Odiapua.com

ଏକଳ ପୁରୁଷ ସରକାରୀ କର୍ମଚାରୀମାନଙ୍କ ପାଇଁ ସନ୍ତାନ ପାଳନ ଅବକାଶ ବୃଦ୍ଧିକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସ୍ୱୀକୃତି

ନୂଆ ଦିଲ୍ଲୀ ୧୧-୮ (ଓଡ଼ିଆ ପୁଅ) ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଏକଳ ପୁରୁଷ ସରକାରୀ କର୍ମଚାରୀମାନଙ୍କ ପାଇଁ ସନ୍ତାନ ପାଳନ ଅବକାଶ ବା ଚାଇଲ୍ଡ କେୟାର ଲିଭ (ସିସିଏଲ) ଲାଭର ବିସ୍ତାର ଏବଂ ପ୍ରତିରକ୍ଷା ବଳର ମହିଳା ଅଧିକାରୀମାନଙ୍କ ପାଇଁ ସିସିଏଲ ପ୍ରାବଧାନରେ କିଛି ଅଧିକ ଛୁଟି ପ୍ରଦାନ କରିବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏହି ଘୋଷଣା କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି)ର ଆଦେଶ ଅନୁରୂପ କରାଯାଇଛି।

ବର୍ତମାନର ପ୍ରତିରକ୍ଷା ବଳରେ ମହିଳା ଅଧିକାରୀମାନଙ୍କୁ ସିସିଏଲ ପ୍ରଦାନ କରାଯାଉଛି। ନିକଟରେ ଡିଓପିଟି କର୍ମଚାରୀମାନଙ୍କୁ ସିସିଏଲ ପ୍ରଦାନ କରିବା ବାବଦରେ କିଛି ସଂଶୋଧନ କରିଛି, ଯାହା ଅନ୍ତର୍ଗତ ଏପର୍ଯ୍ୟନ୍ତ ମହିଳା କର୍ମଚାରୀମାନଙ୍କୁ ପ୍ରଦାନ କରାଯାଉଥିବା ସିସିଏଲକୁ ଏକଳ ପୁରୁଷ ସରକାରୀ କର୍ମଚାରୀମାନଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ କରାଯାଇଛି। ସିସିଏଲର ଲାଭ ନେବା ଉଦ୍ଦେଶ୍ୟରେ ୪୦ ପ୍ରତିଶତ ଦିବ୍ୟାଙ୍ଗ ପିଲାମାନଙ୍କ ମାମଲାରେ ପୂର୍ବରୁ ନିର୍ଦ୍ଧାରିତ ୨୨ ବର୍ଷର ଆୟୁ ସୀମାକୁ ମଧ୍ୟ ହଟେଇ ଦିଆଯାଇଛି। ଏତଦବ୍ୟତୀତ ଏକ ସମୟରେ ପ୍ରାପ୍ତ ହେଉଥିବା ସିସିଏଲର ନ୍ୟୁନତମ ଅବଧିକୁ ଏବେ ୧୫ ଦିନ ପରିବର୍ତେ ୫ ଦିନ କରିଦିଆଯାଇଛି।

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ପ୍ରତିରକ୍ଷା କର୍ମୀମାନଙ୍କୁ ସମାନ ଲାଭର ବିସ୍ତାର କରୁଥିବା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଏହାଫଳରେ ଏକଳ ପୁରୁଷ ସେବାକର୍ମୀ ସିସିଏଲର ଲାଭ ଉଠାଇ ପାରିବେ। ଏକକ ପୁରୁଷ ସରକାରୀ କର୍ମଚାରୀ ଏବଂ ପ୍ରତିରକ୍ଷା ବଳର ମହିଳା ଅଧିକାରୀ ମଧ୍ୟ ୪୦ ପ୍ରତିଶତ ଦିବ୍ୟାଙ୍ଗ ପିଲାମାନଙ୍କ ସମ୍ବନ୍ଧରେ ପିଲାମାନଙ୍କ ଆୟୁ ସୀମା ସହିତ ଜଡିତ କୌଣସି ବି ପ୍ରତିବନ୍ଧ ବିନା ସିସିଏଲର ଲାଭ ଉଠାଇ ପାରିବେ।