ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗଙ୍କ ପକ୍ଷରୁ ଆଗତ ଏକ ମାମଲାର ବିଚାର ହୋଇ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କର୍ତୃପକ୍ଷଙ୍କୁ ଦଣ୍ଡିତ କରାଯାଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ବରପଦା ଡଙ୍କାଗଡିଆ କୁଶୁନନଗର ଅଂଚଳ ନିବାସୀ ସ୍ୱର୍ଗତଃ ବାବାଜୀ ଚରଣ ପ୍ରଧାନଙ୍କ ପୁତ୍ର ସତ୍ୟବାନ ପ୍ରଧାନ ୨୦୧୨ ଏପ୍ରିଲ ୫ ତାରିଖରେ ଗୃହ ନିର୍ମାଣ ବାବଦ ୫ ଲକ୍ଷ ଟଙ୍କା ଗଣିଜାଙ୍ଗ ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ନେଇଥିଲେ। ତେବେ ତାଙ୍କ ପିତାଙ୍କର ୨୦୧୭ ମସିହାରେ ଦୁର୍ଘଟଣା ଘଟିବାରୁ ସେ ଋଣ କିସ୍ତି ସଠିକ୍ ଭାବେ ପରିଶୋଧ କରିପାରିଲେ ନାହିଁ। ତେବେ ଉକ୍ତ ବ୍ୟାଙ୍କ ମ୍ୟାନେଜରଙ୍କ ପରାମର୍ଶ କ୍ରମେ ୨୦୧୮ ନଭେମ୍ବର ୨୦ ରେ ୱାନ ଟାଇମ୍ ସେଟଲମେଂଟ ପାଇଁ ସେ ଆବେଦନ କରିଥିଲେ। ଏବଂ ବ୍ୟାଙ୍କର ପରାମର୍ଶ କ୍ରମେ ଋଣ ରାଶିର ୧୦ ପ୍ରତିଶତ ଅର୍ଥ ୬୪ ହଜାର ଟଙ୍କା ପୈଠ କରିଥିଲେ। ପରେ ଜୁଲାଇ ୨୦୨୦ ସୁଦ୍ଧା ଅବଶିଷ୍ଟ ୩ ଲକ୍ଷ ୪୯ ହଜାର ଟଙ୍କାକୁ ମିଶାଇ ମୋଟ ୪ ଲକ୍ଷ ୩ ହଜାର ଟଙ୍କା ଓଟିଏସ୍ ବାବଦରେ ପୈଠ କରିଥିଲେ। ପରେ ଗତ ୨୦୨୩ଜୁଲାଇ ୧୦ ରେ ତାଙ୍କ ପାଖକୁ ବ୍ୟାଙ୍କରୁ ୭ ଲକ୍ଷ ୩୨ ହଜାର ୭୧୧ ଟଙ୍କା ଦେବାକୁ ନୋଟିସ୍ ଆସିଥିଲା। ଏବଂ ତାଙ୍କର ଓଟିଏସ୍ କ୍ୟାନସଲ ହୋଇଥିବାର ଦର୍ଶାଯାଇଥିଲା। ସତ୍ୟବାନ ଜଣେ କର୍କଟ ରୋଗୀ ଆକ୍ରାନ୍ତ ହୋଇଥିବାରୁ ଓ ତାଙ୍କ ପିତାଙ୍କର ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଥିବାରୁ ସେ ଏହି ଘଟଣାରେ ସଂପୂର୍ଣ୍ଣ ହତାଶ ହୋଇପଡିଥିଲେ। ଏବଂ ବାଧ୍ୟହୋଇ ୨୦୨୩ ଡିସେମ୍ବର ୧ ରେ ଭଦ୍ରକ ଉପଭୋକ୍ତା ବିବାଦ ସମାଧାନ ଆୟୋଗର ଆଶ୍ରୟ ନେଇ ଏକ ମାମଲା ସିସି ନଂ ୧୬୫/୨୩ ରେ ରୁଜୁ କରିଥିଲେ। ଏହି ମାମଲାରେ ସଂପୃକ୍ତ ବ୍ୟାଙ୍କ ଶାଖା ପରିଚାଳକ ଓ ବାଲେଶ୍ୱରସ୍ଥିତ ରିଜିଓନାଲ ମ୍ୟାନେଜରଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଏହି ମାମଲାରେ ବ୍ୟାଙ୍କ କର୍ତୃପକ୍ଷ ସତ୍ୟବାନଙ୍କ ଓଟିଏସ୍ କଥାକୁ ମାନିନଥିଲେ। ତେବେ ବ୍ୟାଙ୍କ ଦାଖଲ କରିଥିବା କାଗଜପତ୍ରରେ ଋଣୀ ସତ୍ୟବାନ ଗତ ୨୦୧୮ ନଭେମ୍ବର ୨୦ ରେ ନିଜ ପକ୍ଷରୁ ୫ ଲକ୍ଷ ୫୦ ହଜାର ଦେଇ ଓଟିଏସ୍ ନିମନ୍ତେ ଆବେଦନ କରିଥିବା ଦସ୍ତାବିଜ୍ ଆୟୋଗଙ୍କ ହସ୍ତଗତ ହୋଇଥିଲା। ସତ୍ୟବାନ ଆୟୋଗଙ୍କ ଠାରେ ଆବେଦନ କରିଥିବା ୪ ଲକ୍ଷ ୩ ହଜାର ଟଙ୍କାକୁ ମଧ୍ୟ ଆୟୋଗ ଅବିଶ୍ୱାସ କରିଥିଲେ। ଏବଂ ଏହି ସମସ୍ତ କାଗଜପତ୍ରକୁ ତନଖି କରିବା ଓ ଉଭୟ ପକ୍ଷଙ୍କ ଜବାବ ଶୁଣିବା ପରେ ଆୟୋଗ ସଭାପତି ଶିବପ୍ରସାଦ ମହାନ୍ତି ଓ ସଭ୍ୟା ମଧୁସ୍ମିତା ସ୍ୱାଇଁ ତାଙ୍କ ରାୟରେ ଦର୍ଶାଇଥିଲେ ଯେ ଓଟିଏସ୍ ପାଇଁ ବ୍ୟାଙ୍କ ଓ ଋଣୀ କଥାବାର୍ତା ହେବା ସତ୍ୟ। ୯୦ଦିନ ମଧ୍ୟରେ ଟଙ୍କା ପୈଠ ନକଲେ ଏନପିଏ ହୋଇଯାଏ। ତେବେ ଦୀର୍ଘ ୩ ବର୍ଷ ପରେ ବ୍ୟାଙ୍କ କର୍ତୃପକ୍ଷ ଏହା କରିନାହାଁନ୍ତି। ତେଣୁ ଏହା ସେବା ପ୍ରଦାନରେ ତ୍ରୁଟି ବୋଲି ଆୟୋଗ ଦର୍ଶାଇଥିଲେ। ତେଣୁ ପୂର୍ବରୁ ଋଣୀ ପୈଠ କରିଥିବା ଅର୍ଥକୁ ହିସାବକୁ ନେଇ ଆୟୋଗ ତାଙ୍କ ରାୟରେ ସତ୍ୟବାନ ଅବଶିଷ୍ଟ ୧ ଲକ୍ଷ ୪୭ ହଜାର ଟଙ୍କା ପୈଠ କରିବା ପରେ ତାଙ୍କୁ ବ୍ୟାଙ୍କ କର୍ତୃପକ୍ଷ ନୋ ଡ୍ୟୁଜ୍ ସାର୍ଟିଫିକେଟ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।