Odiapua.com

ଋଣ ପଇଠ ନକରିବାରୁ ଯୁବକଙ୍କୁ ଅପହରଣ ଅଭିଯୋଗ – ଉଦ୍ଧାର କଲା ପୁଲିସ

ଯାଜପୁର ୨୮-୮ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଘରୋଇ ଫାଇନାନ୍‌ସ କମ୍ପାନିରୁ ଋଣ ଆଣି ସୁଝି ନ ପାରିବାରୁ ଯାଜପୁର ଟାଉନ୍‌ଥାନା ଅଂଚଳରେ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଁଚି ଥିଲା। ପୁଲିସ ଅପହର୍ତ୍ତାକୁ ଉଦ୍ଧାର କରିବା ସହିତ ଅପହରଣ କରିବା ଅଭିଯୋଗରେ ଜଣକୁ ଅଟକ ରଖି ପଚରା ଉଚୁରା କରୁଛି। ଘରୋଇ କମ୍ପାନି କର୍ତ୍ତୃପକ୍ଷ ଯୁବକଙ୍କୁ ବନ୍ଧକ ରଖିଥିଲେ। ସୂଚନା ମିଳିବା ପରେ ଯାଜପୁର ଟାଉନ ଥାନା କୁସୁମା ପାର୍କ ଅଞ୍ଚଳର ଏକ ଘର ଭିତରୁ ଖଣ୍ଡରା ଅଂଚଳର ଯୁବକ ମାନସ ଗେଡିଙ୍କୁ ପୁଲିସ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ମାନସ କୁସୁମା ଅଂଚଳର ଜଣେ ମହିଳାଙ୍କ ଠାରୁ କିଛି ଟଙ୍କା ନେଇଥିଲେ। ଧୀରେ ଧୀରେ ସୁଧ ଦେଉଥିଲେ ହେଁ ଗତ କିଛି ଦିନ ହେଲା ଅସୁବିଧା ପାଇଁ ଦେଇ ପାରି ନଥିଲେ। ଗତକାଲି ରାତିରେ ସଂପୃକ୍ତ ମହିଳା ଓ ଅନ୍ୟ ଦୁଇ ଜଣ ଯୁବକ ମାନସଙ୍କୁ ଅପହରଣ କରି ନେଇ କୁସୁମା ପାର୍କ ନିକଟରେ ଏକ ଘରେ ଅଟକ ରଖିଥିଲେ। ମାନସଙ୍କ ପତ୍ନୀ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ଯୁବକଙ୍କୁ ଉଦ୍ଧାର କରିଥିଲା। ପୁଲିସ କମ୍ପାନିର ଜଣେ କର୍ମଚାରୀଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ବୋଲି ଯାଜପୁର ଏସ୍‌ଡିପିଓ ସୂଚନା ଦେଇଛନ୍ତି।