Odiapua.com

ଏକମାସ ଧରି କୋଦଳା ଏନଏସି ଲୋକେ ପିଉଛନ୍ତି ଗୋଳିଆ ପାଣି, ଅଭିଯୋଗ କଲେ ବି ମିଳୁନି ସୁଫଳ, ଚେଇଁ ଶୋଇଛି ଜନସ୍ବାସ୍ଥ୍ୟ ବିଭାଗ

କୋଦଳା ୮ ଅଗଷ୍ଟ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) କରୋନା ମହାମାରୀକୁ ନେଇ ସବୁଠି ଏବେ ଚିନ୍ତା ଲାଗି ରହିଥିବା ବେଳେ ସମସ୍ତଙ୍କୁ ସ୍ବଚ୍ଛ ରହିବାକୁ କିଭଳି ପ୍ରାଥମିକ ଦିଆଯିବ ସେ ନେଇ ପ୍ରଶାସନ ଉଦ୍ଯମ ଜାରି ରଖିଛି।ଏଭଳି ସ୍ଥିତିରେ ଗଂଜାମ ଜିଲ୍ଲା କୋଦଳା ଏନଏସିରୁ ଏକ ଅଭାବନୀୟ ଘଟଣା ସାମ୍ମାକୁ ଆସିଛି। ଏନଏସି ବାସିନ୍ଦାଙ୍କୁ ୧୫ ଦିନରୁ ଅଧିକ ହେଲାଣି ଗୋଳିଆ ପାଣି ଯୋଗା ଯାଉଥିବା ନେଇ ଅଭିଯୋଗ ହୋଇଛି। ସରକାର ଘରକୁ ବିଶୁଦ୍ଧ ପାଣି ଯୋଗାଇବାକୁ ଘୋଷଣା କରିଥିବା ବେଳେ ବର୍ତ୍ତମାନ ଏହା ଘୋଷଣାରେ ହିଁ ସୀମିତ ହୋଇ ରହିଛି। ଲୋକକୁଂ ବିଶୁଦ୍ଧ ପାଣି ବଦଳରେ ଦିଆଯାଉଛି ଅପରିଷ୍କାର ନଦୀପାଣୀ। କୋଦଳା ଏନ୍ଏସି ରେ ସରକାରଙ୍କ ନିୟମ ଅନୁଯାୟୀ ପ୍ରତି ପରିବାର କୁ ପାଣି ପାଇପ କନେକ୍ସନ ଦିଆଯାଇଛି ସତ। କିନ୍ତୁ ଏହା କିଭଳି ଢଙ୍ଗରେ ଚାଲିଛି ଓ କେତେଦୂର ଫଳପ୍ରଦ ହୋଇଛି ତାହା ଦେଖିବା ପାଇଁ କୌଣସି ଅଧିକାରୀଙ୍କ ଦେଖାନାହି। ନଳକୂପ ଗୁଡିକ ଦୀର୍ଘଦିନ ପର୍ଯନ୍ତ ମରାମତି ହୋଉନଥିବା ବେଳେ ଦୀର୍ଘ ସମୟ ଧରି ବହୁ ଅଞ୍ଚଳ କୁ ପାଣି ଯୋଗାଣ ବନ୍ଦ ହୋଇଯାଉଛି।ସ୍ଥାନୀୟ ଲୋକେ ବାରମ୍ବାର ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟକୁ ଅଭିଯୋଗ କରିବାକୁ ଗଲେ କାର୍ଯ୍ୟାଳୟରେ ଥିବା କର୍ମଚାରୀଙ୍କ କୌଣସି ସନ୍ତୋଷ ଜନକ ଉତ୍ତର ମିଳୁନଥିବା ଅଭିଯୋଗ ହୋଇଛି। ଉକ୍ତ ବିଭାଗରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ଯିଏକି ପାଣି ପାଇଁ ଚାବି ଖୋଲୁଛନ୍ତି ସେହି ବ୍ଯକ୍ତି ଜଣକ ଅଧିକାଂଶ ସମୟ ମଦ ଦୋକାନରେ ମଦ ପିଇ ମାତାଲ ହେଉଥିବା ଦେଖିବାକୁ ମିଳୁଛି। ଏନ୍ଏସି ଅନ୍ତର୍ଗତ ସମସ୍ତ ଷ୍ଟାଣ୍ଡପୋଷ୍ଟ ଗୁଡିକରୁ ଦୀର୍ଘ ଦିନ ଧରି ଅପରିସ୍କାର ଗୋଳିଆ ପାଣିକୁ କିଭଳି ଭାବେ ବ୍ଯବହାର କରାଯିବ ତାକୁ ନେଇ ଚିନ୍ତାରେ ଲୋକେ। ଦୀର୍ଘଦିନ ଧରି ବିଶୁଦ୍ଧ ପାଣି ବଦଳରେ ସିଧାସଳଖ ନଦୀପାଣି ଯୋଗାଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ବି ମୁରବୀ ବିହୀନ ଜନସ୍ଵାସ୍ଥ୍ଯ ବିଭାଗ କର୍ଣ୍ଣପାତ କରୁନି। ଏକ ମାସଧରି ଦୁଇ ରୁ ଅଧିକା ସାହିକୁ ଜଳଯୋଗାଣ ସମ୍ପୂର୍ଣ ବନ୍ଦ ହୋଇଯାଇଥିବା ବେଳେ ସେହି ସାହି ବାସିନ୍ଦା ଅନ୍ୟ ସାହିକୁ ଯାଇ ପାଣି ଟୋପାଏ ପାଇଁ ଲମ୍ବାଲାଇନ ରେ ଛିଡାହୋଇ ପାଣିମୁନ୍ଦିଏ ଧରି ଘରକୁ ଫେରୁଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ଆବଶ୍ୟକ ନ ଥିଲେ ବି ଗୋଟିଏ ଦୁଇଟି ସାହିକୁ ୨୪ ଘଣ୍ଟିଆ ପାଣି ଯୋଗାଣ ହେଉଥିବା ଦେଖିବାକୁ ମିଳିଛି। ଲୋକଙ୍କ ଅଭିଯୋଗ ଶୁଣିବାକୁ କୌଣସି ଅଧିକାରୀ ନାହାଁନ୍ତି। ଏ ବିଷୟରେ ଅନେକ ଥର କୋଦଳା ଏନ୍ଏସି ଜନସ୍ଵାସ୍ଥ୍ଯ ବିଭାଗ ଦାଇତ୍ଵ ରେ ଥିବା କନିଷ୍ଠଯନ୍ତ୍ରୀ ସନ୍ତୋଷ କୁମାର ପଣ୍ଡାଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ମଧ୍ୟ ସେ ଫୋନ୍ ରିସିଭ କରୁନାହାନ୍ତି। ଲୋକଙ୍କ ଅଭିଯୋଗ ଅନୁଯାୟୀ କନିଷ୍ଠ ଯନ୍ତ୍ରୀ କେବେ ଏଠାରେ ରହୁନାହାନ୍ତି କି ଫୋନ ମଧ୍ୟ ରିସିଭ କରୁନାହାନ୍ତି। ପରେ ପରେ କୋଦଳା ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ସେ ମଧ୍ୟ ସଙ୍ଗେ ସଙ୍ଗେ କନିଷ୍ଠ ଯନ୍ତ୍ରୀଙ୍କୁ ଏହାର ଶୀଘ୍ର ସମାଧାନ କରିବାକୁ କହିଥିଲେ। ତଥାପି କୌଣସି ଫଳ ମିଳିନଥିବା ଜଣାପଡିଛି। ବର୍ଷ ବର୍ଷ ଧରି ପାଣି ଟାକିଂ ଗୁଡିକ ସଫେଇ ନହେବା ଏବଂ ପାଇପ୍ ତଥା ଅନ୍ୟାନ୍ୟ ସରଞ୍ଜାମ ଗୁଡିକ ବିଶୋଧନ ନହେବାରୁ ଏଭଳି ଅପରିସ୍କାର ପାଣି ଆସୁଥିବା ଲୋକେ ଅଭିଯୋଗ କରିଛନ୍ତି। କରୋନାକୁ ନେଇ ସବୁଠି ଏବେ ଚିନ୍ତା ଲାଗି ରହିଥିବା ବେଳେ କୋଦଳା ଏନ୍ ଏ ସି ରେ ଲୋକେ ଗୋଳିଆ ପାଣିକୁ ନେଇ ଅଧିକ ଚିନ୍ତାରେ ପଡିଛନ୍ତି। ବିଭାଗୀୟ ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଆକର୍ଷଣ ନକଲେ ଜନସ୍ଵାସ୍ଥ୍ଯ ବିଭାଗ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ଲୋକେ ଚେତାବନୀ ଦେଇଛନ୍ତି।