Odiapua.com

ଉନ୍ନତି ନାମରେ ଚାଲିଛି ବ୍ୟାପକ ଦୁର୍ନିତୀ- କଂଗ୍ରେସ ନେତା ନଳିନୀ

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉନ୍ନତି ନାମରେ ଚାଲିଛି ମହା ଦୁର୍ନିତୀ । ଦୁର୍ନିତୀର ଗନ୍ତାଘର ପାଲଟିଛି ଭଦ୍ରକ ବିଧାନସଭା କ୍ଷେତ୍ରର ବ୍ଲକ ଓ ପୌର କାର୍ଯ୍ୟାଳୟ । ଏଠାରେ ବିନା ପିସିରେ କୌଣସି କାମ ହେଉ ନାହିଁ । ପିସିର ପରିମାଣ ଏତେ ଅଧିକ ହୋଇଯାଇଛି ଯେ, କାର୍ଯ୍ୟାଦେଶ ପାଇଥିବା ଠିକାଦାର ଓ ବ୍ୟକ୍ତିବିଶେଷ ନିଜ ପେଟ ପାଟଣାକୁ ଚାହିଁ ନିମ୍ନମାନର କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି । ଯାହାର ଜ୍ୱଳନ୍ତ ପ୍ରମାଣ ହେଉଛି ବହୁ ଲକ୍ଷ ଟଙ୍କାରେ ମା’ଭଦ୍ରକାଳୀ ପୀଠ ପରିସରରେ ନିର୍ମିତ ପୋଖରୀର ପାଚେରି ଧସି ପୋଖରୀ ଗର୍ଭକୁ ଚାଲିଯିବା । ଅନୁରୂପ ଏରଡ଼ା ଠାରେ ମଧ୍ୟ ଏକ ପୋଖରୀର ପାଚେରୀ ଧସିବା ଘଟଣା ମଧ୍ୟ ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଉଛି । ଏତଦବ୍ୟତୀତ ୨୦୧୯ରୁ ଏଯାବତ୍ ବହୁ ପ୍ରକଳ୍ପ ଅତି ନିମ୍ନମାନର ହୋଇଛି । ୨୦୧୯ ସାଧାରଣ ନିର୍ବାଚନ ପରେ ଭଦ୍ରକ ବ୍ଲକ ଓ ପୌରାଞ୍ଚଳରେ ଯେତିକି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି, ସେ ସବୁର ନିରପେକ୍ଷ ତଦନ୍ତ କରି ଭଦ୍ରକବାସୀଙ୍କୁ ନିଜ ସ୍ୱଛତାର ପ୍ରମାଣ ଭଦ୍ରକ ବିଧାୟକ ଦେବା ଉଚିତ ବୋଲି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀେୀ ଭଦ୍ରକ ବିଧାନସଭା କ୍ଷେତ୍ରର କଂଗ୍ରେସ ନେତା ନଳିନୀ କୁମାର ମହାନ୍ତି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତିଯେ ବିଭିନ୍ନ ପ୍ରକଳ୍ପର ଟେଣ୍ଡର ସମେତ ଏଫ-ଟୁ ନାମରେ କେତେ କାର୍ଯ୍ୟାଦେଶ ଜାରୀ କରାଯାଇଛି ସେ ସମସ୍ତ ତଥ୍ୟ ଜିଲ୍ଲା ପ୍ରଶାସନ ଭଦ୍ରକବାସୀଙ୍କ ଉଦ୍ଦେଶ୍ୟରେ ଅବଗତ କରୁ, କାରଣ ଏହା ଜାଣିବାର ଅଧିକାର ଭଦ୍ରକବାସୀଙ୍କର ରହିଛି । ବିଧାୟକ ସବୁ ସମୟରେ କହୁଛନ୍ତି ତାଙ୍କ ସମୟରେ ୬ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କାମ ହୋଇଛି । କିନ୍ତୁ ଏତେ ଅର୍ଥ ଉନ୍ନୟନ ପାଇଁ ଖର୍ଚ୍ଚ ହୋଇଥିଲେ ମଧ୍ୟ ଗୋଟିଏ ବି ଆଖି ଦୁଷିଆ କାମ ହୋଇ ନାହିଁ । ବରଂ ଭଦ୍ରକ ବ୍ଳକରେ ଓ ପୌରାଞ୍ଚଳରେ ବିଭାଗୀୟ କାର୍ଯ୍ୟ ନାମରେ ଦଳୀୟ କର୍ମୀମାନଙ୍କୁ ସରକାରୀ ଅର୍ଥ ଆତ୍ମସାତ୍ କରିବାର ସୁଯୋଗ ସୃଷ୍ଟି କରାଯାଇଛି ।

