Odiapua.com

ଉପ-ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ିବେନି ପୂର୍ବତନ ପୌରପାଳ – ଆଲୋକ ସାହୁଙ୍କ ଭୟ ମିଶ୍ରିତ ସ୍ୱର-ଚାପଗ୍ରସ୍ତ ସ୍ଥିତିକୁ ନେଇ ଚର୍ଚ୍ଚା

ବାଲେଶ୍ୱର, ୭ା୧୦(ଓଡ଼ିଆ ପୁଅ/ଅଭୟ ଦାସ) : ସଦର ଉପ-ନିର୍ବାଚନ ପାଇଁ ପ୍ରମୁଖ ରାଜନୈତିକ ଦଳମାନଙ୍କ ପକ୍ଷରୁ କସରତ୍ ଆରମ୍ଭ ହୋଇଯାଇଥିବା ବେଳେ ପୂର୍ବତନ ବାଲେଶ୍ୱର ପୌରାଧ୍ୟକ୍ଷ ଆଲୋକ କୁମାର ସାହୁ ବିଜେଡି ଛାଡ଼ୁ ନାହାନ୍ତି ବୋଲି ଆଜି ଘୋଷଣା କରିବା ଭଳି ଘଟଣାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ କଳିଙ୍ଗ ହୋଟେଲ ପରିସରରେ ଅୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ସାହୁ ବିଜେଡି ଜିଲ୍ଲା ସଭାପତି ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ପ୍ରତି ଅନୁଗତ ପ୍ରକାଶ କରିବା ଓ ପୂର୍ବପରି ଦଳରେ ରହିଛନ୍ତି ବୋଲି କହିଛନ୍ତି। ବିଜେଡି ପରିତ୍ୟାଗ କରିବା ନେଇ ଶୁଣାଯାଉଥିବା ତୁଣ୍ଡବାଇଦକୁ ବିଶ୍ୱାସ ନ କରିବାକୁ ସେ ସମ୍ବାଦିକମାନଙ୍କୁ କହିଛନ୍ତି। ବିଗତ ଦିନରେ ଯଦିଚଃ ସେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କର ସହଯେଗୀ ଭାବେ କାର୍ଯ୍ୟ କରିଆସିିଥିଲେ, ତେବେ ମୁଣ୍ଡ ଉପରେ ଉପ-ନିର୍ବାଚନ ଥିବା ବେଳେ ଦଳ ଛାଡ଼ିବା ନେଇ ତାଙ୍କ ନାମରେ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ପ୍ରକାଶ ପାଇଥିବା ସମ୍ବାଦ ସମ୍ପୂର୍ଣ୍ଣ ମିଛ ବୋଲି ସେ ସ୍ପଷ୍ଟ କରିଛନ୍ତି। ସଦର ବ୍ଲକ ଚେୟାରମ୍ୟାନ୍ ନାରାୟଣ ପ୍ରଧାନ ଓ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କ ଆଗାମୀ ନିଷ୍ପତି ସମ୍ପର୍କରେ ସେ କିଛି କହିବାକୁ ମନାକରି ଦେଇଥିଲେ। ସେ ପୂର୍ବତନ ବିଧାୟକ ଶ୍ରୀ ଦାଶ ଓ ସଦର ବ୍ଲକ ଚେୟାରମ୍ୟାନ୍ ଶ୍ରୀ ପ୍ରଧାନଙ୍କ ସହ ଭୁବନେଶ୍ୱର ଯାଇ ନଥିବା କହିଛନ୍ତି। ଆସନ୍ତା ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଜିଲ୍ଲା ସଭାପତି ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିବେ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ସେ କଥା କହୁଥିବା ବେଳେ ଅତ୍ୟନ୍ତ ମାନସିକ ଚାପରେ ଥିବା ଭଳି ପରିଲକ୍ଷିତ ହୋଇଥିଲା। ଗତ କିଛିଦିନ ପୂର୍ବରୁ ଦଳୀୟ ଅସନ୍ତୁଷ୍ଟ ସମ୍ପର୍କରେ କେତେକ ମିଡିଆକୁ ସେ ପରୋକ୍ଷ ସୂଚନା ଦେଇଥିବା ବେଳେ ଆଜି ହଠାତ ତାଙ୍କର ଏହି ପରିବର୍ତ୍ତିତ ମତ ସମସ୍ତଙ୍କୁ ଆଚମ୍ବିତ କରିଥିଲା। ପ୍ରକୃତରେ କେଉଁ କାରଣ ପାଇଁ ପୂର୍ବତନ ବିଧାୟକ ଶ୍ରୀ ଦାଶଙ୍କ ସହ ଥିବା ଦୀର୍ଘଦିନର ଘନିଷ୍ଠତା ତ୍ୟାଗ କରି ସେ ବିଜେଡିରେ ପୂର୍ବପରି ଅଛନ୍ତି ବୋଲି ବାରମ୍ବାର କହି ଚାଲିବା ସମସ୍ତଙ୍କ ମଧ୍ୟରେ କୁହେଳିକା ସୃଷ୍ଟି କରିଛି। ତାଙ୍କ ମୁହଁରୁ ଭୟର ଚିହ୍ନ ସ୍ପଷ୍ଟ ବାରି ହୋଇ ପଡ଼ୁଥିବା ବେଳେ ଏହା ପୃଷ୍ଟର କାରଣ ସାମ୍ବାଦିକମାନଙ୍କୁ ଗୋଲକ ଧନ୍ଦାରେ ପକାଇଛି। ପୌରପାଳ ଥିବା ବେଳେ ଏମିତି କିଛି ଘୋଟାଲାରେ ସଂଶ୍ଳିଷ୍ଟ ଅଛନ୍ତି କି, ଯାହା ଆଗାମୀ ଦିନରେ ବିବାଦରେ ଛନ୍ଦିହେବା ସହିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଭଳି ଦଣ୍ଡଭୋଗିବାର ପରିସ୍ଥିତି ସୃଷ୍ଟି ହେବା ନେଇ ତାଙ୍କୁ ଧମକ ଦିଆଯାଇଛି କି। ଦୁଇଦିନ ମଧ୍ୟରେ ତାଙ୍କର ସ୍ୱର ପରିବର୍ତ୍ତନ ପଛର କାରଣ ଖୋଜିବାରେ ଲାଗିଛନ୍ତି ସାମ୍ବାଦିକମାନେ। ତେବେ ଆଜିର ସାମ୍ବାଦିକ ସମ୍ମିଳନୀରେ ତାଙ୍କର ଏହି ସୂଚନା, ନାରାୟଣ ଓ ଜୀବନଙ୍କଠାରୁ ଯେ ସେ ସମଦୂରତା ଅବଲମ୍ବନ କରୁଛନ୍ତି, ତାହା ଏକ ପ୍ରକାର ସ୍ପଷ୍ଟ କରିଛି। ଅନ୍ୟପକ୍ଷରେ ପୌର ପରିଷଦ ଭାଙ୍ଗିବା ପରେ ପୌରାଞ୍ଚଳରେ ଲୋକେ ଦୀର୍ଘଦିନ ଧରି ନାନା ସମସ୍ୟା ମଧ୍ୟରେ ଘାଣ୍ଟି ହୋଇ ଚାଲିଛନ୍ତି। ଦୀର୍ଘ ଦୁଇବର୍ଷ ଧରି ସହରବାସୀଙ୍କଠାରୁ ନିଜକୁ ଦୂରେଇ ରଖୁଥିବା ଶ୍ରୀ ସାହୁ ସଦର ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ ଜୁଟାଇବାରେ କେତେ ସଫଳ ହେବେ, ତାହା ସମୟ କହିବ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାହୁଙ୍କ ସହ ଯୁବ ବିଜେଡି ଜିଲ୍ଲା ସଭାପତି ଶୁଭେନ୍ଦୁ ମଙ୍ଗରାଜ ଉପସ୍ଥିତ ଥିଲେ।