Odiapua.com

ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନ : ଓଡ଼ିଶା ଆସୁଛନ୍ତି ମହାରାଷ୍ଟ୍ରର ୫୦ ଛାତ୍ରଛାତ୍ରୀ

ଭୁବନେଶ୍ବର, ୧୭।୦୯ : (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ସାରା ଦେଶରେ ଜାରି ରହିଛି ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଭିଯାନ। ଏହି ଅଭିଯାନ ଅଧୀନରେ ବିଭିନ୍ନ ରାଜ୍ୟ ମଧ୍ୟରେ ସମ୍ପର୍କକୁ ଅଧିକ ନିବିଡ଼ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନ ଜରିଆରେ ଯୋଡ଼ି ହୋଇଥିବା ମହାରାଷ୍ଟ୍ର ଏବଂ ଓଡ଼ିଶା ମଧ୍ୟରେ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କ୍ରମରେ ମହାରାଷ୍ଟ୍ର ନଭି ମୁମ୍ବାଇର ଖାରଘରସ୍ଥିତ ଜବାହର ଏଜୁକେସନ ସୋସାଇଟିର ଏ.ସି ପାଟିଲ କଲେଜ ଅଫ୍‌ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନର ୫୦ ଜଣ ଛାତ୍ରଛାତ୍ରୀ ଓ ୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏମାନଙ୍କ ମଧ୍ୟରେ ୨୫ ଜଣ ସ୍କୁଲ ଏବଂ ୨୫ ଜଣ ଉଚ୍ଚ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ରହିଛନ୍ତି। ୧୯ରୁ ୨୩ ସେପ୍ଟେମ୍ବର, ୨୦୨୨ ପର୍ଯ୍ୟନ୍ତ ଏମାନେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଛାତ୍ରଛାତ୍ରୀମାନେ କୋଣାର୍କ ଏକ୍ସପ୍ରେସରେ ୧୭ ତାରିଖରେ ମୁମ୍ବାଇରୁ ବାହାରି ୧୮ ତାରିଖରେ ଭୁବନେଶ୍ବର ପହଞ୍ଚିବେ। ଏହାପରେ ସେମାନେ ଭୁବନେଶ୍ବରସ୍ଥିତ ଗାନ୍ଧୀ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଜିଆଇଏଫଟି) ପରିଦର୍ଶନ କରିବେ। ଏଥିସହିତ ପୁରୀ, କୋଣାର୍କ ଏବଂ ଭୁବନେଶ୍ବରର ବିଭିନ୍ନ ଦର୍ଶନୀୟ ସ୍ଥାନ ମଧ୍ୟ ବୁଲି ଦେଖିବେ। ମହାରାଷ୍ଟ୍ର ଏବଂ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ମତବିନିମୟ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ଉଭୟ ପରସ୍ପରର କଳା, ସଂସ୍କୃତି, ପରମ୍ପରା, ଖାଦ୍ୟ ପାନୀୟ, ଶିକ୍ଷା ପଦ୍ଧତି ଆଦି ସମ୍ପର୍କରେ ଜାଣିବାର ସୁଯୋଗ ପାଇବେ। ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନ ଅଧୀନରେ ପୂର୍ବରୁ ମଧ୍ୟ ଓଡ଼ିଶା ଏବଂ ମହାରାଷ୍ଟ୍ର ମଧ୍ୟରେ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି।