Odiapua.com

ଏକ୍ସ କ୍ୟାଡର ଓ ଗଣଶିକ୍ଷକମାନଙ୍କ ଡିସେମ୍ବର ୧୨ରେ ବିଧାନସଭା ଘେରାଉ

ଭଦ୍ରକ, ୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ କାର୍ଯ୍ୟରତ ୨୨ହଜାର ଏକ୍ସ କ୍ୟାଡର ଓ ଗଣଶିକ୍ଷକମାନଙ୍କ ପକ୍ଷରୁ ୫ଦଫା ଦାବି ନେଇ ଡିସେମ୍ବର ୧୨ ତାରିଖରେ ବିଧାନସଭା ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଶିକ୍ଷକମାନେ ନନଫର୍ମାଲ ଓ ଇଜିଏସରେ ଅନ୍ୟୁନ ୧୫ ବର୍ଷ କାର୍ଯ୍ୟ କରିବା ପରେ ସରକାର ୨୦୦୮ ମସିହାରେ ଗଣଶିକ୍ଷକ ଭାବେ ସରକାରୀ ପ୍ରାଇମେରୀ ଓ ଅପର ପ୍ରାଇମେରୀ ବିଦ୍ୟାଳୟରେ ନିଯୁକ୍ତି ଦେଇଥିଲେ। ବହୁ ଆନ୍ଦୋଳନ, ଅନଶନ ଏବଂ ଧାରଣା ପରେ ୨୦୧୬ ଜୁଲାଇ ୨୫ ତାରିଖ ଗଣଶିକ୍ଷକମାନଙ୍କୁ କ୍ୟାଡରଭୂକ୍ତ କରିବା ପାଇଁ ନିର୍ଦ୍ଦେଶନାମା ପ୍ରକାଶ କଲେ। ଯେଉଁଥିରେ ଯୁକ୍ତ ୨ ସିଟି ଓ ୮ବର୍ଷ କାର୍ଯ୍ୟ କରିଥିବା ଶିକ୍ଷକମାନଙ୍କୁ ମାର୍ଚ୍ଚ ମାସ ୨୦୧୭ ମସିହା ୧ ତାରିଖ ନିୟମିତ କରାଯିବ ବୋଲି ପ୍ରକାଶ କରାଯାଇଥିଲା। କିନ୍ତୁ ଦୁଃଖର କଥା ଆଉ ୫ ମାସ ପରେ ଅର୍ଥାତ୍ ୨୦୧୬ ମସିହା ଡିସେମ୍ବରରେ ଏକ ମୋଡାଲିଟି ପ୍ରକାଶ ପାଇଲା। ଯେଉଁଥିରେ କ୍ୟାଡର ପରିବର୍ତ୍ତେ ଏକ୍ସ କ୍ୟାଡର, ଓଟିଇଟି ନକଲେ ଏହି ବର୍ଗର ଶିକ୍ଷକମାନଙ୍କୁ ୨୦୧୯ରୁ ଇନକ୍ରିମେଣ୍ଟ ବନ୍ଦ ପରି ସର୍ତ୍ତ ଲଗାଇଦେଲେ। ସେହିପରି ୧୮ ହଜାର ଗଣ ଶିକ୍ଷକଙ୍କୁ ୨୦୧୭ ମସିହା ମାର୍ଚ୍ଚ ୧ ତାରିଖରୁ ଏକ୍ସ କ୍ୟାଡରରେ ଶିକ୍ଷକ ଭାବେ ନିୟମିତ କରାଗଲା।

ମାତ୍ର ୪ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ଯୋଗ୍ୟତା ଥାଇ ନିୟମିତ ନହୋଇ ଅଦ୍ୟାବଧି ମାତ୍ର ୭ ହଜାର ଟଙ୍କା ବେତନରେ ଗଣଶିକ୍ଷକ ଭାବେ ଅତି ଦୟନୀୟ ଅବସ୍ଥାରେ କାର୍ଯ୍ୟ କରି ଆସୁଛନ୍ତି। ସରକାରଙ୍କୁ ବାରମ୍ବାର ନିବେଦନ କରିବା ପରେ ମଧ୍ୟ ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁ ନାହାନ୍ତି। ତେଣୁ ବାଧ୍ୟହୋଇ ମହାସଂଘ ପକ୍ଷରୁ ବିଧାନସଭା ଘେରାଉ କରାଯିବ ବୋଲି ଏକ ପ୍ରେସ ବିବୃତିରେ ସଂଘର ଉପଦେଷ୍ଟା ବିଭୂତି ଭୂଷଣ ତ୍ରିପାଠୀ ଜଣାଇଛନ୍ତି। ସେମାନଙ୍କ ଦାବି ହେଲା ନିୟମିତରୁ ବଞ୍ଚିତ ଗଣଶିକ୍ଷକମାନଙ୍କୁ ନିୟମିତ କରିବା, ଏକ୍ସ କ୍ୟାଡର ଉଛେଦ କରି ଟ୍ରେଜେରୀ ମାଧ୍ୟମରେ ବେତନ ଦେବା, ଓଟିଇଟି ଉଛେଦ କରି ଇନକ୍ରିମେଣ୍ଟ ଦେବା, ନନଫର୍ମାଲ ଶିକ୍ଷକ ଓ ନିଶ୍ଚିତ ଶିକ୍ଷାର ଅଭିଜ୍ଞତାକୁ ଆଧାର କରି ପୁରୁଣା ପେନସନ ଲାଗୁ କରିବା କେନ୍ଦ୍ରୀୟ ହାରରେ ବେତନ ଦେବା, ୨୦୦୫ ମସିହା ପୂର୍ବରୁ ନିଯୁକ୍ତି ପାଇ କାର୍ଯ୍ୟ କରି ଆସୁଥବବା ନନଫର୍ମାଲ ଶିକ୍ଷକ ନିଶ୍ଚିତ ଶିକ୍ଷା ଯୋଜନାରେ କାର୍ଯ୍ୟ କରୁଥିବା ଶିକ୍ଷକମାନଙ୍କୁ ନିଯୁକ୍ତି ପରି ଦାବିକୁ ନେଇ ମହାସଂଘର ସଭାପତି ଶିବଲାଲ ସାହୁ, ସଂପାଦକ ବୁଲୁ ବେହେରା, କାର୍ଯ୍ୟକାରୀ ସଭାପତି ତ୍ରିଲୋଚନ ବିଶ୍ୱାଳ, ଉପଦେଷ୍ଟା ବିଭୂତି ଭୂଷଣ ତ୍ରିପାଠୀ, ଉପସଭାପତି ଶନିଶ୍ଚରଂଜନ ବେହେରା, ଅରୁଣ ପଟ୍ଟନାୟକ, ଧର୍ମାନନ୍ଦ ରାଉତ, କୈଳାସ ଜେନା, ଆଦିତ୍ୟ ନନ୍ଦ, ପ୍ରକାଶ ମଲ୍ଲିକ, ସେକ ଅଶ୍ରଫ ଅଲ୍ଲୀ, ସୁରେଶ ବେହେରା, ଭୈରବ ସାହୁ, ମହେନ୍ଦ୍ର ପଟେଲ, କଳ୍ପନା ମଲ୍ଲିକ, ସୁଧାକର ସିଂ, ପ୍ରିୟତମା ସାହୁ, ସେକ ଇସମାଇଲ ସାହା, ଭୀମସେନ ଦ୍ୱିବେଦୀ, ଶିବବ୍ରତି ରାଉତ, ରଘୁବର ରାଉତ, ମୁକ୍ତିକାନ୍ତ ପରିଡ଼ା ପ୍ରମୁଖ ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନରେ ରାଜ୍ୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ଯୋଗ ଦେବାକୁ ନିବେଦନ କରାଯାଇଛି।