Odiapua.com

ଉପ-ନିର୍ବାଚନ ପ୍ରଚାରର ଅନ୍ତିମ ଦିବସ : ତିନି ପ୍ରମୁଖ ଦଳର ଶୋଭାଯାତ୍ରାରେ କମ୍ପିଲା ନିର୍ବାଚନ ମଣ୍ଡଳୀ

ବାଲେଶ୍ୱର, ୧-୧୧(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଉପ-ନିର୍ବାଚନ ପ୍ରଚାରର ଆଜି ଶେଷଦିନ ଥିବା ବେଳେ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ସମଗ୍ର ନିର୍ବାଚନମଣ୍ଡଳୀରେ ଶୋଭାଯାତ୍ରା ଓ ପଦଯାତ୍ରା ଆଦି ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ହଳଦୀପଦା ବଜାରରୁ ଶତାଧିକ ବିଜେପି କର୍ମୀ ସାଇକେଲ ର‌୍ୟାଲିରେ ବାହାରି ଆଖପାଖ ଏକାଧିକ ପଞ୍ଚାୟତ ପରିକ୍ରମା କରିଥିଲେ। କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହି ର‌୍ୟାଲିରେ ଯୋଗଦେଇ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ। ବିଭିନ୍ନ ସ୍ଥାନରେ ଦଳୀୟ କର୍ମକର୍ତ୍ତା, ପ୍ରାର୍ଥୀ ମାନସ ଦତ୍ତ ଓ ରାଜ୍ୟସ୍ତରୀୟ ନେତାମାନେ ର‌୍ୟାଲିରେ ଯୋଗ ଦେଇଥିଲେ। ଏହି ନିର୍ବାଚନ ପରିପ୍ରେକ୍ଷୀରେ ସେ ସଦର ନିର୍ବାଚନମଣ୍ଡଳୀରେ ୧୮ରୁ ଊର୍ଦ୍ଧ୍ୱ ପଞ୍ଚାୟତକୁ ଯାଇ ମାନସଙ୍କ ସପକ୍ଷରେ ପ୍ରଚାର କରିଥିବା ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। କେବଳ ହଳଦୀପଦା କିମ୍ବା ରୂପସା ନୁହେଁ ଆଜି ଶେଷ ଦିନରେ ସମଗ୍ର ନିର୍ବାଚନମଣ୍ଡଳୀରେ ଏହିଭଳି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ସେ କହିଛନ୍ତି। ସେହିଭଳି ବିଜେଡି ପକ୍ଷରୁ ମଧ୍ୟ ସମଗ୍ର ନିର୍ବାଚନମଣ୍ଡଳୀରେ ଆଜି ମହିଳା, ଯୁବ, ଛାତ୍ରଙ୍କ ସମେତ ଦଳୀୟ କର୍ମୀଙ୍କୁ ନେଇ ପଦଯାତ୍ରା, ର‌୍ୟାଲି ପ୍ରଭୃତି ଅନୁଷ୍ଠିତ ହୋଇଥିବା ଲକ୍ଷ୍ୟ କରାଯାଇଛି। ନିର୍ବାଚନମଣ୍ଡଳୀର ୨୬ ଗୋଟି ପଞ୍ଚାୟତ ଓ ପୌରପାଳିକାର ୩୧ ଗୋଟି ୱାର୍ଡ଼ରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ର‌୍ୟାଲିରେ ବିଜେଡି କର୍ମକର୍ତ୍ତାଙ୍କ ସମେତ ମନ୍ତ୍ରୀ ବିଧାୟକ, ରାଜ୍ୟସ୍ତରୀୟ ନେତା ଏମିତିକି ପ୍ରାର୍ଥୀ ସ୍ୱରୂପ ଦାସ ଯୋଗଦେଇ ଅଂଶଗ୍ରହଣ କରିଥିବା ବିଭିନ୍ନ ବର୍ଗର କର୍ମୀଙ୍କୁ ଉତ୍ସାହିତ କରିଥିଲେ। ଅନୁରୂପ ଭାବେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ମମତା କୁଣ୍ଡୁଙ୍କ ସପକ୍ଷରେ ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନରେ ପୌରାଞ୍ଚଳରେ ଜିଲ୍ଲା ସଭାପତି ସଂଜୀବ ଗିରିଙ୍କ ନେତୃତ୍ୱରେ ଆୟୋଜିତ ପଦଯାତ୍ରାରେ ପିସିସି ରାଜ୍ୟ ଉପ-ସଭାପତି ପ୍ରଦୀପ ମାଝୀ, ବିଧାୟକ ତାରାପ୍ରସାଦ ବାହିନୀପତି, କଂଗ୍ରେସ ନେତା ସୁଦର୍ଶନ ଦାସ, ଶତ୍ୟଶିବ ଦାସଙ୍କ ସମେତ ପ୍ରାର୍ଥୀ ମମତା କୁଣ୍ଡୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ଶୋଭାଯାତ୍ରା ପୌରାଞ୍ଚଳର ଏକାଧିକ ୱାର୍ଡ଼ ପରିକ୍ରମା କରିଥିଲା। ଅପରାହ୍ନରେ ମହିଳା କଂଗ୍ରେସ ପକ୍ଷରୁ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା ସହ ଫାଣ୍ଡିଛକ, ସିନେମାଛକ ଦେଇ ଟାଉନଥାନା ନିକଟରେ ଶେଷ ହୋଇଥିଲା।