Odiapua.com

ଏଟିଏମ୍‌ରେ ଟଙ୍କା ଲୋଡ୍ ବେଳେ ବନ୍ଧୁକ ଦେଖାଇ ଲୁଟିନେଲେ ୨୮ ଲକ୍ଷ, ସିସିଟିଭି ଫୁଟେଜ ଆଧାରରେ ଚାଲିଛି ତଦନ୍ତ

ଭଦ୍ରକ,୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭର୍ଚୁଆଲ ମୋଡ୍‌ରେ ନେହେରୁ ଷ୍ଟାଡିୟମ୍‌ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଚାଲୁଥିବାବେଳେ ବିଜେପି ଓ କଂଗ୍ରେସ ଭଳି ବିରୋଧୀଙ୍କ ଅଣ୍ଡାମାଡ ଓ କଳା ପତାକା ଭୟରେ ସମସ୍ତ ଜିଲା ପୁଲିସ୍ ପ୍ରଶାସନ ବ୍ୟସ୍ତ ରହିଥିଲା । ଏହାର ସୁଯୋଗରେ ସହରାଞ୍ଚଳ ଥାନା ଅଧୀନସ୍ଥ ଚରମ୍ପାସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟ ଏସ୍‌ବିଆଇ ଏଟିଏମ୍‌ରେ ସିଏମ୍‌ଏସ୍ ସଂସ୍ଥାର କର୍ମଚାରୀ ଟ୍ରଙ୍କ ଭର୍ତ୍ତି ଟଙ୍କା ନେଇ ଲୋଡ୍ କରୁଥିବାବେଳେ ଲୁଟ୍‌ର ଶୀକାର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଉକ୍ତ କଂପାନୀର ୪ ଜଣ କର୍ମଚାରୀ ଉକ୍ତ ଏଟିଏମ୍‌ରେ ୨୮ ଲକ୍ଷ ଟଙ୍କା ଲୋଡିଂ କରୁଥିବାବେଳେ ରାତି ରେ ୩ଟି ବାଇକ୍‌ରେ ୬ ଜଣ ଲୁଟେରା ଆସି ବନ୍ଧୁକ ଓ ଭୁଜାଲି ଦେଖାଇ ଉକ୍ତ ଟ୍ରଙ୍କ ଭର୍ତ୍ତି ଟଙ୍କାକୁ ନେଇଯାଇଥିବାର ଅଭିଯୋଗ ହୋଇଛି । ଲୁଟେରାଙ୍କ ମଧ୍ୟରେ ୩ ଜଣଙ୍କ ନିକଟରେ ବନ୍ଧୁକ ଥିବାରୁ କର୍ମଚାରୀମାନେ ଭୟଭୀତ ହୋଇଯାଇଥିଲେ । ତେବେ ସହରାଞ୍ଚଳ ଥାନା ପକ୍ଷରୁ ଏଟିଏମ୍‌ରେ ଟଙ୍କା ଲୋଡ୍ କରୁଥିବା ୪ ଜଣ କର୍ମଚାରୀଙ୍କୁ ଥାନାକୁ ନେଇ ପଚରା ଉଚୁରା କରିବା ସହ ପ୍ରାପ୍ତ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଚାଲିଥିବା ବିଷୟ ଏସ୍‌ପି ଚରଣ ସିଂ ମୀନା ଗଣମାଧ୍ୟମକୁ କହିଛନ୍ତି । ଏବଂ ଖୁବ୍ ଶୀଘ୍ର ଏହି ଲୁଟେରାଙ୍କୁ ଗିରଫ କରାଯିବ ବୋଲି ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।