Odiapua.com

ଏକକାଳୀନ ଦୁଇଟି ପିନାକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭୁବନେଶ୍ୱର ୨୦-୧୨ (ଓଡ଼ିଆ ପୁଅ) ପିନାକ କ୍ଷେପଣାସ୍ତ୍ର ବ୍ୟବସ୍ଥାର ନିକ୍ଷେପ ପରୀକ୍ଷଣ ଶୃଙ୍ଖଳାର ଅଂଶବିଶେଷ ସ୍ୱରୂପ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଏକକାଳୀନ ଦୁଇଟି ପରୀକ୍ଷାମୂଳକ ନିକ୍ଷେପ ସଫଳତାପୂର୍ବକ ସମ୍ପନ୍ନ ହୋଇଛି। ଡିସେମ୍ବର ୧୯, ୨୦୧୯ରେ ପ୍ରଥମ ପରୀକ୍ଷଣ କରାଯାଇଥିଲା, ଏଥିରେ ୭୫ କିମି ଦୂର ଲକ୍ଷ୍ୟକୁ ସଫଳତା ପୂର୍ବକ ଭେଦ କରାଯାଇଥିଲା।ଆଜି ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ପୂର୍ବାହ୍ନ ୧୧ଟା ସମୟରେ ଦ୍ୱିତୀୟ ପରୀକ୍ଷଣ ସଫଳତାର ସହ ସମ୍ପାଦିତ ହୋଇଥିଲା।

କମ ଦୂରତାରେ ଜୀବନ୍ତ ବିସ୍ଫୋରକ ବହନ କରି ଲକ୍ଷ୍ୟ ଭେଦ କ୍ଷମତା ଓ ଏକକାଳୀନ ନିକ୍ଷେପକୁ ଅନୁଧ୍ୟାନ କରିବା ଉଦ୍ଦେଶ୍ୟରେ ଆଜିର ପରୀକ୍ଷଣ କରାଯାଇଥିଲା। ୬୦ ସେକେଣ୍ଡ ଅନ୍ତରାଳରେ ଦୁଇଟି ପିନାକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ୨୦ କିମି ଦୂରରେ ଥିବା ଲକ୍ଷ୍ୟ ଉଦ୍ଦେଶ୍ୟରେ ଛଡ଼ାଯାଇଥିବା କ୍ଷେପଣାସ୍ତ୍ର ସମ୍ପୂର୍ଣ୍ଣ ସଠିକତା ସହ ଲକ୍ଷ୍ୟ ଭେଦ କରିବାରେ ସକ୍ଷମ ହୋଇଥିଲା। ଏହି କ୍ଷେପଣାସ୍ତ୍ର ସହ ଜୀବନ୍ତ ବିସ୍ଫୋରକ ଓ ପ୍ରକ୍ସିମିଟି ଫ୍ୟୁଜ ସଂଯୋଗ କରାଯାଇଥିଲା। ଟେଲିମେଟ୍ରୀ, ରାଡାର, ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଆଦି ବହୁମୁଖ୍ୟ ବ୍ୟବସ୍ଥା ଜରିଆରେ ଏହାକୁ ଟ୍ରାକ କରାଯାଇଥିଲା, ଯାହା ନିକ୍ଷେପର ପ୍ରଦର୍ଶନକୁ ସୁନିଶ୍ଚିତ କରିଥିଲା।

ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡ. ଜି. ସତୀଶ ରେଡ୍ଡୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ନିମନ୍ତେ ଡିଆରଡିଓ ସମୁଦାୟକୁ ଅଭିନନନ୍ଦନ ଜଣାଇଥିଲେ।