Odiapua.com

ଉପ-ନିର୍ବାଚନରେ ନିର୍ଦ୍ଦିଷ୍ଟ ବର୍ଗଙ୍କୁ ପୋଷ୍ଟାଲ ବାଲଟ୍ ସୁବିଧା

ବାଲେଶ୍ୱର, ୭ା୧୦(ଓଡ଼ିଆ ପୁଅ/ଅଭୟ ଦାସ) : ବାଲେଶ୍ୱର ସଦର ବିଧାନସଭା ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପ-ନିର୍ବାଚନରେ ନିର୍ଦ୍ଦିଷ୍ଟ କିଛି ବର୍ଗର ବ୍ୟକ୍ତି ିଶେଷଙ୍କୁ ପୋଷ୍ଟାଲ ବାଲଟ୍ ସୁବିଧା ଯୋଗାଇ ଦିଆଯିବ। ଏ ସଂକ୍ରାନ୍ତରେ ଭାରତର ନିର୍ବାଚନ କମିଶନ ମାର୍ଗଦର୍ଶିକା ଜାରି କରିଛନ୍ତି। ପୂର୍ବରୁ କେବଳ ସରକାରୀ କର୍ମଚାରୀ ଏବଂ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ବ୍ୟକ୍ତିବିଶେଷଙ୍କୁ ଏହି ସୁବିଧା ମିଳୁଥିବା ବେଳେ ଏବେ ବରିଷ୍ଠ ନାଗରିରକ, ଦିବ୍ୟାଙ୍ଗ ଓ କରୋନା ଆକ୍ରାନ୍ତ ଭୋଟରକୁ ଏଥିରେ ସାମିଲ କରାଯାଇଛି। ଉପରୋକ୍ତ ତିନି ଶ୍ରେଣୀର ମତଦାତାମାନଙ୍କୁ ପୋଷ୍ଟାଲ ବାଲଟ୍ ମାଧ୍ୟମରେ ମତଦାନ କରିବା ପାଇଁ ଫର୍ମ-୧୨ଘ(୧୨ଊ) ରେ ରିଟର୍ଣ୍ଣିଂ ଅଧିକାରୀଙ୍କୁ ଆବେଦନ କରିବାକୁ ପଡିବ। ଏହି ଫର୍ମ ବୁଥସ୍ତରୀୟ ଅଧିକାରୀ(ବି-ଏଲ-ଓ)ମାନେ ବଂଟନ କରିବେ। ଏହି ତିନି ଶ୍ରେଣୀର ମତଦାତାମାନେ ଫର୍ମ ପୂରଣ କରି ବି-ଏଲ-ଓ-ମାନଙ୍କୁ ଫେରସ୍ତ କରିବେ। ଏହା ପରେ ସେମାନଙ୍କ ନାମରେ ପୋଷ୍ଟାଲ ବାଲଟ୍ ଜାରି କରାଯିବ। ଦ୍ୱିତୀୟରେ ପୋଷ୍ଟାଲ ବାଲଟ୍‌ଗୁଡିକୁ ଏହି ତିନି ଶ୍ରେଣୀର ମତଦାତାଙ୍କ ପାଖରେ ଜଣେ ବି-ଏଲ-ଓ- ବା ଅନ୍ୟାନ୍ୟ ଅଧିକାରୀଙ୍କ ଜରିଆରେ ସେମାନଙ୍କ ଘରେ ପହଂଚାଇବାର ବ୍ୟବସ୍ଥା କରାଯିବ, ଯେଉଁଥିରେ ସେମାନେ ମତଦାନ କରିବା ସହିତ ଲଫାପାରେ ସିଲ୍ କରି ସମ୍ପୃକ୍ତ ଅଧିକାରୀମାନଙ୍କ ମାଧ୍ୟମରେ ଫେରାଇ ପାରିବେ। ତାଙ୍କ ଘରକୁ ଅଧିକାରୀମାନେ ଯାଇ ଏହାକୁ ସଂଗ୍ରହ କରିିବେ। ପୋଷ୍ଟାଲ ବାଲଟ୍ ଗ୍ରହଣ କରିବା ପାଇଁ ବି-ଏଲ-ଓ- କିମ୍ବା ଅନ୍ୟାନ୍ୟ ଅଧିକାରୀମାନେ ୨ଥର ମତଦାତାଙ୍କ ଘରକୁ ଯିବେ। ସେହି ୨ ଥର ମଧ୍ୟରେ ମତଦାତାମାନେ ତାଙ୍କର ପୋଷ୍ଟାଲ ବାଲଟ୍ ପୂରଣ କରି ଫେରସ୍ତ କରିବା କାର୍ଯ୍ୟ ଯେପରି ସମାପନ କରିବେ, ତାହାକୁ ସୁନିଶ୍ଚିତ କରିବେ। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ବାଲେଶ୍ୱର ଜିଲ୍ଲାପାଳଙ୍କ ପକ୍ଷରୁ ମତଦାତାମାନଙ୍କୁ ଏହା ସୂଚୀତ କରାଯାଉଛି ଯେ ପୋଷ୍ଟାଲ ବାଲଟ୍ ମାଧ୍ୟମରେ ମତଦାନ କରିବା ବାଧ୍ୟତାମୂଳକ ନୁହେଁ। ଦ୍ୱିତୀୟତଃ ଏହା ମଧ୍ୟ ସର୍ବସାଧାରଣଙ୍କୁ ଜଣାଇ ଦିଆଯାଉଛି ଯେ ଥରେ ପୋଷ୍ଟାଲ ବାଲଟ୍ ମାଧ୍ୟମରେ ମତଦାନ ପାଇଁ ସମ୍ମତି ପ୍ରଦାନ କରିବା ପରେ ସେହି ବ୍ୟକ୍ତିବିଶେଷ ପୋଲିଂ ବୁଥରେ ଯାଇ ଭୋଟ୍ ଦେଇପାରିବେ ନାହିଁ। ନିର୍ବାଚନ ପାଇଁ ବିଜ୍ଞପ୍ତି ଆସନ୍ତା ଅକ୍ଟୋବର ୯ତାରିଖରେ ପ୍ରକାଶ ପାଇବାକୁ ଥିବା ବେଳେ ପୋଷ୍ଟାଲ ବାଲଟ୍ ପାଇଁ ଫର୍ମ-୧୨ଘ(୧୨ଊ)କୁ ବୁଥସ୍ତରୀୟ ଅଧିକାରୀ(ବି-ଏଲ-ଓ) ବା ଅନ୍ୟାନ୍ୟ ଅଧିକାରୀ ୯ତାରିଖରୁ ୧୩ତାରିଖ ମଧ୍ୟରେ ଉପରବର୍ଣ୍ଣିତ ବର୍ଗର ମତଦାତାମାନଙ୍କୁ ବଂଟନ କରିବା ସହ ଦରଖାସ୍ତଗୁଡିକୁ ସଂଗ୍ରହ କରିବେ। ପୋଷ୍ଟାଲ ବାଲଟ୍ ବ୍ୟବସ୍ଥାର ସୁପରିଚାଳନା ପାଇଁ ନୀଳଗିରି ଉପ-ଜିଲ୍ଲାପାଳ ହରିଶ ଚନ୍ଦ୍ର ଜେନାଙ୍କୁ ନୋଡାଲ୍ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି। ଏ ସମ୍ପର୍କରେ କୌଣସି ସନ୍ଦେହ ଥିଲେ ତାଙ୍କ ମୋ- ନମ୍ବର-୯୪୩୭୧୭୪୫୧୩ରେ ଯୋଗାଯୋଗ କରିବାକୁ କୁହାଯାଇଛି। ଏହି କାର୍ଯ୍ୟକ୍ରମକୁ ସଫଳତା ପାଇଁ ଜିଲ୍ଲାପାଳ କେ-ସୁଦର୍ଶନ ଚକ୍ରବର୍ତ୍ତୀ ସମସ୍ତ ରାଜନୈତିକ ଦଳଙ୍କ ସମେତ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି।