Odiapua.com

ଏକ ବର୍ଷର ଛୁଆକୁ ଧରି ମା’ର ଭିକ୍ଷାବୃତି : ଫେଲ ମାରିଛି ଅପରେସନ ମୁସ୍କାନ

ଯାଜପୁର ୨୨/୪ (ଓଡ଼ିଆ ପୁଅ/ମାନସ ରାଉତ)-ଛୋଟ ଶିଶୁ ମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରାକର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିଛନ୍ତି। ଅପରେସନ ମୁସ୍କାନ, ବେଟି ବଚାଓ ବେଟ ବଢାଓ ଓ ଅପରେସନ ସ୍ମାଇଲ ଜରିଆରେ ସରକାର ଛୋଟ ଛୋଟ ପିଲାମାନଙ୍କର ଭବିଷ୍ୟତ କିପରି ସୁରକ୍ଷିତ ରହିବ ସେଥି ନିମନ୍ତେ କାର୍ଯ୍ୟ କରୁଛନ୍ତି। ରାଜ୍ୟ ଓ ଜିଲ୍ଲା ସ୍ତରରେ ଶିଶୁ ସୁରକ୍ଷା ୟୁନିଟମାନ କାର୍ଯ୍ୟ କରୁଛି। ମାତ୍ର ଯାଜପୁର ଜିଲ୍ଲାର ପ୍ରମୁଖ ବ୍ୟବସାୟୀସ୍ଥଳରେ ଥିବା ହୋଟେଲ ମିଡଇଷ୍ଟ ସମ୍ମୁଖରେ ଏକ ଛୋଟ ଛୁଆକୁ ଧରି ମା ଭିକ୍ଷା ବୃତି କରୁଥିବାର ଦୃଶ୍ୟ ଦେଖିଲେ ସରକାରଙ୍କର ଏହିସବୁ ଯୋଜନା କେଉଁଠି ନା କେଉଁଠି ଫେଲ ମାରିଛି ବୋଲି କହିବାକୁ ପଡିବ। ପ୍ରଚଣ୍ଡ ଖରାତାତିରେ ଲୋକମାନେ ଘରୁ ପଦାକୁ ଆସୁନଥିବା ବେଳେ ଦୁଇ ବର୍ଷର ଶିଶୁଟିକୁ ଧରି ମାଟି ପ୍ରତିଦିନ ଭିକ୍ଷାବୃତି କରୁଥିବାର ଦେଖିବାକୁ ମିଳୁଛି। ଯେଉଁ ବୟସରେ ଛୋଟ ଛୁଆଙ୍କର ଶାରିରୀକ ଓ ମାନସିକ ଅଭିବୃଦ୍ଧି ହେବା କଥା ସେ ବୟସରେ ଫୁଙ୍ଗୁଳା ଦେହରେ ୪୦ଡିଗ୍ରୀ ତାପମାତ୍ରାରେ ମାଟି ଛୁଆକୁ ଦେଖାଇ ଭିକ୍ଷାବୃତି କରୁଛି। ହୋଟେଲକୁ ଆସୁଥିବା ବହୁ ଆଗନ୍ତୁକ ଛୁଆଟିର ମୁହଁକୁ ଅନାଇ କିଛି କିଛି ଅର୍ଥ ପ୍ରଦାନ କରୁଛନ୍ତି। ଯାହାକୁ ନେଇ ମା ତାର ଗୁଜୁରାଣ ମେଂଟାଉଛି। କିନ୍ତୁ ଛୁଆଟି ଖରା ତାତିରେ ସିଝି ଛଟପଟ ହେଉଥିବାର ଦେଖାଯାଉଛି। ସରକାରଙ୍କର ଯୋଜାନକୁ ପ୍ରଣୟନ କରୁଥିବା ବଡ ବଡ ବାବୁ ମାନେ ହୋଟେଲକୁ ଆସି ଛୁଆଟିକୁ କିଛି ଅର୍ଥ ଦେଇ ନିରଜ କର୍ତବ୍ୟକୁ ଭୁଲି ଯାଉଛନ୍ତି। ଏହିସବୁ ପିଲାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଥାଇଥାନା କରିବା ଦାୟିତ୍ୱ ନେଇଥିବା ଜିଲ୍ଲାରେ ଥିବା ଶିଶୁ ସୁରକ୍ଷା ୟୁନିଟ ମଧ୍ୟ ଆଜି ପର୍ଯ୍ୟନ୍ତ ଶିଶୁଟିକୁ ଉଦ୍ଧାର କରିପାରିଲା ନାହିଁ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ ଦାବି ହେଉଛି। ଏ ସଂପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କରଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରି ନଥିଲା।