Odiapua.com

ଉଦ୍ଧାର ହେବ ପୁରାତନ ଚାନ୍ଦବାଲି ବନ୍ଦର, ଡିଜି ସିପିଂ, ବତୀଘର ଓ ନୌବାଣିଜ୍ୟ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଐତିହାସିକ ବନ୍ଦର ସହର ଚାନ୍ଦବାଲିର ଗୌରବମୟ ନୌବାଣିଜ୍ୟ ପରମ୍ପରା ବହୁ ପ୍ରାଚୀନ । ନୌବାଣିଜ୍ୟ ନିମନ୍ତେ ଏହି ଅଂଚଳକୁ ଗୁରୁତ୍ୱ ଦେଇ ଇଂରେଜମାନେ ୧୮୮୧ ମସିହାରେ ଚାନ୍ଦବାଲି ବନ୍ଦର ପ୍ରତିଷ୍ଠା କରିଥିଲେ, ଯାହାକି ‘ରେଭେନ୍‌ସା ପୋର୍ଟ’ ଭାବେ ପରିଚିତ । ମାତ୍ର ୧୯୬୦ ମସିହାରେ ସରକାରଙ୍କ ଅବହେଳାର ଶୀକାର ହୋଇ ଚାନ୍ଦବାଲି ବନ୍ଦର ବନ୍ଦ ହୋଇଗଲା । ମାତ୍ର ୧୯୭୯ ମସିହାରେ ସରକାର ଏଠାରେ ନାବିକ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରି ୩ ମାସିଆ ଓ ୧୦ ମାସିଆ ତାଲିମ୍ ପ୍ରଦାନ କରାଯିବା ବ୍ୟବସ୍ଥା କରିଛନ୍ତି । ଚାନ୍ଦବାଲି ଠାରେ ସମସ୍ତ ଭିତ୍ତିଭୂମି ଥିଲେ ମଧ୍ୟ ଏହା ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଡିଜି ସିପିଙ୍ଗ ଅନୁମୋଦନ ପାଇନାହିଁ । ଏ ସଂପର୍କରେ ଭିନ୍ନ, ଭିନ୍ନ ସମୟରେ ବିଧାନସଭା ତଥା ସଂସଦରେ ବିଧାୟକ ଓ ସାଂସଦମାନେ ଦାବି ଉପସ୍ଥାପନ କରିଥିଲେ ହେଁ କୌଣସି ସୁଫଳ ମିଳିନାହିଁ । ପ୍ରଶିକ୍ଷଣ ସମାପ୍ତ କରି ବହୁ ପ୍ରଶିକ୍ଷାର୍ଥୀ ରାଜ୍ୟ ଭିତରେ ନିଯୁକ୍ତି ପାଇଥିଲେ ହେଁ ଡିଜି ସିପିଙ୍ଗ ଅନୁମୋଦନ ନଥିବାରୁ ରାଜ୍ୟ ବାହାରେ କିମ୍ବା ଆନ୍ତଃଜାତୀୟ ସ୍ତରରେ ନିଯୁକ୍ତି ପାଇବାରୁ ବଂଚିତ ହେଉଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଏକ ମେରିଟାଇମ୍ ବୋର୍ଡ ପ୍ରତିଷ୍ଠା କରିବା ପାଇଁ ଗତ ୨୦୨୦ ସେପ୍ଟେମ୍ବର ୨୯ ରେ ବିଧାନସଭାରେ ଏକ ବିଧାୟକ ପାରିତ କରଯାଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବା ଏକ ଐତିହାସିକ ପଦକ୍ଷେପ ନେଇଥିଲା । ଏହି ପରିପ୍ରେକ୍ଷୀରେ ଭୌଗୋଳିକ ଓ ସାମାଜିକ ଦୃଷ୍ଟିକୋଣରୁ ଓଡ଼ିଶା ଉପକୂଳ ମଧ୍ୟବର୍ତ୍ତୀ ସ୍ଥାନରେ ଚାନ୍ଦବାଲି ଅବସ୍ଥିତ ହୋଇଥିବା ଏବଂ ଜାତୀୟ ଜଳପଥ-୫ ଟର୍ମିନାଲ, ଜାତୀୟ ଉଦ୍ୟାନ ଭିତର କନିକାର ପ୍ରବେଶ ପଥ ହୋଇଥିବାରୁ ଏଠାରେ ବୋର୍ଡର କର୍ପୋରେଟ୍ ଅଫିସ୍ ସହ ଚାନ୍ଦବାଲି ପୋର୍ଟ ଅଫିସ୍ ପରିସରରେ ମେରାଇନ୍ ମ୍ୟୁଜିୟମ୍ ପ୍ରତିଷ୍ଠା କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ଦୃଢ ଦାବି କରିଆସୁଛନ୍ତି ।

