Odiapua.com

ଏଆଇଡିଏସ୍‌ଓ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତବର୍ଷର ସ୍ୱାଧୀନତା ଆନ୍ଦୋଳନର ଆପୋଷହୀନ ଧାରାର ଅନନ୍ୟ ଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜୟନ୍ତୀ ଉପଲକ୍ଷେ ଆଜି ଏଆଇଡିଏସ୍‌ଓ ଭଦ୍ରକ ଜିଲା ପକ୍ଷରୁ ଜିଲା ସଂସ୍କୃତି ଭବନ ଠାରେ ନେତାଜୀ ଜୟନ୍ତୀ ସମାରୋହ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସେଠାରେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ ଓ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହାପରେ ଗୋବିନ୍ଦ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜୟନ୍ତୀ ସଭାରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପକ ତଥା ବିଶିଷ୍ଟ ବୁଦ୍ଧିଜୀବୀ ଡ. ବ୍ରଜମୋହନ ମିଶ୍ର ମୁଖ୍ୟଅତିଥି, ବିଶିଷ୍ଟ ଚିତ୍ରଶିଳ୍ପୀ ରତିକାନ୍ତ ଦାଶ, ଏଆଇଡିଏସ୍‌ଓର ରାଜ୍ୟ ସଂପାଦକ ସିଦ୍ଧାର୍ଥ ରଥ ମୁଖ୍ୟବକ୍ତା ଭାବେ ନିଜର ଅଭିଭାଣେ ରଖିଥିଲେ ବକ୍ତାମାନେ ନିଜର ବକ୍ତବ୍ୟରେ ମହାନ୍ ନେତାଜୀ ସୁଭାଷଙ୍କ ସଂଗ୍ରାମୀ ଜୀବନର ଚର୍ଚ୍ଚା କରିବା ସହ ତାଙ୍କ ସଂଗ୍ରାମୀ ଜୀବନରୁ ଶିକ୍ଷା ନେଇ ଆଜିର ପରିସ୍ଥିତିରେ ନିଜର କର୍ତ୍ତବ୍ୟ ପାଳନ କରିବାକୁ ଆହ୍ୱାନ ଦେଇଥିଲେ । ଏକ ଶୋଷଣମୁକ୍ତ ସୁନ୍ଦର ସ୍ୱାଧୀନ ଭାରତବର୍ଷର ସ୍ୱପ୍ନ ନେତାଜୀ ତଥା ଅଗଣିତ ସ୍ୱାଧୀନତା ସଂଗ୍ରାମରେ ନିଜର ପ୍ରାଣ ବିସର୍ଜନ କରିଥିବା ସଂଗ୍ରାମୀମାନେ ଦେଖିଥିଲେ । ମାତ୍ର ସେମାନଙ୍କ ସ୍ୱପ୍ନ ଅଧୁରା ରହିଯାଇଛି । ବେକାରୀତ୍ୱ, ଅନାହାର, ଅଶିକ୍ଷାରେ ଆଜି ସାରା ସମାଜ ଜର୍ଜରିତ । ଦିବାଲୋକରେ କନ୍ୟା ଶିଶୁଠାରୁ ଆରମ୍ଭ କରି ବୃଦ୍ଧାଙ୍କ ପର୍ଯ୍ୟନ୍ତ ପାଶବିକ ଅତ୍ୟାଚାରର ଶୀକାର ହେଉଛନ୍ତି । ଜାତି-ଧର୍ମକୁ ନେଇ ବିଭେଦ ସୃଷ୍ଟି ହେଉଛି । ଏଭଳି ପରିସ୍ଥିତିରେ ସେହି ମହାନ୍ ନେତାଜୀଙ୍କ ସ୍ୱପ୍ନକୁ ପୂରଣ କରିବାରେ ଲକ୍ଷ୍ରରେ ପ୍ରତିଟି ଛାତ୍ର ଯୁବକ ସେମାନଙ୍କ ଉପରେ ଐତିହାସିକ ଭାବେ ନ୍ୟସ୍ତ ଦାୟିତ୍ୱ ପାଳନ କରିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ । ଶେଷରେ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଜିତେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲାବେଳେ କାର୍ଯ୍ୟକ୍ରମ ପରିଚାଳନାରେ ମଣ୍ଟୁ ଚନ୍ଦ୍ର ମଲ୍ଲିକ ସାହାଯ୍ୟ କରିଥିଲେ । ସଭାପତିଙ୍କ ଅଭିଭାଷଣ ମଧ୍ୟ ଦେଇ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।