Odiapua.com

ଉପ-ନିର୍ବାଚନ ପ୍ରାର୍ଥୀ ଚୟନରେ ପ୍ରତିଫଳିତ ବିଜେପି-ବିଜେଡି ସମ୍ପର୍କ: କେନ୍ଦ୍ରୀୟ ବିଜେପି ନେତାଙ୍କ ପ୍ରସ୍ତାବରୁ ସ୍ୱରୂପ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ଅଭିଯୋଗ

ବାଲେଶ୍ୱର, ୧୨ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସଦର ଉପ-ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଭାବେ ପୂର୍ବତନ କାଉନସିଲର ସ୍ୱରୂପ ଦାସଙ୍କ ନାମ ଆଜି ଘୋଷଣା ପରେ କର୍ମୀ ମହଲରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ପ୍ରାର୍ଥୀ ଦୌଡ଼ରେ ଥିବା ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ସମେତ ସହଧର୍ମିଣୀ ସମାଜସେବୀ ସୁବାସିନୀ ଜେନା ପ୍ରମୁଖଙ୍କୁ ବାଦ୍ ଦେଇ ଦଳୀୟ ରାଜ୍ୟ ମୁଖ୍ୟଙ୍କର ଏହି ନିଷ୍ପତି ବାସ୍ତବରେ ବିରୋଧୀ ବିଜେପି ପ୍ରତିଦ୍ୱନ୍ଦ୍ୱୀଙ୍କୁ ଜିତାଇବା ଉଦ୍ଦେଶ୍ୟରେ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି।ଏହି ପ୍ରାର୍ଥୀ ଚୟନରେ ଫିକ୍ସିଂ ହୋଇଛି ବୋଲି କେତେକ କର୍ମୀ ଆରୋପ ଉଠାଉଥିବା ବେଳେ ବିଜେପି କେନ୍ଦ୍ରୀୟ ନେତାଙ୍କ ପ୍ରସ୍ତାବ କ୍ରମେ ବିଜେଡି ଏଭଳି ନିଷ୍ପତି ନେଇଛନ୍ତି ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି। ବିଜେପି-ବିଜେଡିର ଭିତିରି ସମ୍ପର୍କର ଏହା ଏକ ନମୁନା ବୋଲି କୁହାଯାଉଛି। ଯେହେତୁ ଏହି ସଦର ଆସନ ବିଜେପି ଦଖଲରେ ଥିଲା, ଅତଏବେ ଏହାକୁ ଫେରାଇ ଦେବା ପାଇଁ ବିଜେଡି ମୁଖ୍ୟ ଓ ଦ୍ୱିତୀୟ କ୍ଷମତା କେନ୍ଦ୍ରଙ୍କଠାରେ କେନ୍ଦ୍ରୀୟ ବିଜେପି କର୍ମକର୍ତ୍ତାମାନେ ପ୍ରସ୍ତାବ ଦେଇ ଥାଇପାରନ୍ତି ବୋଲି ଏବେ ଆଲୋଚନା ହେଉଛି। ବିଜେପି କେନ୍ଦ୍ରୀୟ ନେତାଙ୍କ ପ୍ରସ୍ତାବକୁ ଗ୍ରହଣ ପୂର୍ବକ ବିଜେଡି ରାଜ୍ୟ କର୍ମକର୍ତ୍ତାମାନେ ଶେଷରେ ସ୍ୱରୂପ ଦାସଙ୍କୁ ଦୁର୍ବଳ ପ୍ରାର୍ଥୀଭାବେ ଚୟନ କରିଥିବା କୁହାଯାଉଛି। ତେବେ ୨୦୧୨ ପୌର ନିର୍ବାଚନରେ ପ୍ରଥମଥର ପାଇଁ ରାଜନୀତିରେ ପାଦ ଥୋଇ କାଉନସିଲର ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ଶ୍ରୀ ଦାସ। ୫ ନଂର ୱାର୍ଡ଼ର କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀ ଟାଣୁଆ ସଂଗଠକ ଭାଗବତ ସାହୁଙ୍କୁ ହରାଇବା ପାଇଁ ଶେଷରେ ପୂର୍ବତନ ବିଧାୟକ ଅରୁଣ ଦେଙ୍କଠାରେ ଶ୍ରୀ ଦାସଙ୍କୁ ଶରଣ ପଶିବାକୁ ପଡ଼ିଥିଲା। ଅରୁଣ ଦେଙ୍କ ରଣକୌଶଳ ଯୋଗୁଁ ଶେଷରେ ଅତିକଷ୍ଟରେ ମାତ୍ର ୨/୪ଶହ ଭୋଟ ବ୍ୟବଧାନରେ ଶ୍ରୀ ଦାସ ବିଜୟୀ ହୋଇଥିଲେ। ଲକ୍ ଡାଉନ୍ ପୂର୍ବରୁ ରାଜନୀତିରୁ ଦୂରେଇ ରହିଥିବା ଶ୍ରୀ ଦାସ କରୋନାରେ ପୀଡ଼ିତ ହୋଇ ଦୀର୍ଘ ଦେଢ଼ମାସ ଧରି ହୋମ ଆଇସୋଲେସନରେ ରହି ଆସୁଥିଲେ।ଏହି ଉପ-ନିର୍ବାଚନକୁ ବୈତରଣୀକୁ ଶ୍ରୀ ଦାସ କିଭଳି ପରିହେବେ ତାହା କେବଳ ସମୟ କହିବ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଶ୍ରୀ ଦାସଙ୍କୁ କେଉଁ ଦୃଷ୍ଟିକୋଣରୁ ଚଳିତ ଉପ-ନିର୍ବାଚନରେ ପ୍ରାର୍ଥୀ କରାଯାଇଛି, ତାହାକୁ ନେଇ ସେ ସନ୍ଦୀହାନ ହୋଇ ପଡ଼ିଥିବା କହିଛନ୍ତି। ତେବେ ଦଳର ନିଷ୍ପତିକୁ ସେ ଗ୍ରହଣ କରିଥିଲେ ବି ବିଜେଡି ଜିଲ୍ଲା ସଭାପତି ଶ୍ରୀ ଜେନାଙ୍କୁ ସାକ୍ଷାତ କରିବା ପରେ ଯାହା ପଦକ୍ଷେପ ନେବେ ବୋଲି ସେ ସାମ୍ବାଦିକମାନଙ୍କୁ ଆଜି ସୂଚନା ଦେଇଛନ୍ତି। ଯଦିଚଃ ବିଗତ ଦିନରେ ତାଙ୍କର ବଡ଼ଭାଇ ତଥା ପୂର୍ବତନ ପୌରାଧ୍ୟକ୍ଷ ଅନୁପ ଦାସ ସ୍ୱାଧୀଭାବେ ପ୍ରତିଦ୍ୱନ୍ଦ୍ୱିତା କରି ବେଶ ସନ୍ତୋଷଜନକ ଭୋଟ ପାଇଥିଲେ ତେବେ ସମ୍ପ୍ରତି ସେଭଳି ସ୍ଥିତି ନଥିବା ବେଳେ ଦଳୀୟ ମୁଖ୍ୟ କାହିଁକି ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି, ତାହା ତାଙ୍କ ପାଇଁ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଶ୍ରୀ ଦାସ କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀ ଦାସଙ୍କ ପ୍ରାର୍ଥିତ୍ୱକୁ ନେଇ ବିଜେଡି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବା ସହ ଦଳ ଛାଡ଼ିବା ନେଇ କେତେକ ଚେତାବନୀ ଦେଇଛନ୍ତି।