ଏଠାରେ ଡିଜି ସିପିଙ୍ଗ ଅନୁମୋଦନ, ମେରିଟାଇମ୍ ବୋର୍ଡ କର୍ପୋରେଟ୍ ଅଫିସ୍ ସହ ନୌବାଣିଜ୍ୟ ସଂଗ୍ରହାଳୟ ପ୍ରତିଷ୍ଠା କରାଗଲେ କେବଳ ଏ ଅଂଚଳ ନୁହେଁ ଆମ ରାଜ୍ୟ ଓଡ଼ିଶା ତଥା ବାହାର ରାଜ୍ୟର ବେକାରୀ ଯୁବକମାନେ ନିଯୁକ୍ତି ପାଇବା ସହ ସାମାଜିକ ଓ ଆର୍ଥିକ ଦିଗରୁ ସମୃଦ୍ଧ ହୋଇପାିରବେ । ଏହାକୁ ଧ୍ୟାନ ଦେଇ ଡିଜି ସିପିଙ୍ଗ ଅନୁମୋଦନ ସହ ଚାନ୍ଦବାଲିରେ ଏକ ନୌବାଣିଜ୍ୟ ସଂଗ୍ରହାଳୟ ପ୍ରତିଷ୍ଠା ଏବଂ ଭଦ୍ରକ ସଂସଦ କ୍ଷେତ୍ରରେ ଆସୁଥିବା ଦୀର୍ଘ ୭୦ କିମି ବେଳାଭୂମି ଅଂଚଳର ବିକାଶ ସହ ସମୁଦ୍ର ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀଙ୍କ ଆର୍ଥିକ ଉନ୍ନତି ନିମନ୍ତେ ଧାମରା ଠାରେ ଦକ୍ଷତା ବୃଦ୍ଧି କେନ୍ଦ୍ର ସ୍ଥାପନ, ଧାମରା, କସିଆ, ଚୁଡାମଣି, ମନୋହରପୁର ଏବଂ ପଂଚୁବିସା ଠାରେ ଅତ୍ୟାଧୁନିକ ଜେଟି ନିର୍ମାଣ, ଚୂଡାମଣି ଠାରେ ନିତିଦିନିଆ ବନ୍ଦର ପ୍ରତିଷ୍ଠା, କୋଷ୍ଟ କେନାଲର ପୁନଃରୁଦ୍ଧାର, ଧାମରା ନିକଟରେ ବତିଘର ନିର୍ମାଣ ଇତ୍ୟାଦି ଦାବି ନେଇ ଭଦ୍ରକ ସାଂସଦ ମଂଜୁଳତା ମଣ୍ଡଳ କେନ୍ଦ୍ର ସରକାରଙ୍କ ତତ୍‌କାଳୀନ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ମନଶୁଖ୍ ମାଣ୍ଡଭିୟଙ୍କୁ ସାକ୍ଷାତ୍ କରିଥିଲେ । ମାତ୍ର ଇତିମଧ୍ୟରେ ମନ୍ତ୍ରୀମଣ୍ଡଳର ପୁନଃ ଗଠନ ହୋଇଯିବାରୁ ସାଂସଦ ଶ୍ରୀମତୀ ମଣ୍ଡଳ ଓ ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ବର୍ତ୍ତମାନର ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍‌ଙ୍କୁ ଭେଟି ଆଲୋଚନା କରିବା ସହ ପୁନର୍ବାର ଲିଖିତ ଭାବେ ଦାବିପତ୍ର ପ୍ରଦାନ କରିଛନ୍ତି । ଭଦ୍ରକ ସାଂସଦ ଶ୍ରୀମତୀ ମଣ୍ଡଳ ଲୋକସଭା କ୍ଷେତ୍ରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ବାରମ୍ବାର ଦାବି ଉପସ୍ଥାପନକରୁଥିବାରୁ ବୁଦ୍ଧିଜୀବୀ ମହଲରେ ତାଙ୍କୁ ପ୍ରଶଂସା କରାଯାଇଛି ।