Odiapua.com

ଉପ-ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ସିପିଆଇର ସମର୍ଥନ ଘୋଷଣା

ବାଲେଶ୍ୱର, ୧୭ା୧୦ (ଓଡ଼ିଆ ପୁଅ/ଅଭୟ ଦାସ) : ସାଧାରଣ ଜନତାଙ୍କ ସ୍ୱାର୍ଥରକ୍ଷାରେ ବିଫଳ ହୋଇଥିବା ରାଜ୍ୟର ବିଜେଡି ସରକାର ଓ କେନ୍ଦ୍ରର ବିଜେପି ସରକାରକୁ ବିରୋଧ ସହ ଚଳିତ ବାଲେଶ୍ୱର ଉପ-ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିବା ନେଇ କର୍ମକର୍ତ୍ତାମାନେ ଆଜି ସ୍ପଷ୍ଟ କରିଛନ୍ତି। ସିପିଆଇ ବାଲେଶ୍ୱର ଜିଲ୍ଲା କମିଟିର ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପାର୍ଟିର ରାଜ୍ୟ ସଂପାଦକ ଆଶିଷ କାନୁନଗୋ ଦେଶ ଓ ରାଜ୍ୟର ସାଂପ୍ରତିକ ଏ ସମ୍ପର୍କରେ ସୂଚନା ଦେବା ସହ ରାଜନୈତିକ ସ୍ଥିତି ସଂପର୍କରେ ସାମ୍ବାଦିକମାନଙ୍କୁ ଅବଗତ କରିଥିଲେ। କରୋନା ମହାମାରୀ ଆଳରେ ଲକ୍‌ଡାଉନ୍‌, ଶଟ୍‌ଡାଉନ୍ କରାଇ ଲୋକଙ୍କୁ ଘରେ ବନ୍ଦ ରଖି, ସେମାନଙ୍କ ପ୍ରତିବାଦର ସ୍ୱରକୁ ମାସ୍କ ଭିତରେ ବନ୍ଦ କରି ଦେଶରେ ବିଜେପି ସରକାର ସମ୍ବିଧାନ ବିରୋଧୀ, ଶ୍ରମିକ ବିରୋଧୀ, କୃଷକ, ଛାତ୍ର-ଶିକ୍ଷକ ଓ ମହିଳା ବିରୋଧୀ ଆଇନ ସବୁ ପ୍ରଣୟନ କରି ଦେଶର ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ବିପର୍ଯ୍ୟୟ ଆଣିଦେଇଛି। ବିଜେପି ବିରୋଧରେ ଜନଗଣଙ୍କର ଅସନ୍ତୋଷ ବଢ଼ିଚାଲିଛି। ବିଜେପି ବିରୋଧରେ ବିଜେଡ଼ି ଓଡ଼ିଶାରେ ଲୋକଦେଖାଣିଆ ଲଢ଼େଇ କରୁଥିବା ବେଳେ କେନ୍ଦ୍ରରେ ବିଜେପି ସରକାରର ସମସ୍ତ ଜନ ବିରୋଧୀ ନୀତିକୁ ସମର୍ଥନ ଦେଇଆସିଛି। ବିଜେପି ଓ ବିଜେଡ଼ି ସରକାର ଉଭୟ ଦୁର୍ନୀତିରେ ବୁଡ଼ି ରହିଛନ୍ତି। ଆଗାମୀ ବାଲେଶ୍ୱର ବିଧାନସଭା ଉପ-ନିର୍ବାଚନରେ ସିପିଆଇ ନିଜର ପ୍ରାର୍ଥୀ ଦେଇ ନଥିଲେ ବି ଦେଶ ଓ ରାଜ୍ୟର ହିତଦୃଷ୍ଟିରୁ ବିଭିନ୍ନତା ମଧ୍ୟରେ ଏକତା, ଦେଶର ସମ୍ବିଧାନ, ଧର୍ମନିରପେକ୍ଷତା ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଆସନ୍ତା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିବ ବୋଲି ଶ୍ରୀ କାନୁନଗୋ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସିପିଆଇର ରାଜ୍ୟ ସହସଂପାଦକ ଡାକ୍ତର ପ୍ରଶାନ୍ତ ମିଶ୍ର, ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ଜୟନ୍ତ ଦାସ, ବାଲେଶ୍ୱର ଜିଲ୍ଲା ସଂପାଦକ ନିରଞ୍ଜନ ବାରିକ, ସହସମ୍ପାଦକ ଭାଗବତ ପ୍ରତିହାରୀ ଓ ଅନାମ ପ୍ରସାଦ ବାରିକ, କାର୍ଯ୍ୟକାରୀ କମିଟି ସଦସ୍ୟ ଗୌରାଙ୍ଗ ପାଣିଗ୍ରାହୀ ଓ ମାୟାଧର ନାୟକ, ସହର କମିଟି ସଂପାଦକ ଜୟନ୍ତ ମହାନ୍ତି, ଶ୍ୟାମସୁନ୍ଦର ଜେନା ପ୍ରମୁଖ ଉପସ୍ଥିତ ଥିଲେ।