Odiapua.com

ଉଦଘାଟନର ୬ବର୍ଷ ବିତିଲା, କାର୍ଯ୍ୟକାରୀ ହୋଇନପାରି ଜରାଜୀର୍ଣ୍ଣ ଅବସ୍ଥାରେ ଅଙ୍ଗନବାଡ଼ି କେନ୍ଦ୍ର, କର୍ମୀଙ୍କ ଘର ବାରଣ୍ତାରେ କୋମଳମତୀଙ୍କ ଭବିଷ୍ୟତ

ବଡ଼ବିଲ, ତା ୨୭ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ମହାମାରୀ କରୋନାକୁ ନେଇ ସାରା ଦେଶରେ ଏବେ କୋୖଣସି ସ୍ଥାନରେ ପାଠ ପଢା ହେଇପାରୁନାହିଁ । କେନ୍ଦ୍ର ତଥା ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜଳ କରିବା ନିମନ୍ତେ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରିଚାଲିଛନ୍ତି । ହେଲେ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ଅଧୀନସ୍ଥ ବାଲାଗୋଡ଼ା ପଞ୍ଚାୟତ ନିକଟରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି । ଯାହା ଫଳରେ କୋମଳମତି ଶିଶୁଙ୍କ ଭବିଷ୍ୟତ ଅଙ୍ଗନବାଡ଼ି କେନ୍ଦ୍ର ବଦଳରେ କର୍ମୀଙ୍କ ଘର ବାରଣ୍ଡାରେ ଗଢ଼ା ଚାଲିଛି । ସରକାର ଜନ୍ମର କିଛି ବର୍ଷ ପରେ ଛୋଟ ଛୋଟ ଶିଶୁମାନଙ୍କୁ ପ୍ରଥମେ ପାକ୍ ଶିକ୍ଷା ଦେବା ସହ ସେମାନଙ୍କ ଭବିଷ୍ୟତକୁ ଉଜ୍ଜଳ କରିବା ଲକ୍ଷ୍ୟରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯାଇଛି । ଏଥିସହ ସରକାରଙ୍କ ଅନୁଦାନରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ଗାଁ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ନିମନ୍ତେ ଗୃହ ନିର୍ମାଣ କରାଯାଇଛି । ସେଥି ପାଇଁ ମାସିକ ଦରମା ଦେଇ ଆବଶ୍ୟକୀୟ କର୍ମୀ ନିୟୋଜିତ କରାଯାଇଛି । ହେଲେ ଅତି ଦୁଃଖର ବିଷୟ ଉକ୍ତ ଗାଁରେ ଆଜକୁ ୬ବର୍ଷ ପୂର୍ବେ ସରକାରଙ୍କ ଅନୁଦାନରୁ ଅଙ୍ଗନବାଡ଼ି କେନ୍ଦ୍ର ନିମନ୍ତେ ଗୃହ ନିର୍ମାଣ କରାଯାଇଛି ସତ, ହେଲେ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ । ଉକ୍ତ କେନ୍ଦ୍ରର ଚିତ୍ରକୁ ଦେଖିଲେ ଜଣାପଡୁଛି ଯେ ପ୍ରଶାସନର ଅବହେଳା ତଥା ଅପାରଗତା ଯୋଗୁଁ ଠିକାଦାରର ମନମୁଖୀ କାର୍ଯ୍ୟ । ଯାହାକୁ ନେଇ ଏଅଞ୍ଚଳର କୋମଳମତି ଶିଶୁ ବଳି ପଡୁଥିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ସୂଚନା ଅନୁଯାୟୀ, ଗତ ୨୦୧୩ ମସିହାରେ ଏଠାରେ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ସରକାରଙ୍କ ଅନୁଦାନରୁ ୫ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ନୂତନ ଭାବେ ଗୃହ ନିର୍ମାଣ କରାଯାଇଥିଲା । ନିର୍ମାଣ କାର୍ଯ୍ୟ ଶେଷ ପରେ ଏହି ଗୃହର ଉଦଘାଟନ ଯାଇଥିଲା ସତ, ହେଲେ ଉଦଘାଟନୀ ଉତ୍ସବରେ ସେଠାରେ କୋୖଣସି ପ୍ରଶାସନିକ ଅଧିକାରୀଙ୍କ ପାଦ ପଡ଼ିନଥିଲା । ଠିକାଦାର ଗୃହଟିକୁ ହସ୍ତାନ୍ତର କରିବା ପରେ ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀ ଗୃହର ଅବସ୍ଥା ଅତି ଖରାପ ହୋଇଥିବା ଦେଖି ସେଠାରେ ଶିଶୁଙ୍କୁ ପଢାଇବା ଉଚିତ୍ ମନେ କଲେନାହିଁ । ଗତ ୨୦୧୪ ମସିହାରେ ଉକ୍ତ କେନ୍ଦ୍ରର ଗୃହଟି ଉଦଘାଟନ କରାଯାଇଥିଲା ‌। ହେଲେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏହି ଗୃହ କାର୍ଯ୍ୟକାରୀ ନହୋଇ ଏବେ ଗାଈ ଗୁହାଳ ଭଳି ଅବସ୍ଥାରେ ପଡିରହିଛି । ନିର୍ମାଣ ହୋଇଥିବା ଗୃହଟିର ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ଯୋଗୁ ତାହା ଏବେ କଳଙ୍କ ଲାଗି ଖରାପ ହେବାକୁ ବସିଲାଣି । ଠିକାଦାରଙ୍କ ଜଣଙ୍କ ଅଧିକ ଲାଭବାନ ହେବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅଧିକାରୀଙ୍କ ମୁହଁ ବନ୍ଦ ପାଇଁ ମୋଟା ଅଙ୍କର ହାତଗୁଞ୍ଜା ଦେଇ ଅତି ନିମ୍ନମାନର ଗୃହ ନିର୍ମାଣ କରି ଖସିଗଲେ । ଯାହାକୁ ନେଇ ଅଙ୍ଗନବାଡ଼ି କେନ୍ଦ୍ରର ଗୃହ ନିର୍ମାଣର ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ନହୋଇ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ଗୃହର ମରାମତି ବା ପୂର୍ଣ୍ଣଉଦ୍ଧାର ନିମନ୍ତେ ଏଠାକାର ଲୋକମାନେ ବାରମ୍ବାର ବିଡ଼ିଓଙ୍କ ପାଖକୁ ଦୋୖଡି ଦୋୖଡି ଲିଖିତ ଅଭିଯୋଗ ପରେ ଅଭିଯୋଗ କରିଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଶୂନ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ଉକ୍ତ ଅଙ୍ଗନବାଡ଼ି କେନ୍ଦ୍ରର ମରାମତି କିମ୍ବା ପୂର୍ଣ୍ଣଉଦ୍ଧାର ଓ ଆବଶ୍ୟକୀୟ ପାଚେରୀ କରାଇବା ପାଇଁ ଗ୍ରାମବାସୀଙ୍କ ଦାବି ହୋଇଛି ।