Odiapua.com

ଏତେ ଲୋଭ କାହିଁକି ?

ଜଣେ ବ୍ୟକ୍ତି ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରାପଡିଗଲେ, କି ପ୍ରକାର ଦଣ୍ଡ ବିଧାନ ହେଵ ସେ କଥା ଭାବି ତାଙ୍କର ଧର୍ମପତ୍ନୀ ଦୁଃଖରେ ଭାଙ୍ଗିପଡିଲେ। ଏମିତିକା ଦୁଃଖ ସମୟରେ କିଛି ଗୋଟେ ପ୍ରତିକାର କରିବା ଉଦେଶ୍ୟରେ ସାଧୁଙ୍କ ପାଖକୁ ଗଲେ। ବାବାଙ୍କୁ ଦେଖା କରି କହିଲେ ଆମର ଭାଗ୍ୟ ଖରାପ, ଆମେ କେମିତି ଏ ବିପଦରୁ ଉଦ୍ଧାର ହେବୁ, ମୋର ସ୍ୱାମୀ କେମିତି ମୁକ୍ତି ପାଇବେ, କିଛି ଉପାୟ କୁହନ୍ତୁ ? ବାବା କହିଲେ ଯେ ପର୍ଯ୍ୟନ୍ତ ଟଙ୍କା ଲାଞ୍ଚ ନେଇ ଧରାପଡୁନଥିଲ ସେ ପର୍ଯ୍ୟନ୍ତ ଭାଗ୍ୟ ଭଲ ଥିଲା ଏବେ ଧରାପଡ଼ି ଯିବାରୁ ଭାଗ୍ୟର ଦୋଷ ଦେଉଛ, ଏ କି ପ୍ରକାର ମାନସିକତା ? ବିଳାସ ବ୍ୟସନରେ ରହିବାକୁ କେହି କାହାକୁ ବାଧା ଦେଉନାହାନ୍ତି କିନ୍ତୁ ଦୁର୍ନୀତି କରି ଟଙ୍କା ରୋଜଗାର କରିବା କେତେଦୂର ଠିକ୍ ଆପଣ କୁହନ୍ତୁ ? ଯେଉଁ କାର୍ଯ୍ୟ କରୁଥିଲେ ସେଥିଲାଗି ପାରିଶ୍ରମିକ ପାଉଥିଲେ ମଧ୍ୟ ସେହି ସମାନ କାର୍ଯ୍ୟ କରିବା ପାଇଁ ଲାଞ୍ଚ ନେବା କେତେଦୂର ଯୁକ୍ତିଯୁକ୍ତ ? ଶାନ୍ତିରେ ବଞ୍ଚିବା ପାଇଁ ଚାରିଗୋଟି ମୌଳିକ ଆବଶ୍ୟକତା ଅଛି ଯଥା ଅନ୍ନ, ବସ୍ତ୍ର, ବାସଗୃହ ଓ ଚିକିତ୍ସା। ତୁମର ସ୍ୱାମୀ ଭାଗ୍ୟବାନ ଥିଲେ, ଚାକିରି କରି ଭଲ ପାରିଶ୍ରମିକ ପାଉଥିଲେ, ଯାହାଫଳରେ ସେ ଭଲରେ ପରିବାର ପ୍ରତିପୋଷଣ କରୁଥିଲେ। ଭଗବାନ ସବୁ କିଛି ଦେଲା ପରେ ପୁଣି ଏତେ ଲୋଭ କାହିଁକି ? ଧନ ଅର୍ଜନ ନୈତିକ ମୂଲ୍ୟବୋଧ ଆଧାରକୁ ନେଇ ହେବା ଆବଶ୍ୟକ। ଦୁର୍ନୀତି ତ ଦୁଃଖର କାରଣ। ଭଲ ମଣିଷ ଦୁର୍ନୀତି ଠାରୁ ଦୁରେଇ ରହି ସମ୍ମାନର ସହ ବଞ୍ଚିବାକୁ ପ୍ରାଥମିକତା ଦିଅନ୍ତି। ଆମେ ଯେଉଁ କର୍ମ କରିବା ତା’ର ଫଳ ଆମକୁ ହିଁ ଭୋଗ କରିବାକୁ ପଡିବ। କିନ୍ତୁ ଭଗବାନଙ୍କ ଦରବାରରେ କେହି କେବେ ଖସି ଯାଇନି, ଉପଯୁକ୍ତ ସମୟ ଆସିଲେ ଦୋଷୀ ଦଣ୍ଡ ପାଇଥାଏ। ତୁମ ପିଲା ସ୍କୁଲରେ ପରୀକ୍ଷା ଦେଉଛି, ସେ ପରୀକ୍ଷାରେ ଯେମିତି ଉତ୍ତର ଲେଖୁଛି ସେହି ଅନୁସାରେ ତା’ ଖାତାର ମୂଲ୍ୟାଙ୍କନ କରାଯାଇ ଫଳ ପ୍ରକାଶିତ ହେଉଛି। ଯେଉଁ ବିଷୟରେ ଯେମିତି ଉତ୍ତର ଲେଖିଥାଏ ସେ ବିଷୟରେ ସେହିପରି ନମ୍ବର ପାଇଥାଏ। ଭିନ୍ନ ଭିନ୍ନ କର୍ମ ପାଇଁ ଭିନ୍ନ ଭିନ୍ନ ଫଳ। କର୍ମ ଅନୁସାରେ ତ ଫଳ ମିଳିଥାଏ, ବର୍ତ୍ତମାନ ଭାବିଲେ କ’ଣ ହେଵ ? ତେଣୁ ଏବେ କରିବା କର୍ମମାନ ଆଗକୁ ହୁଅ ସାବଧାନ।

ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡା