Odiapua.com

ଏଆଇଟିୟୁସି ପକ୍ଷରୁ କେନ୍ଦ୍ରୀୟ ଶ୍ରମିକ ନେତା ସି ଶ୍ରୀକୁମାରଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର, ୧୫-୨ (ଓଡ଼ିଆ ପୁଅ/ଅଭୟ ଦାସ): କେନ୍ଦ୍ର ଶ୍ରମିକ ସଂଗଠନ ‘ଏଆଇଟିୟସି’ବାଲେଶ୍ୱର ଜିଲା କମିଟି ପକ୍ଷରୁ ସର୍ବଭାରତୀୟ ପ୍ରତିରକ୍ଷା କର୍ମଚାରୀ ଫେଡେରେସନର ସାଧାରଣ ସଂପାଦକ ସି ଶ୍ରୀକୁମାରଙ୍କୁ ସୋମବାର ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସଂଗଠନର ସଭା ଜିଲ୍ଲା ସଭାପତି ଭାଗବତ ପ୍ରତିହାରୀଙ୍କ ପୌରହିତ୍ୱରେ ଆୟୋଜିତ ଉତ୍ସବରେ ଯୋଗଦେଇ ସି ଶ୍ରୀକୁମାର ସାମ୍ପ୍ରତିକ ସ୍ଥିତିରେ କ୍ଷୁର୍ଣ୍ଣ ହୋଇଥିବା ଶ୍ରମିକ, କର୍ମଚାରୀ, କୃଷକ, ଛାତ୍ର, ଯୁବକ, ମହିଳାଙ୍କ ସମେତ ସମସ୍ତ ବର୍ଗର ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ ନେଇ ଉଦବେଗ ପ୍ରକାଶ କରିଥିଲେ। କେନ୍ଦ୍ର ସରକାର ମୁଷ୍ଟିମେୟ ଉଦ୍ୟୋଗୀ୍ ବନ୍ଧୁଙ୍କ ସ୍ୱାର୍ଥରକ୍ଷାକୁ ଗୁରୁତ୍ୱ ଦେଇ ଜନମତକୁ ଭ୍ରୁକ୍ଷେପ କରୁନାହାନ୍ତି ବୋଲି ସେ ଆରୋପ କରିଥିଲେ। ଏଭଳି ସ୍ଥିତିର କଡ଼ା ମୁକାବିଲା ପାଇଁ ଦଳ, ମତ ଆଦି ନିର୍ବିଶେଷରେ ସବୁ ବର୍ଗର ଲୋକେ ଐକ୍ୟବଦ୍ଧ ସଂଗ୍ରାମ ଚଳାଇବା ହିଁ ସମୟର ଆହ୍ୱାନ। ଅନ୍ୟପକ୍ଷରେ କୃଷକ ଆନ୍ଦୋଳନର ୮୨ ଦିନ ପରେ କେନ୍ଦ୍ର ସରକାର ୩ କୃଷି ଆଇନ ପ୍ରତ୍ୟାହାର ନ କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ। କୃଷକମାନଙ୍କ ଆନ୍ଦୋଳନକୁ ଭାରତବର୍ଷର ସମସ୍ତ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ସମର୍ଥନ ଜ୍ଞାପନ କରିବା ଆଗାମୀ ଦିନର ସରକାର ବିରୋଧୀ ଆନ୍ଦୋଳନକୁ ତୀବ୍ର କରିବ ବୋଲି ସେ ଆଶା ପ୍ରକଟ କରିଥିଲେ। ବିଭିନ୍ନ ସଂଗଠନ ଯଥା ରିକ୍ସାଚାଳକ ସଂଘ, ଜିଲ୍ଲା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସଂଘ, ପାୱାର ଏମ୍ପ୍ଲୟିଜ ୟୁନିୟନ, ଉଠାଜଳସେଚନ କର୍ମଚାରୀ ସଂଘ ତରଫରୁ ପୁଷ୍ପଗୁଚ୍ଛ ଦେଇ ଶ୍ରୀକୁମାରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଗୌରାଙ୍ଗ ପାଣିଗ୍ରାହୀ, ବିକାଶ ଦାସ, ସିଟୁ ପକ୍ଷରୁ ଶ୍ୟାମସୁନ୍ଦର ଜେନା, ଭରତ ସେଠୀ, ଗୌରୀ ଦାସ, ମାୟାଧର ନାୟକ, ସେଖ ସଲ୍ଲାଉଦ୍ଦିନ, ଉମାକାନ୍ତ ଜେନା, ସନ୍ତୋଷ ରଣା, ପୂର୍ଣ୍ଣଚନ୍ଦ୍ର ପାତ୍ର, ଶରତ ଦଳେଇ, ଶଶି ବେହେରା, ଯତୀନ ପାତ୍ର ପ୍ରମୁଖ ବିଭିନ୍ନ ସଂଗଠନର କର୍ମକର୍ତ୍ତା ବକ୍ତବ୍ୟ ରଖିଥିଲେ। ଜିଲା ସଂପାଦକ ଶ୍ୟାମସୁନ୍ଦର ଜେନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।