ଗତ ସାଧାରଣ ନିର୍ବାଚନରେ ଭଦ୍ରକକୁ ସ୍ମାର୍ଟ ସିଟି କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବତ୍‌ର୍ତମାନର ବିଧାୟକ ସଂଜିବ ମଲ୍ଲିକ । ଏଥି ସହିତ ଭଦ୍ରକରେ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ସମେତ ଭଦ୍ରକରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ସେ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ଏପରି ଲୋଭନୀୟ ପ୍ରତିଶ୍ରୁତିକୁ ଦେଖି ଭଦ୍ରକ ବିଧାନସଭା କ୍ଷେତ୍ରର ମତଦାତାମାନେ ଶ୍ରୀ ମଲ୍ଲିକଙ୍କ ସପକ୍ଷରେ ବିପୁଳ ମାତ୍ରାରେ ମତ ସାବ୍ୟସ୍ତ କରିଥିଲେ । କିନ୍ତୁ ସେ ଭଦ୍ରକବାସୀଙ୍କ ସହ ପ୍ରତାରଣା କରିଛନ୍ତି । ଭଦ୍ରକ ପୌରାଞ୍ଚଳର ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା, ମୋଚି ଛକ ଠାରୁ ମା’ ଭଦ୍ରକାଳୀ ପୀଠ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଅବସ୍ଥା, ମହତାବ ଛକ ଠାରୁ ବାଇପାସ ପର୍ଯ୍ୟନ୍ତ ଟେଣ୍ଡର କାହିଁକି ବାତିଲ ହେଲା, ରାସ୍ତାର ଟ୍ରାଫିକ ବ୍ୟବସ୍ଥା କାହିଁକି ବିପର୍ଯ୍ୟସ୍ତ ସେ ସମ୍ପର୍କରେ ବିଧାୟକ ଭଦ୍ରକବାସୀଙ୍କୁ ଉତ୍ତର ରଖନ୍ତୁ । ଶସ୍ତା ଲୋକପ୍ରିୟତା ପାଇଁ “ଆଇ ଲଭ୍ ଭଦ୍ରକ” ପ୍ରକଳ୍ପ ଏବେ ପରିତ୍ୟକ୍ତ ଅବସ୍ଥାରେ । ସେଠାରେ ଲାଗିଥିବା ଲାଇଟ ଏବେ ଜଳୁ ନାହିଁ । ସହରର ମୁଖ୍ୟ ରାସ୍ତାର ସୌନ୍ଦର୍ଯ୍ୟକରଣ ପାଇଁ ଡିଭାଇଡର ମଝିରେ ବହୁ ଉଜ୍ୱଳ ଆଲୋକ ଖୁଣ୍ଟି ସ୍ଥାପନ କରିବା ସହ ପ୍ରଚୁର ପରିମାଣରେ ଡେକୋରେଟିଭ ଗଛ ଲଗା ଯାଇଥିଲା । କିନ୍ତୁ ଏବେ ଏସବୁ ଆଲୋକ ଖୁଣ୍ଟରେ ଲଗାଯାଇଥିବା ଏଲଇଡି ବଲବ ଜଳୁ ନାହିଁ ଓ ଲଗାଯାଇଥିବା ଗଛ ସବୁ ମରିବାକୁ ବସିଲାଣି ବୋଲି ସେ କହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭଦ୍ରକରେ ନିଶା ମାଫିଆଙ୍କ ଦୌରାତ୍ମ୍ୟ ବଢ଼ି ବଢ଼ି ଚାଲିଛି । ବିଗତ ବର୍ଷମାନଙ୍କରେ ନିଶା କାରବାରରେ ସଂପୃକ୍ତ ଥାଇ ଗିରଫ ହୋଇଥିବା ଅନେକ ଯୁବକଙ୍କ ଫଟୋ ଭଦ୍ରକ ବିଧାୟକଙ୍କ ପାଖ ଲୋକ । ଐତିହ୍ୟ ସମ୍ପନ୍ନ ବଙ୍କ ସ୍କୁଲ ନିକଟରେ ଚୋରା ମଦ କାରବାର ପ୍ରତି ବିଧାୟକ ଆଖି ବୁଜି ଦେଇଛନ୍ତି । ଗତ ୪ ବର୍ଷ ମଧ୍ୟରେ ଭଦ୍ରକରେ ଅପରାଧିକ ମାମଲା ବୃଦ୍ଧି ପାଇଛି । ତେଣୁ ନିଶା ମାଫିଆ ଓ ଅପରାଧିକ ତ୍ତ୍ୱଙ୍କ ପ୍ରତି ବିଧାୟକ କାହିଁକି ନୀରବ ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ନଗର କଂଗ୍ରେସ ସଭାପତି ଅବଦୁଲ ମୋକିତ ଖାଁ, ମାଇନରଟି ସେଲ ସଭାପତି ଅଶ୍ରଫ ଅଲ୍ଲୀ ଖାନ, ପିତବାଦ ଧଳ, ରାଜନ ଲାହା, ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ଏସସି ସେଲ ମୁଖ୍ୟ ରଂଜନ ଯେନା, ହେମନ୍ତ ମହାପାତ୍ର, ବିଜୟ ବାରିକ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନରେ ଉପସ୍ଥିତ ଥିଲେ ।