Odiapua.com

ଉପକୂଳ ମତ୍ସ୍ୟ ଓ ଚିଙ୍ଗୁଡ଼ି ଚାଷ ସମ୍ପର୍କିତ କର୍ତ୍ତୃପକ୍ଷ ନିୟମ ଓ କାର୍ଯ୍ୟକାରିତା କର୍ମଶାଳା ଅନୁଷ୍ଠିତ

ପୁରୀ- ୨୭.୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀରେ ଉପକୂଳ ମତ୍ସ୍ୟ ଓ ଚିଙ୍ଗୁଡ଼ି ଚାଷ ସମ୍ପର୍କିତ କର୍ତ୍ତୃପକ୍ଷ ନିୟମ ଓ କାର୍ଯ୍ୟକାରିତା କର୍ମଶାଳା ଆଜି ସନ୍ଧ୍ୟାରେ ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। ଏଥିରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସବର୍ମା ମୁଖ୍ୟଅତିଥି ଭାବେ ଯୋଗଦେଇ ମାଛ ଉତ୍ପାଦନ ଓ ପ୍ୟାକେଜିଂ ଉପରେ ଗୁରୁତ୍ବାରୋପ କରିଥିଲେ। ଏଥିସହ ମାଛ ସଂରକ୍ଷଣ ପାଇଁ ସାତପଡା ଠାରେ ବରଫ କଳ ପ୍ରତିଷ୍ଠା ନିମନ୍ତେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ବ୍ରହ୍ମଗିରିର ମାନ୍ୟବର ବିଧାୟକ ଶ୍ରୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ଆୟବୃଦ୍ଧି ନିମନ୍ତେ ପରାମର୍ଶ ଦେଇଥିଲେ। କର୍ମଶାଳାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ ସରକାରଙ୍କ ନୀୟମ ଅନୁଯାୟୀ ମାଛ ଓ ଚିଙ୍ଗୁଡି ଚାଷକୁ ପ୍ରୋତ୍ସାହିତ କରାଯିବ ବୋଲି ପ୍ରକାଶ କରିଥିଲେ। ଲିଜ୍ ପଲିସ୍-୨୦୧୫ର ବିଭିନ୍ନ ପ୍ରାବଧାନ ଏବଂ କୋଷ୍ଟାଲ ଇନଫରମେଶନ ସିଷ୍ଟମର ବିଭିନ୍ନ ପ୍ରୟୋଗ ଉପରେ ପାୱାର ପଏଣ୍ଟ ଉପସ୍ଥାପନ କରାଯାଇଥିଲା। ଲିଜ ନିମନ୍ତେ ଉପକୂଳ ମତ୍ସ୍ୟ ଓ ଚିଙ୍ଗୁଡି ଚାଷ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ପଞ୍ଜିକରଣ କରିବାକୁ ହେବ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ମତ୍ସବିଭାଗ ନିର୍ଦ୍ଦେଶକ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ପବିତ୍ର ବେହେରା, ସାମୁଦ୍ରିକ ବିଭାଗୀୟ ଉପ ନିର୍ଦ୍ଦେଶକ ଶ୍ରୀ ବସନ୍ତ ଦାସ, ଓଡିଶା ମହାକାଶ ପ୍ରୟୋଗ କେନ୍ଦ୍ର ବୈଜ୍ଞାନିକ ଡଃ ପି. କୁମାର, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ଅଧିକାରୀ, ବିଭିନ୍ନ ମତ୍ସଜିବୀ ଓ ଅଣମତ୍ସଜିବୀ ସଂଘର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।