। ବିଭାଗର ଆଉ ରିପୋର୍ଟରେ କୁହାଯାଇଛି ଅନ୍ୟ ରାଜ୍ୟକୁ ଲୋକ କାମକରିବାକୁ ଯିବା କଥା ସତ୍ୟ। କିନ୍ତୁ ଏହାର କାରଣ ନୁହେଁ ଯେ, ସେମାନେ ଏନଆରଜିଏ କାମ ପାଉନାହାନ୍ତି। ଏହାକୁ ରୋକିବା ଲାଗି ରାଜ୍ୟ ସରକାର ନୂଆପଡା ଓ ବଲାଙ୍ଗୀର ଭଳି ବାହାର ରାଜ୍ୟକୁ ଅଧିକ ଲୋକ ଯାଉଥିବା ଜିଲ୍ଲାଗୁଡିକରେ ଅତିରିକ୍ତ ୫୦ ଦିନ କାମ ଯୋଗାଉଛନ୍ତି। କିନ୍ତୁ ସେମାନେ ଅଧିକ ଉପାର୍ଜନ କରିବା ଲାଗି ଅନ୍ୟ ରାଜ୍ୟକୁ ଯାଉଛନ୍ତି।