Odiapua.com

ଉପ-ନିର୍ବାଚନରେ ୮ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ବାଲେଶ୍ୱର, ୧୬ା୧୦ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସଦର ଉପ-ନିର୍ବାଚନ ପାଇଁ ଗତ ୯ ତାରିଖରୁ ଆରମ୍ଭ ହୋଇଥିବା ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟକ୍ରମ ଆଜି ଶେଷ ହୋଇଛି। ଏହି ନିର୍ବାଚନରେ ବିଭିନ୍ନ ଦଳ ସମେତ ସ୍ୱାଧୀନ ଭାବେ ପ୍ରାର୍ଥୀ ହେବା ପାଇଁ ୯ ସେଟ୍ ଫର୍ମ ବିକ୍ରି ହୋଇଥିବା ବେଳେ ଆଜି ଅପରାହ୍ନରେ ନୋମିନେସନ ଶେଷ ସୁଦ୍ଧା ମୋଟ ୮ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବାଲେଶ୍ୱର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ବିଜେପିରୁ ମାନସ କୁମାର ଦତ୍ତ, ବିଜେଡିରୁ ସ୍ୱରୂପ ଦାସ ଓ କଂଗ୍ରେସରୁ ମମତା କୁଣ୍ଡୁ ଥିବା ବେଳେ ଶେଷ ଦିନରେ ଆଜି ଶେଖ୍ ମଇନୁଦ୍ଦିନ୍ ସଲିମ୍‌, ଭାଗ୍ୟଉଦିତ୍ ଦାସପଟ୍ଟନାୟକ, ନୁମାନ୍ ଖାଁ, ବେଣୁଧର ବାରିକ ଓ ସୁଶାନ୍ତ ସର୍ବେଶ୍ୱର ଦାସ ସ୍ୱାଧୀନ ପ୍ରାର୍ଥୀ ଭାବେ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଅନ୍ୟପକ୍ଷରେ ନାମାଙ୍କନ ଅମାନତ ଅର୍ଥ ପଇଠ ସହ ପ୍ରାର୍ଥୀପତ୍ର ନେଇଥିବା ସନ୍ତୋଷ ମହାପାତ୍ର ନିଜର ପ୍ରାର୍ଥୀପତ୍ର ଦାଖଲ କରିନଥିବା ଜଣାପଡ଼ିଛି। ଦଳୀୟ ପ୍ରାର୍ଥୀଙ୍କ ଭଳି ଆଜି ଶେଷ ଦିନରେ କର୍ମୀ ଓ ସମର୍ଥକଙ୍କ ଗହଳି ନଥିଲେ ବି ସ୍ୱାଧୀନ ପ୍ରାର୍ଥୀମାନେ ସ୍ୱଳ୍ପ ସହଯୋଗୀ ଓ ସମର୍ଥକ ନେଇ ପ୍ରାର୍ଥୀପତ୍ର ଦାଖଲ କରିଥିବା ଦେଖିବାକୁ ମିଳିଥିଲା। ନିର୍ବାଚନ ବିଜ୍ଞପ୍ତି ଅନୁସାରେ ଆସନ୍ତାକାଲି ୧୭ ତାରିଖ ଅପରାହ୍ନ ସୁଦ୍ଧା ପ୍ରାର୍ଥୀପତ୍ର ଯାଞ୍ଚ ହେବା ସହ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ୧୯ ଓ ୧୯ ତାରିଖ ଦୁଇଦିନ ସମୟ ରହିଛି। ନଭେମ୍ବର ୩ ତାରିଖ ମତଦାନ ଏବଂ ୧୦ ତାରିଖରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ପ୍ରଚାରରେ କମ ସଂଖ୍ୟକ ଲୋକ ଉପସ୍ଥିତି ସାଙ୍ଗକୁ ଯାନବାହନ ବ୍ୟବହାରରେ ବି କଟକଣା ଲଗାଯାଇଛି।