Odiapua.com

ଉପକୂଳ ଓଡିଶା ବିକାଶ ପରିଷଦର ସାଂଗଠନିକ ବୈଠକ

ଜଗତସିଂହପୁର : ୧୧/୮ (ଓଡିଆ ପୁଅ / ନୃସିଂହ ଚରଣ ବାରିକ) – ସାମ୍ବାଦିକ ଅଜୟ ଜେନାଙ୍କ ଅଧ୍ୟକ୍ଷତାରେ ଉପକୂଳ ଓଡିଶା ବିକାଶ ପରିଷଦର ଏକ ସାଂଗଠନିକ ବୈଠକ ରାହାମା ସ୍ଥିତ ସ୍ୱାଧୀନ ଗେଷ୍ଟ ହାଉସ ପରିସରରେ ପୁର୍ବାହ୍ନ ୧୧ଘ. ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜୀବ ଉଦ୍ଧାରସେବା ସମିତି ଓ ଗଣସଂଗ୍ରାମ ପରିଷଦର ପ୍ରତିଷ୍ଠାତା ଶ୍ରୀ ପ୍ରତାପ ଚନ୍ଦ୍ର ମହାନ୍ତି, ବିଶିଷ୍ଟ ସମାଜସେବୀ ଆର୍ତ୍ତତ୍ରାଣ ପତି, ଅଞ୍ଜନାର ସମ୍ପାଦକ ଅରୁଣ ଅଚାର୍ଯ୍ୟ, ନାରୀ କବି ଗୀତା ଦାସ, ମାନସ ସ୍ୱାଇଁ, ଜ୍ୟୋତି ରଞ୍ଜନ ପରିଡା, ବେଣୁଧର ନାୟକ, ଶିଳ୍ପପ୍ରଗତି ସମ୍ବାଦପତ୍ରର ସମ୍ପାଦକ ଶ୍ରୀ ନୃସିଂହ ଚରଣ ବାରିକ ପ୍ରମୁଖ ଯୋଗଦେଇ ଉପକୁଳ ଓଡିଶାର ବିକାଶ ପାଇଁ ସାମୁହିକ ପ୍ରଚେଷ୍ଠା ଜାରି ରଖିବାକୁ ଉପସ୍ଥିତ ସଭ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ୬ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର କଟକଙ୍କ ଜରିୟାରେ ଭାରତର ପ୍ରଧାନ ମନ୍ତ୍ରୀଙ୍କୁ ପ୍ରଦାନ କରାଯିବା ଲାଗି ସ୍ଥିର କରାଯାଇଥିଲା। ପ୍ରତ୍ୟେକ ନଦୀର ମୁହାଣକୁ ବନ୍ଦର ନାଁରେ ବିକ୍ରି ନକରିବା, ଓଡିଶାରେ ପ୍ରବାହିତ ସମସ୍ତ ନଦୀଗୁଡିକୁ ପ୍ରଦୂଷଣମୁକ୍ତ ରଖାଯିବା, ପ୍ରତ୍ୟେକ ନଦୀର ଗତିପଥରେ, ଭୌଗଳିକ ସ୍ଥିତିକୁ ନେଇ ପର୍ଯ୍ୟାପ୍ତ ସଂଖ୍ୟାରେ ଚେକ୍ ଡ୍ୟାମ ନିର୍ମାଣ କରିବା, ପ୍ରତ୍ୟେକ ଅଞ୍ଚଳର ଗହୀର ବିଲରେ ଥିବା ଜଳ ନିଷ୍କାସିକା ଯଥା- ଜୋର ଓ ସଫେଇକୁ ଖନନ କରାଯାଇ ଚାଇନା ଜ୍ଞାନକୌଶଳକୁ ଅନୁସରଣ କରି ବୃହତ୍ତର ପୋଖରି ଖନନ କରାଯିବା ସହିତ ସମ୍ପୃକ୍ତ ଅଞ୍ଚଳର ବର୍ଷାଜଳକୁ ସଂରକ୍ଷଣ ରଖିବା, ସମୁଦ୍ର ସଂଲଗ୍ନ ଜମିକୁ ବିକ୍ରି କିମ୍ବା ଲିଜ୍ ଦିଆନଯିବା, ରାଜ୍ୟ ଜଳସେଚନ ବିଭାଗରେ ଡିପିଆର ପାଇଁ ପଡି ରହିଥିବା ଗଣପ୍ରସ୍ତାବ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବା ଯଥା ଦେବୀ ନଦିରେ ଦେବୀଦୋଳ ଠାରେ ଆଧୁନିକ ଜ୍ଞାନକୌଶଳ ଅବଲମ୍ବନ କରି ଜଳଭଣ୍ଡାର, କନ୍ଦଳନଦୀରେ ବିଳାସୁଣି ଠାରେ ଚେକ୍ ଡ୍ୟାମ୍ ମହାନଦୀରେ ଭୁତମଣ୍ଡାଇ ଠାରେ ଅନିକଟ ନିର୍ମାଣ ଓ ବୃଦ୍ଧାନଦୀରେ ବାଇଳୋ ବଡବନ୍ଧଠାରେ ଚେକ୍ ଡ୍ୟାମ୍ ନିର୍ମାଣ ସାଙ୍ଗକୁ ବୃହତ ପୋଖରି ଖନନ କରାଯିବା ପାଇଁ ଦାବିପତ୍ର ପ୍ରସ୍ତୁତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପୁରୀରୁ ଆସିଥିବା ରଶ୍ମିରଞ୍ଜନ ସ୍ୱାଇଁ, ଗୋପିନାଥ ସାହୁ, କଟକର ଅଭିମନ୍ୟୁ ଦାସ ଓ ଶିସୁଭୁଷଣ ପରିଜା ପ୍ରମୁଖ ଉପସ୍ଥିତ ରହି ନିଜ ଅଞ୍ଚଳର ସମସ୍ୟା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଆସନ୍ତା ସେପ୍ଟେମ୍ବର ୧୫ତାରିଖ ଦିନ ପରବର୍ତ୍ତୀ ବୈଠକ ଜଗତସିଂହପୁର ଠାରେ କରାଯିବାକୁ ସ୍ଥିର ହୋଇଥିଲା।