Odiapua.com

ଉପ-ନିର୍ବାଚନ ପାଇଁ ବିଜେଡି-କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ବାଲେଶ୍ୱର, ୧୫ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଚଳିତ ବାଲେଶ୍ୱର ସଦର ଉପ-ନିର୍ବାଚନ ପାଇଁ ଗତକାଲି ବିଜେପି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଆଜି ଉଭୟ ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ନଜର ସମର୍ଥକ ଓ ସହଯୋଗୀଙ୍କ ସହ ଆସି ଉପ-ଜିଲ୍ଲାପାଳଙ୍କଠାରେ ପ୍ରାର୍ଥୀପତ୍ର ପଇଠ କରିଛନ୍ତି। ବିଜେଡି ପ୍ରାର୍ଥିତ୍ୱକୁ ନେଇ ଦେଖା ଦେଇଥିବା ଗୋଷ୍ଠୀ କନ୍ଦଳ ଓ ସବୁ ବିବାଦକୁ ପଛରେ ପକାଇ ଦଳୀୟ ପ୍ରାର୍ଥୀ ସ୍ୱରୂପ ଦାସ ଦଳର କର୍ମକର୍ତ୍ତା ଓ ରାଜ୍ୟସ୍ତରୀୟ ନେତାଙ୍କ ସହ ଆସି ପ୍ରାର୍ଥୀପତ୍ର ଦାଖଲ କରିଥିବା ଦେଖବାକୁ ମିଳିଥିଲା। କୁଳଦେବତାଙ୍କୁ ପୂଜାର୍ଚ୍ଚନା କରିବା ସହ ଶ୍ରୀ ଦାସ ସହରର ବିଭିନ୍ନ ଦେବାଦେବୀ ମନ୍ଦିର, ଗୀର୍ଜା ଓ ମସଜିଦ୍‌କୁ ଯାଇ ଆଶୀର୍ବାଦ ଭିକ୍ଷା କରିଥିଲେ। ପରେ ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଫକୀର ମୋହନ ଗୋଲେଇରୁ ଏକ ଶୋଭାଯାତ୍ରାରେ ଆସି ବାଲେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଆଇନମନ୍ତ୍ରୀ ପ୍ରତାପ ଜେନା, ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଶାସକ ଦଳ ମୁଖ୍ୟ ସଚେତକ ରୋହିତ ପୂଜାରୀ, ଶିକ୍ଷାମନ୍ତ୍ରୀ ସମୀର ଦାସ, ପ୍ରତାପ ଦେବ, ଦେବୀ ମିଶ୍ରଙ୍କ ସମେତ ବିଧାୟକ ବ୍ୟମକେଶ ରାୟ, ସୁଧୀର ସାମଲ, ପ୍ରଣବ ବଳବନ୍ତ ରାୟ, ସଂଜୀବ ମଲ୍ଲିକ, ବିଜେଡି ରାଜ୍ୟ ସମ୍ପାଦକ ରବି ସାମଲ, ଅସିତ ପଟ୍ଟନାୟକ, ଚିନ୍ମୟ ସାହୁଙ୍କ ସମେତ ବାଲେଶ୍ୱର ଜିଲ୍ଲାର ସମସ୍ତ ବିଜେଡି ବିଧାୟକ ଓ ଆଗଧାଡ଼ିର ଛାମୁଆ ନେତାମାନେ ଏହି ଶୋଭାଯାତ୍ରାରେ ଯୋଗ ହୋଇଥିବା ଦେଖିବାକୁ ମିଳିଥିଲା। ଶୋଭାଯାତ୍ରା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ଶ୍ରୀ ଦାସ ନିଜର ସମର୍ଥକ ଓ ପ୍ରସ୍ତାବକଙ୍କ ସହ ବାଲେଶ୍ୱର ଉପ-ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ନିଜର ପ୍ରାର୍ଥୀପତ୍ର ପ୍ରଦାନ କରିଥିଲେ। ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଓ ୨୧ ବର୍ଷର ସୁଶାସନକୁ ଜନସାଧାରଣ ବିଶ୍ୱାସ କରିଥିବା ବେଳେ ଚଳିତ ନିର୍ବାଚନରେ ବିଜେଡିର ସୁନିଶ୍ଚିତ ବିଜୟ ହେବ ବୋଲି ଦଳୀୟ ନେତା ଓ ମନ୍ତ୍ରୀମାନେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ପୂର୍ବରୁ ବିଜେପୁର ହେଉ କି ପାଟକୁରା, ସବୁଠି ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ବାଲେଶ୍ୱରରେ ବି ଅନୁରୂପ ସ୍ଥିତି ପରିଲକ୍ଷିତ ହେବ ବୋଲି ସେମାନେ କହିଥିଲେ। ଅନ୍ୟପକ୍ଷରେ ଏହି ଉପ-ନିର୍ବାଚନରେ ବାଲେଶ୍ୱର ତଥା ସଦର ନିର୍ବାଚନମଣ୍ଡଳୀବାସୀଙ୍କ ବିଜୟ ହେବ ବୋଲି ପ୍ରାର୍ଥୀ ଶ୍ରୀ ଦାସ କହିଥିଲେ। ସେହିପରି କଂଗ୍ରେସ ପ୍ରାର୍ଥିନୀ ମମତା କୁଣ୍ଡୁ ଦଳୀୟ କର୍ମକର୍ତ୍ତାଙ୍କ ସମେତ ରାଜ୍ୟସ୍ତରୀୟ ନେତା ଓ କର୍ମୀଙ୍କ ଗହଣରେ ଆସି ନିଜର ନାମାଙ୍କନପତ୍ର ଦାଖଲ କରିଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା ସହ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଏଥିରେ ଜିଲ୍ଲା ସଂସଦୀୟ କ୍ଷେତ୍ର ନେତା ନବଜ୍ୟୋତି ପଟ୍ଟନାୟକ, ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କ ସମେତ ଜିଲ୍ଲା କଂଗ୍ରେସର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ। ପୁଲିସ ବ୍ୟାରିକେଟ ନିକଟରେ ସମସ୍ତ କର୍ମୀ ଅଟକି ରହିଥିବା ବେଳେ ଶ୍ରୀମତୀ କୁଣ୍ଡୁ ସମର୍ଥକ ଓ ପ୍ରସ୍ତାବକଙ୍କ ସହ ଯାଇ ଉପ-ଜିଲ୍ଲାପାଳଙ୍କୁ ନିଜର ପ୍ରାର୍ଥୀପତ୍ର ପ୍ରଦାନ କରିଥିଲେ। ଚଳିତ ନିର୍ବାଚନ ଫଳାଫଳ ଯାହାବି ହେଉ ଜିଲ୍ଲାର ବିକାଶ ଦିଗରେ ତାଙ୍କର ଅଭିଯାନ ସର୍ବଦା ଜାରି ରହିବ ବୋଲି କଂଗ୍ରେସ ପ୍ରାର୍ଥୀ ଶ୍ରୀମତୀ କୁଣ୍ଡୁ କହିଥିଲେ। ଆଗଠାରୁ ଆମ୍ଭେ ଭଲସ୍ଥିତିରେ ରହିଥିବା ବେଳେ ଚଳିତ ଉପ-ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ବିଜୟର ଆଶା ଅଧିକ ବୋଲି ନବଜ୍ୟୋତି ପଟ୍ଟନାୟକ କହିଥିଲେ। ତେବେ ସବୁଠାରୁ ବଡ଼କଥା ହେଲା ଉପ-ଜିଲ୍ଲାପାଳଙ୍କ ଅଫିସ ବାହାରେ ଅଟକି ରହିଥିବା ଉଭୟ ବିଜେଡି ଓ କଂଗ୍ରେସର କର୍ମୀ ତଥା ସମର୍ଥକଙ୍କ ମଧ୍ୟରେ ପ୍ରତିଫଳିତ ଭାଇଚାରା ସମସ୍ତଙ୍କୁ ମୁଗ୍ଧ କରିଥିଲା। ବିଜେଡି ପତାକାଧାରୀ କର୍ମୀ କଂଗ୍ରେସ କର୍ମୀଙ୍କ ଗହଣରେ ଛିଡ଼ା ହୋଇଥିବା ବେଳେ କଂଗ୍ରେସ କର୍ମୀ ବିଜେଡି କର୍ମୀଙ୍କ ଗହଣରେ ଛିଡ଼ା ହୋଇ କଥା କହିବା, ଚା’ ପିଇବା ଆଦି ବାଲେଶ୍ୱରର ରାଜନୈତିକ ଭାଇଚାରାକୁ ବେଶ୍ ପ୍ରତିଫଳିତ କରିଥିବା ଦେଖିବାକୁ ମିଳିଥିଲା।