Odiapua.com

ଉପ-ନିର୍ବାଚନ ସଫଳତାକୁ ନେଇ ବିଜେଡିର କାର୍ଯ୍ୟକର୍ତ୍ତା ସମ୍ମିଳନୀ : ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି କାର୍ଯ୍ୟକାରିତା ଉପରେ ଗୁରୁତ୍ୱ

ବାଲେଶ୍ୱର, ୧୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ସଦର ଉପ-ନିର୍ବାଚନରେ ସଫଳତା ପରେ ବିଜେଡିର ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ସମ୍ମିଳନୀ ଜିଲ୍ଳା ସଭାପତିଙ୍କ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଯାଇଛି। ବିଜେଡି ଜିଲ୍ଳା ସଭାପତି ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଏଥିରେ ଅଧ୍ୟକ୍ଷତା କରିବା ସହିତ ଉପସ୍ଥିତ ରାଜ୍ୟନେତା ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବାଲେଶ୍ୱରର ବିକାଶକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି କାର୍ଯ୍ୟକାରିତା ନେଇ ଚିଠା ପ୍ରସ୍ତୁତି ସମ୍ପର୍କରେ ସେ ସମସ୍ତଙ୍କୁ ସୂଚନା ଦେଇଥିଲେ। ଆଇନମନ୍ତ୍ରୀ ପ୍ରତାପ ଜେନା, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରାଜ୍ୟସଭା ସାଂସଦ ପ୍ରତାପ ଦେବ, ବିଜେଡି ରାଜ୍ୟ ଉପ-ସଭାପତି ବିଧାୟକ ଦେବୀ ପ୍ରସାଦ ମିଶ୍ର, ଭୋଗରାଇ ବିଧାୟକ ଅନନ୍ତ ଦାସ, ବିଜେଡି ସାଧାରଣ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ବିଧାୟକ ଅରୁଣ ଦେ, ନବ-ନିର୍ବାଚିତ ସଦର ବିଧାୟକ ସ୍ୱରୂପ ଦାସ ପ୍ରମୁଖ ଏଥିରେ ଯୋଗଦେଇ ଗତ ଉପ-ନିର୍ବାଚନରେ ବାଲେଶ୍ୱରବାସୀଙ୍କ ଆଶାତୀତ ସମର୍ଥନକୁ ନେଇ କୃତଜ୍ଞତା ପ୍ରକାଶ ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାରରେ ନ ଆସି ଜିଲ୍ଲାର ବିକାଶ ପାଇଁ ଦେଇଥିବା ପ୍ରତିଶ୍ରୁତି କିପରି କାର୍ଯ୍ୟକାରୀ ହେବ ସେନେଇ ଏହି ସମ୍ମିଳନୀରେ ଉପସ୍ଥିତ ନେତାମାନେ ଚିଠା ପ୍ରସ୍ତୁତ କରିଥିଲେ। ନିର୍ବାଚନ ସମୟରେ ପ୍ରଚାର କାର୍ଯ୍ୟକୁ ପରିଚାଳନା କରିଥିବା ପର୍ଯ୍ୟବେକ୍ଷକମାନେ ପୁଣିଥରେ ନିର୍ଦ୍ଦିଷ୍ଟ ପଞ୍ଚାୟତ ଓ ୱାର୍ଡ଼କୁ ଯାଇ ଜନସାଧାରଣଙ୍କୁ ଭେଟି ସେମାନଙ୍କ ସମର୍ଥନ ପାଇଁ କୃତଜ୍ଞତା ଜଣାଇବେ। କୃତଜ୍ଞତା ଜଣାଇବା ଅବସରରେ ଜନସାଧାରଣଙ୍କ ସମସ୍ୟା ସଂଗ୍ରହ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯିବ। ପରବର୍ତ୍ତୀ ସମୟରେ କମ୍ ସମୟ ମଧ୍ୟରେ କିପରି ଲୋକଙ୍କ ସମସ୍ୟା ସମାଧାନ ହେବ ସେନେଇ ଉଚିତ ପଦକ୍ଷେପ ଗହଣ କରାଯିବ ବୋଲି ମନ୍ତ୍ରୀ ଓ ବିଜେଡି ରାଜ୍ୟ ନେତାମାନେ ସୂଚନା ଦେଇଥିଲେ। ତେବେ ପର୍ଯ୍ୟବେକ୍ଷକମାନେ ଆସନ୍ତାକାଲିଠାରୁ ୱାର୍ଡ଼ ଓ ପଞ୍ଚାୟତକୁ ଯାଇ କାର୍ଯ୍ୟ ଆରମ୍ଭ କରିବେ ବୋଲି ଏହି ସମ୍ମିଳନୀରେ ନିଷ୍ପତି ନିଆଯାଇଥିଲା। ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଓ ଜିଲ୍ଲାବାସୀଙ୍କ ବିଶ୍ୱାସକୁ ଆଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରାଯିବ ବୋଲି ନେତାମାନେ କହିଛନ୍ତି। ଶେଷରେ ସମାଜସେବୀ ସୁବାସିନୀ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମ୍ମଳନୀରେ ବିଜେଡିର ଜିଲ୍ଲାସ୍ତରୀୟ ବହୁ ଛାମୁଆ ନେତା ଓ କର୍ମୀ ଉପସ୍ଥିତ ଥିଲେ।