Odiapua.com

ଉପ-ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସର ଶ୍ରମିକ ସମ୍ମିଳନୀ

ବାଲେଶ୍ୱର, ୨୨ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସଦର ଉପନିର୍ବାଚନ ପରିପ୍ରେକ୍ଷୀରେ ଜାତୀୟ ସ୍ତରର କଂଗ୍ରେସ ଶମିକ ସଂଗଠନ ‘ଆଇଏନଟିୟୁସି’(ଇଣ୍ଡିଆନ ନ୍ୟାସନାଲ ଟ୍ରେଡ୍ ୟୁନିୟନ)ର ଏକ ସମ୍ମିଳନୀ ସ୍ଥାନୀୟ ଦୁର୍ଗା ଗାର୍ଡ଼େନ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ ଜିଲ୍ଲା ସଭାପତି ସଂଜୀବ ଗିରିଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଏଆଇସିସିର ସାଧାରଣ ସମ୍ପାଦକ ତଥା ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ ଚେଲା କୁମାର, ପିସିସି ସଭାପତି ନିରଂଜନ ପଟ୍ଟନାୟକ, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, କରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପତି, ଆଇଏନଟିୟୁସି ରାଜ୍ୟ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ରାଜ୍ୟ କଂଗ୍ରେସ ମୁଖ୍ୟପାତ୍ର ସୁଦର୍ଶନ ଦାସ, ବରିଷ୍ଠ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ, ଭୋଗରାଇ କଂଂଗ୍ରେସ ନେତା ସତ୍ୟଶିବ ଦାସ ଓ ସଦର ଉପ-ନିର୍ବାଚନରେ କଂଗ୍ରେସ ପ୍ରାର୍ଥିନୀ ମମତା କୁଣ୍ଡୁ ପ୍ରମୁଖ ଯୋଗଦେଇ ବିକାଶର ନାରା ଦେଇ ଦୀର୍ଘ ୨୧ ବର୍ଷ ଧରି ବିଜେଡି ସରକାରା ରାଜ୍ୟବାସୀଙ୍କୁ ଠକି ଚାଲିଛନ୍ତି ବୋଲି କହିଥିଲେ। ଗୋଟିଏ ମୁଦ୍ରାର ଦୁଇଗୋଟି ପାର୍ଶ୍ୱ ଭଳି କେନ୍ଦ୍ରରେ ବିଜେପି ସରକାରଙ୍କ ସହ ପ୍ରତିଟି କ୍ଷେତ୍ରରେ ହଁ ଭରୁଥିବା ରାଜ୍ୟର ବିଜେଡି ସରକାର ଲୋକଙ୍କୁ କେବଳ ଭୁଆଁ ବୋଲାଇ ଚାଲିଛନ୍ତି ବୋଲି କଂଗ୍ରେସ ନେତାମାନେ ଆରୋପ ଉଠାଇଥିଲେ। ଦୀର୍ଘ ୨୧ ବର୍ଷ ଧରି ଓଡ଼ିଶାରେ ବିକାଶର ଧାରା ଠପ୍ ହୋଇ ଯାଇଥିବା ବେଳେ ଆଗାମୀ ଦିନରେ ରାଜ୍ୟବାସୀ ମହା ବିପଦର ସାମ୍ନା ହେବାକୁ ଯାଉଛନ୍ତି। ଏଭଳି ସ୍ଥିତିରେ ଓଡ଼ିଶାବାସୀଙ୍କ ଭାଗ୍ୟ ପରିବର୍ତ୍ତନ ସହ ସମସ୍ତଙ୍କୁ ଦୁର୍ନୀତିରୁ ରକ୍ଷା କରିବା ଓ ରାଜ୍ୟରେ ପ୍ରକୃତ ବିକାଶର ଧାରା ସୃଷ୍ଟି ପାଇଁ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବୋଲି ସେମାନେ କହିଥିଲେ। ଏହି ପରିପ୍ରେକ୍ଷୀରେ ବାଲେଶ୍ୱରର ବିକାଶ ଓ ସର୍ବାଙ୍ଗୀନ ଉନ୍ନତି ପାଇଁ କଂଗ୍ରେସ ପ୍ରାର୍ଥିନୀ ମମତା କୁଣ୍ଡୁଙ୍କୁ ଅଧିକ ସଂଖ୍ୟାରେ ଭୋଟ ଦେବା ନିମନ୍ତେ ସେମାନେ ନିବେଦନ କରିଥିଲେ। ଏହି ସମ୍ମିଳନୀରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବର୍ଗର ବହୁ ଶ୍ରମିକ ଯୋଗ ଦେଇଥିଲେ।