Odiapua.com

ଉପ-ନିର୍ବାଚନରେ ବାଲେଶ୍ୱରର ରାଜନୈତିକ ସ୍ଥିତି -ପ୍ରାର୍ଥୀ ଚୟନକୁ ନେଇ ୩ ପ୍ରମୁଖ ଦଳରେ ଆଶାୟୀଙ୍କ କସରତ୍ -ପଦ୍ମ ଛାଡ଼ି ପୁଣି ଶଂଙ୍ଖ ଫୁଙ୍କିଲେଣି ନାରାୟଣ

ବାଲେଶ୍ୱର, ୯ା୧୦ (ଓଡ଼ିଆ ପୁଅ/ଅଭୟ ଦାସ):ବାଲେଶ୍ୱର ସଦର ଉପ-ନିର୍ବାଚନ ପାଇଁ ଆଜିଠାରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ବି ଅଦ୍ୟାବଧି ପ୍ରମୁଖ ରାଜନୈତିକ ଦଳଙ୍କ ପକ୍ଷରୁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଶେଷ ନହେବା ଏବେ ଦଳୀୟ କର୍ମୀଙ୍କ ସମେତ ସାଧାରଣ ଭୋଟରଙ୍କ ପାଇଁ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରାର୍ଥୀ ଚୟନକୁ ନେଇ ବିଜେପି, ବିଜେଡି ଓ କଂଗ୍ରେସ ଏହି ୩ ଦଳରେ ଦେଖା ଦେଇଥିବା କନ୍ଦଳ ହିଁ ମୁଖ୍ୟକାରାଣ ବୋଲି ଜଣାପଡ଼ିଛି। ପ୍ରତ୍ୟେକ ଦଳରେ ଏକାଧିକ ଆଶାୟୀଙ୍କ କସରତ ସାଙ୍ଗକୁ ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ଅଭ୍ୟୁଦୟ ଦଳୀୟ ରାଜ୍ୟସ୍ତରୀୟ ନେତାଙ୍କୁ ଅଡ଼ୁଆ ମଧ୍ୟକୁ ଟାଣିନେଇଛି। ଏହିକ୍ରମରେ ବିଜେପି ପକ୍ଷରୁ ପୂର୍ବତନ ବିଧାୟକ ମଦନ ମୋହନ ଦତ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ ବେଳୁ କର୍ମୀମାନେ ତାଙ୍କର ପୁତ୍ର ମାନସ ଦତ୍ତଙ୍କୁ ଉପ-ନିର୍ବାଚନରେ ପ୍ରାର୍ଥୀ କରିବାକୁ ଶପଥ ନେଇଲେ। ତଦନୁଯାୟୀ ସ୍ୱର୍ଗତ ଦତ୍ତଙ୍କ ଅନୁଗାମୀମାନଙ୍କ ବଳିଷ୍ଠ ଲବି ଓ ଆଗ୍ରହକୁ ଗୁରୁତ୍ୱ ଦେଇ ରାଜ୍ୟର ଦଳୀୟ ନେତାମାନେ ବି ଏକପ୍ରକାର ସବୁଜ ସଙ୍କେତ ଦେଖାଇଥିଲେ। ରାଜ୍ୟସ୍ତରୀୟ ନେତାଙ୍କ ସମ୍ମତିକୁ ଦୃଷ୍ଟିରେ ରଖି ମାନସ ଦତ୍ତ ଓ ତାଙ୍କର ସହଯୋଗୀମାନେ ସଦର ନିର୍ବାଚନମଣ୍ଡଳୀରେ ଜନସମର୍ଥନ ପାଇଁ କାର୍ଯ୍ୟ ମଧ୍ୟ ଆରମ୍ଭ କରିଥିଲେ। ଜନସାଧାରଣଙ୍କ ସମସ୍ୟାକୁ ନେଇ ପ୍ରଶାସନ ନିକଟରେ ଦାବି ରଖିବା ଓ ବନ୍ୟା ବେଳେ ଲୋକଙ୍କ ନିକଟରେ ପହଞ୍ଚିବା ଆଦି କାର୍ଯ୍ୟ ସେ ଚଳାଇ ରଖିଥିଲେ। ତେବେ ମାନସଙ୍କ ପ୍ରାର୍ଥିତ୍ୱକୁ ନେଇ ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ନିରବ ରହିବା ଫଳରେ କେନ୍ଦ୍ରମନ୍ତ୍ରୀ ମଧ୍ୟ ଏନେଇ ନିଜର ସ୍ପଷ୍ଟ ମତାମତ ରଖିନଥିଲେ। ଏବେ ସଦର ବ୍ଲକ ଚେୟାରମ୍ୟାନ ନାରାୟଣ ଚନ୍ଦ୍ର ପ୍ରଧାନ ବିଜେଡି ଶିବିର ଛାଡ଼ି ବିଜେପିରେ ଯୋଗଦାନ ପରେ ଜିଲ୍ଲା ସଭାପତିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ତାଙ୍କୁ ବିଜେପିର ପ୍ରାର୍ଥୀ କରାଇବାକୁ ଜିଦ୍ ଧରିଛନ୍ତି। ଏହାକୁ ନେଇ ଦଳର ରାଜ୍ୟ ସଭାପତି ଓ ଅନ୍ୟାନ୍ୟ ପଦସ୍ଥ କର୍ମକର୍ତ୍ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀଙ୍କ ମତାନ୍ତରରୁ ମନାନ୍ତର ପରିସ୍ଥିତି ସୃଷ୍ଟି ହୋଇଥିବା କର୍ମୀ ମହଲରେ ଆଲୋଚନା ହେଉଛି। ଏମିତିକି ଶ୍ରୀ ପ୍ରଧାନଙ୍କୁ ପ୍ରାର୍ଥୀ କରାନଗଲେ ଶ୍ରୀ ଷଡ଼ଙ୍ଗୀ ମନ୍ତ୍ରୀପଦରୁ ଇସ୍ତଫା ଦେବାର ଧମକ ବି ଦେଇଛନ୍ତି ବୋଲି ଶୁଣିବାକୁ ମିଳୁଛି। ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଏବେ ଶ୍ରୀ ଷଡ଼ଙ୍ଗୀ କୁଆଡ଼େ ନିଜର ସ୍ୱର ପରିବର୍ତ୍ତନ ସହ ମାନସ ପାଇଁ ସବୁଜ ସଙ୍କେତ ଦେଇଥିବା ଆଲୋଚନା ହେଉଛି। ଅନ୍ୟପକ୍ଷରେ ବିଧାୟକ ପ୍ରାର୍ଥୀ ହେବାର ଆଶା ମଉଳିବା ଦେଖି ସଦର ବ୍ଲକ ଚେୟାରମ୍ୟାନ୍ ଶ୍ରୀ ପ୍ରଧାନ ଏବେ ପୁଣି ବିଜେଡି ଶିବିରକୁ ଫେରି ଆସିଥିବା ଜଣାପଡ଼ିଛି। ର‌୍ୟାସ୍ତରୀୟ ନୋତଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗଦାନ କରିଛନ୍ତି। ତେବେ ବିଜେପିର ତୀବ୍ର ଗୋଷ୍ଠୀ କନ୍ଦଳ ଯୋଗୁଁ ଦଳୀୟ ପ୍ରାର୍ଥୀ ଚୟନରେ ଆହୁରି ବିଳମ୍ବ ହେବା ନେଇ ଆଶଙ୍କା ଦେଖାଦେଇଛି। ସେହିଭଳି ବିଜେଡି ପକ୍ଷରୁ ଚଳିତ ନିର୍ବାଚନରେ ନୂଆମୁହଁକୁ ପ୍ରାର୍ଥୀ କରାଇବା ନେଇ ରାଜ୍ୟ ନେତାଙ୍କ ଇଙ୍ଗିତକୁ ନେଇ ଦଳରେ ଆରମ୍ଭ ହୋଇଥିବା କନ୍ଦଳ ଓ ଉତ୍ତେଜନା ଏବେ ଶାନ୍ତ ପଡ଼ିଥିବା କୁହାଯାଉଛି। ତାଙ୍କୁ ଟିକେଟ୍ ନଦେଲେ ବି ତାଙ୍କ ପୁଅକୁ ପ୍ରାର୍ଥୀ କରାଇବାକୁ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଜିଦ୍ ଧରିଥିବା ବେଳେ ଦଳୀୟ କର୍ମୀମାନେ ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ପ୍ରାର୍ଥୀ କରାଇବାକୁ ଦୃଢ଼ ଦାବି କରିଥିଲେ। ଏହା ରାଜ୍ୟସ୍ତରୀୟ ନେତା, ମନ୍ତ୍ରୀ ଓ ପ୍ରଭାରୀଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବା ସହିତ ସେମାନେ ଅସନ୍ତୁଷ୍ଟଙ୍କୁ ମନାଇବାର ଚେଷ୍ଟା ଜାରି ରଖିଛନ୍ତି। ବାଲେଶ୍ୱର ବିଜେଡି କର୍ମୀ, ଭୋଟର ଓ ବୁଦ୍ଧିଜୀବୀଙ୍କ ଦାବି ତଥା ପ୍ରସ୍ତାବକୁ ଗୁରୁତ୍ୱ ଦେଇ ରାଜ୍ୟସ୍ତରୀୟ ନେତାମାନେ ଶେଷରେ ଜେନା ପରିବାରକୁ ଟିକେଟ୍ ଦେବା ପାଇଁ ମନସ୍ଥ କରିଥିଲେ। ପ୍ରଥମରୁ ଶ୍ରୀ ଜେନାଙ୍କ ସହଧର୍ମିଣୀ ସମାଜସେବୀ ସୁବାସିନୀ ଜେନାଙ୍କ ନାମ ଚର୍ଚ୍ଚାକୁ ଆସୁଥିବା ବେଳେ ଏବେ ଶ୍ରୀ ଜେନାଙ୍କୁ ବିଜେଡି ଟିକେଟ୍ ପ୍ରଦାନ ପାଇଁ ସ୍ଥିର ହୋଇଥିବା କର୍ମୀ ମହଲରେ ଶୁଣିବାକୁ ମିଳିଛି। ତେବେ ବିଜେପି ଓ ବିଜେଡିର ଦଳୀୟ ଟିକେଟ୍ ପାଇଁ ଆଶାୟୀଙ୍କ ସଂଖ୍ୟାବୃଦ୍ଧି ବେଳେ କଂଗ୍ରେସ ପକ୍ଷରୁ ଏବେ ପ୍ରାର୍ଥୀ ଖୋଜା ଚାଲିଥିବା କୁହାଯାଉଛି। ନିର୍ବାଚନ ପାଇଁ ଦଳୀୟ ପ୍ରଦତ୍ତ ପାଣ୍ଠି ବ୍ୟତୀତ ଅତିକମ୍‌ରେ ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାର କ୍ଷମତା ଓ ମାନସିକତା ଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଇବା ନିମନ୍ତେ ନବଜ୍ୟୋତି ପଟ୍ଟନାୟକଙ୍କ ସମେତ ରାଜ୍ୟସ୍ତରୀୟ ନେତାମାନେ ଏକ ପ୍ରକାର ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ଆଶାୟୀଙ୍କ ସଂଖ୍ୟା ଶୂନରେ ପହଞ୍ଚିଥିବା ଜଣାପଡ଼ିଛି। ତେବେ ଅତୀତରେ ଦଳ ବିରୋଧୀ କାର୍ଯ୍ୟ କରିଥିବା କାରଣରୁ ବିକ୍ରମ ପଣ୍ଡାଙ୍କୁ ଟିକେଟ୍ ନ ମିଳିପାରେ ବୋଲି ଛାମୁଆ କର୍ମୀମାନେ କହୁଥିବା ଶୁଣିବାକୁ ମିଳିଛି। ଏଭଳି ସ୍ଥିତିରେ କଂଗ୍ରେସ ପକ୍ଷରୁ ପୁନର୍ବାର ମାନସ ଦାସପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଇବାକୁ ଉଦ୍ୟମ ଜାରିଥିବା ଆଲୋଚନା ହେଉଛି। ୩ ଦଳର ଏହିି ଅବସ୍ଥା ପ୍ରତ୍ୟେକ ଦଳର କର୍ମୀଙ୍କ ସମେତ ଭୋଟର ତଥା ସାଧାରଣ ଲୋକଙ୍କ ପାଇଁ ଗୋଳମାଳିଆ ସ୍ଥିତି ସୃଷ୍ଟି କରିଛି। ତେବେ ନାମାଙ୍କନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ୧୫ ତାରିଖ ସୁଦ୍ଧା ସବୁଦଳର ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଅନୁମାନ କରାଯାଉଛି।